Unknown

 

 

 

 

 

 

 

 

 

 

ବିଶ୍ୱଚିତ୍ର

ଚିନ୍ତାମଣି ମହାନ୍ତି

 

ଚିହ୍ନିବା ଅସାଧ୍ୟ            ବିଷମ ସଂସାରେ

କର୍ପୂର କି ତାହା ନସ୍ୟ,

ସାରସ୍ୱତୀ ବିଦ୍ୟା            ଭେଦନେ ଅକ୍ଷମ

ସଂସାର ଗୂଢ଼ ରହସ୍ୟ ।

 

ଦିଶେ ଯଥା ତାହା             ସୁଷମା ପ୍ରତିମା

ଲାବଣ୍ୟ - କୁସୁମ ଡଲା,

ମାତ୍ର ପ୍ରତାରଣା-            ଛାଞ୍ଚେ ଢ଼ଳା ସେହୁ

କେବଳ ପିଲା ବହଲା ।

 

ନବୀନ ପ୍ରବେଶୀ            ହେରି ତା ଚାକ୍ଚକ୍ୟ

ଆଶାରେ ଉଠେ ପୁଲକି,

ମଣୁଥାଏ ଯାକୁ            ରୌପ୍ୟମୁଦ୍ରା ତାହା

ପାରଭାଷା ତମ୍ବାଚକି ।

 

ସକଳ ସମ୍ଭବେ            ସେ ସଂସାର ପକ୍ଷେ

ଅସାଧ୍ୟ ନାହିଁ ତାହାର,

ମୃତ୍ୟୁ ନ ହେଉଣୁ            ଘଟେ ସୁଦ୍ଧା ତହିଁ

ଜନ୍ମାନ୍ତର ବାରମ୍ବାର ।

 

ଆବର ବିରୋଧୀ            ଭବେ ପରିପୂର୍ଣ୍ଣ

ଚଣ୍ଡୁଳେ ମିଶିଛି କୁଣ୍ଡା,

ଏକ ପକ୍ଷେ ତାହା             ଶୀତଳ କରକା

ଆନ ପକ୍ଷେ ଅଗ୍ନିମୁଣ୍ଡା ।

 

ସକଳ ତାହାର             ସ୍ୱଳ୍ପ କ୍ଷଣସ୍ଥାୟୀ

ଯଥା ଦୁଃସ୍ୱପ୍ନର ସ୍ମୃତି,

କ୍ଷଣ ପରିବର୍ତ୍ତ-             ଶୀଳ ପୁଣି ତାର

ଆକୃତି କିବା ପ୍ରକୃତି ।

 

ଆଣିଦିଏ ନେତ୍ରେ            ଲୁବ୍ଧ ମୁଗ୍ଧ ଦୃଷ୍ଟି

ଅପାର କରଣୀ ତାର,

ମାତ୍ର ହୃଦଦ୍ୱାରେ            ଜଗାଇଥାଏ ସେ

ଚିରଜୀବୀ ହାହାକାର ।

 

ସଂସାରର ବଡ଼            ନିର୍ମମ କୌତୁକ

ନିଦାରୁଣ ପରିହାସ,

ପ୍ରାଚୁର୍ଯ୍ୟ ମଧ୍ୟରେ            ରଖି ସୁଦ୍ଧା ସେହୁ

ଆଣିଦିଏ ଉପବାସ ।

 

ପୁଣ୍ୟ ହୋମାନତ            ଭୀଷଣ ଚିତାରେ

ହୁଏ ତହିଁ ପରିଣତ,

ଦୀନ ଦରିଦ୍ରର            ବଂଶବୃଦ୍ଧି ପ୍ରାୟ

ବଢ଼େ କ୍ଳେଶ ଅବିରତ ।

 

ହରି ସଂକୀର୍ତ୍ତନ            ବାରଙ୍ଗନା ନୃତ୍ୟ

ଅଛି ତହିଁ ଏକଧାରେ,

ପ୍ରତ୍ୟହ ସଂସାର             ନବୀନ ଭାଷାରେ

ନବୀନ ଆଜ୍ଞା ଉଚ୍ଚାରେ ।

 

ସ୍ୱାର୍ଥରେ ଚାଳିତ             ସ୍ୱାର୍ଥ - ପରିଷିକ୍ତ,

ପ୍ରତ୍ୟେକ ରେଣୁ ତାହାର,

ସୁଲଭ ସତତ            ପ୍ରବତର ତହିଁ

ହୃଦୟହୀନ ବେଭାର ।

 

ଭ୍ରାତୃସ୍ନେହ ବହି            କେହି ନ ଆସିବେ

ଦୁଃଖ ଭାଗ ନେବା ପାଇ,

ମାତ୍ର ସୁଖବେଳେ            ବିନା ଆହ୍ୱାନରେ

ପଶିବେ ପାଶେ ଝସାଇ ।

 

ମୃତଦେହେ ନବ            ଆଭରଣ ପ୍ରାୟ

ଶୋଭା ବହେ ତହିଁ ସୁଖ,

ଦୁଃଖ - ଦର୍ପଣରେ             ପ୍ରତିଫଳେ ପୁଣି

ସେ ସୁଖ - ଉଜ୍ୱଳ ମୁଖ ।

 

ଧରା ହାସ୍ୟମୟୀ             ତାରା ହାସ୍ୟମୟୀ

ହାସ୍ୟମୟ ଫୁଲବନ,

ସୃଷ୍ଟି ହାସ୍ୟ ଆସ୍ୟ            ସେ ହାସ୍ୟ ମଧ୍ୟରେ

ଗୋପନେ ବସେ କ୍ରନ୍ଦନ ।

 

ବୋଲୁଥାନ୍ତି ଲୋକେ       ସୁପ୍ରିୟବାଦିନୀ

ଜାୟା ଯାହା ଘରେ ଅଛି,

ସେ ପୁରକୁ ଏକା            ତୁଳନାରେ ମର୍ତ୍ତ୍ୟେ

ତ୍ରିଦିବ ସହିତେ ଗଚ୍ଛି ।

 

କଥାର ଛଟା ଏ            ମାତ୍ର କାହିଁ କେବେ

କେଉଁ ଭାଗ୍ୟଧରଠାରେ,

ଲଭିଛି ସମ୍ପୂର୍ଣ୍ଣ             ସାଫଲ୍ୟ ଏ ଉକ୍ତି

ଶୁଣା ନାହିଁ ସୁଦ୍ଧା ବାରେ ।

 

ବାୟା ପ୍ରାୟ ଭବ-            ମାୟା ବିଭେଦନ

ଅମର ଶକ୍ତି ଅସାଧ୍ୟ,

ବୈରାଗୀ ପୟରେ            ଆପେ ସେହୁ ବାଧ୍ୟ

ଆସକ୍ତର ଚିରାରାଧ୍ୟ ।

 

ମାନବ ସେ ମାୟା             କାହୁଁ ମୁଁ କଳିବି

ଅତି ଦୁର୍ବଳ ମୋ ମାଆ,

ପଞ୍ଚ ଅନୁଭବୀ            ଚିତ୍ର ଅଙ୍କିଦେଇ

ଭଜିବଇଁ ନୀରବତା ।

 

ପ୍ରଥମ ଚିତ୍ର

ବିଶ୍ୱପାଟଣାରେ            ଦୁଃଖରାମ ନାମେ

ଥିଲେ ମଧ୍ୟବିତ୍ତ ଜନ,

ଅମର ସୁଲଭ             ମାନବ - ଦୁର୍ଲ୍ଲଭ

ସକଳ ଗୁଣେ ଭାଜନ ।

ତପସ୍ୱିନୀ ନାରୀ            ଭାଗ୍ୟେ ତାହାଙ୍କର

ଖଞ୍ଜି ଦେଇଥିଲେ ବିଧି,

ତରୁଣ ତରୁଣୀ            ସତ୍ୟ - ଧର୍ମପ୍ରାଣ

ସଂଯମର ବାରାନିଧି ।

ସ୍ୱପ୍ନ ଯଦି ଲତା            ହୁଅନ୍ତା, ତହିଁରେ

ଏକ ବୃନ୍ତେ ଯୁଗ୍ମ ଫୁଲ-

ଫୁଟନ୍ତା, ତେବେ ସେ      ହୋଇପାରନ୍ତା ବା

ସେ ବେନିଙ୍କ ସମତୁଲ ।

ବିଶ୍ୱ ଚାରୁଭୂଷା            ସେ ବିଶ୍ୱପାଟଣା

ତା ଭୁଷା ଦମ୍ପତି ଦ୍ୱନ୍ଦ,

ସରସୀ, ଭୂଷଣ            କମଳ ଯେସନ

କମତ-ଭୂଷଣ ଗନ୍ଧ ।

 

ଗୁଣବାନ ଯଥା            ପୁଂସ, ତଥା ନାରୀ

ପୁଣ୍ୟବତୀ ଗୁଣବତୀ,

ଯୋଗ୍ୟ ସହକାରେ            ଛନ୍ଦିଥିଲା କିବା

ସୁଯୋଗ୍ୟା ମଧୁମାଳତୀ ।

 

ନୈତିକ ଚରିତ୍ରେ            ନ ଥିଲେ ବେନିଏ

କେହି କାହାରିକି ଊଣା,

ମିଥ୍ୟା ଶଠତାକୁ            ପୂଜଗନ୍ଧୁ ନଳି

ମଣୁଥିଲେ ପ୍ରାଣେ ଘୃଣା ।

 

ଏ ସଂସାର ତପ୍ତ-            କଟାହ, ତାଙ୍କର

 ଥିଲା ଏଥି ସନ୍ଦେହ,

ତେଣୁ ତା ସନ୍ତାପ            ସହ୍ୟ ହେଲା ଭଳି

ଗଢ଼ି ନେଇଥିଲେ ଦେହ ।

 

ବସନ୍ତ ନିଦାଘ             ସମ ସହୁଥିଲେ

ସଂସାରର ସୁଖଦୁଃଖ,

ଦୁଃଖକାଳେ ଦୁଃଖେ            ଆଲିଙ୍ଗନେ କେବେ

ହେଉ ନ ଥିଲେ ବିମୁଖ ।

 

ଉଦ୍ଯୋଗ ଆତ୍ମାର       ସଞ୍ଜୀବନୀ ଶକ୍ତି

ଅନନ୍ତ ସୁଖର ଖଣି,

ତେଣୁ ତା ପୟର            ପୁଜୁଥିଲେ ତାକୁ

ଜୀବନ ଦେବତା ମଣି ।

 

ପ୍ରଣୟର ପାଟ -             ଡୋରେ ବନ୍ଧା ବେନି

ଯଥା ମୁନିପତ୍ନୀ ମୁନି,

ବହୁଥିଲା ହୃଦେ            ପ୍ରାମାନୁରାଗର

ପୁଣ୍ୟ ପୁତ ସୁରଧୁନୀ ।

 

ଯୁଝୁଥିଲେ ବେନି            ଅଧର୍ମ ସହିତେ

ଧରି ଧର୍ମ - ଧୁନୁତୀର,

ଐକାନ୍ତିକୀ ଭକ୍ତି-            ମଙ୍ଗଳ ସନ୍ମାହେ

ଆଚ୍ଛାଦି ନିଜ ଶରୀର ।

 

ପବିତ୍ରତା ରୂପ            ବିଶୁଦ୍ଧ ନିର୍ମାଲ୍ୟେ

ସଂଶୋଧି ଦୂଷିତ ଆଶା,

ବିହଙ୍ଗ ଲଳିତ             କାକଳୀ ମଧ୍ୟରେ

ଶୁଣନ୍ତି ପ୍ରଭୁଙ୍କ ଭାଷା ।

 

ସୂର୍ଯ୍ୟୋଦୟ ସହ            ପ୍ରତିଦିନ ତାଙ୍କ

ଜୀବନେ ନବ ପ୍ରଭାତ,

ନବୀନ ଦିବସ            ନବୀନ ଅଧ୍ୟାୟ

ହେଉଥିଲା ପ୍ରତିଭାତ ।

 

ସ୍ତୁତି - ଅର୍ଘ୍ୟଦାନେ            ତୋଷୁଥିଲେ ବେନି

ପ୍ରାଣପଣେ ପ୍ରାଣାରାମେ,

ତ୍ରିଦିବ ଜ୍ୟୋତିର            ଯୁଗ୍ମ ବର୍ତ୍ତିକା ସେ

ଢଳୁଥିଲା ମର୍ତ୍ତ୍ୟଧାମେ ।

 

ବିଶ୍ୱ ଶୁଭଚିନ୍ତା-            ସୁତ୍ରେ ବୁଣି ଜାଲ

ଆଚ୍ଛାଦିଥିଲେ ହୃଦୟ,

ଆଚ୍ଛାଦନ୍ତି ଯଥା             ଗବାକ୍ଷର ବକ୍ଷ

ଲୁତା - ଜନ୍ତୁବାୟତଲା ।

 

ନିଦ୍ରାରେ ନୀରବ            ରହୁଥାଏ ତାଙ୍କ

କଣ୍ଠ - ବୀଣା ଦୁର୍ବିପାକେ,

ମାତ୍ର ହୃଦ - ପ୍ରାଣ-            ମଧୁମୟୀ ତନ୍ତ୍ରା

ବାଜୁଣଥାଏ ନିର୍ବାକେ ।

 

ଆଦର୍ଶ ନୀରବ-            ସହିଷ୍ଣୁତା ଗୁଣ

ସ୍ୱାର୍ଥଶୂନ୍ୟ ଆତ୍ମଦାନ,

ଆକାଙ୍କ୍ଷାବିହୀନ            ସେବା ଶୁଶ୍ରୂଷାରେ

ବେନିଏ ଥିଲେ ପ୍ରଧାନ ।

 

ସାଧୁସଙ୍ଗ ଦୟା            ହରିନାମ ଜପ

ଦୈନ୍ୟ ପରଉପକାର,

ଏହି ପଞ୍ଚରତ୍ନ            ଥିଲା ତାହାଙ୍କର

ଆଦରର ଅଳଙ୍କାର ।

 

ସୁଖ ପାଇଁ ସୁଖ            ଲୋଡ଼ୁ ନ ଥିଲେ ସେ

ସୁଖେ ମଣୁଥିଲେ ଦୁଃଖ,

ପର ପାଇଁ ଦୁଃଖ            ଭୁଞ୍ଜୁଥିଲେ ସଦା

ସେହି ତ ସ୍ୱର୍ଗର ସୁଖ ।

 

କୋବିଦ-କଳ୍ପିତ            ମୁକ୍ତାଲତା ପ୍ରାୟ

ସୁଖ ଏ ସଂସାରେ ମିଛ,

ଇନ୍ଦ୍ରଧନୁ ଖାଲି            ଶୂନ୍ୟ ବର୍ଣ୍ଣ ସିନା

ନୁହେଁ ତା ମୟୁରପିଚ୍ଛ ।

 

ସୁଖ ସୁଖ ବୋଲି            ଭଜି ହେଉଥାନ୍ତି

ବାସନା - ସେବକଗଣ,

ଜାଣନ୍ତି ନାହିଁ ସେ            ସୁଖ ଶବ୍ଦ ଯଥା

ରାମଶୂନ୍ୟ ରାମାୟଣ ।

 

କେଡ଼େ ଭ୍ରାନ୍ତ ନର            ସୁଖ-ମରୀଚିକା

ପଛେ ଧାଏଁ ମୃଗପ୍ରାୟ,

ଧାଇଁ ଧାଇଁ ଶେଷେ            ଅବସନ୍ନ ହୁଏ

ଲଭେ ନାହିଁ ସୁଖ ହାୟ ।

 

ତଥାପି ନିବୃତ୍ତ             ନୋହି ଦୁରାଶାରୁ

ପ୍ରଧାବେ ହୋଇ ଉନ୍ମୁଖ,

ଦୁଃଖର ଜୀବନ୍ତ            ହାହାକାରକୁ ସେ

ଭ ମ ମଣେ ମହାସୁଖ ।

 

ହୁଏ ଯା ଜଗତେ            ସାର ସୁଖ ନାମେ

ଜନମୁଖେ ଅଭିହିତ,

ହଳାହଳଗର୍ଭ            ସେ ଅପତ୍ୟ ସୁଖୁ,

ବେନିଏ ଥିଲେ ବଞ୍ଚିତ ।

 

ଅପତ୍ୟ ଆଶାର             କି ମହିମା ଭବେ

ବିସ୍ତୃତ ତା ଆଧିପତ୍ୟ,

କେହି କାର ନୁହେଁ            ଜାଣି ସୁଦ୍ଧା ଏହା

ଲୋଡ଼ନ୍ତି ଲୋକେ ଅପତ୍ୟ ।

 

ନିଃସନ୍ତାନ ଜନ            ଆନ ଜନଠାରୁ

ପୋଷ ପୁତ୍ରକନ୍ୟା ଆଣି,

ମାତ୍ର ତହିଁ ଯେତେ            ଯନ୍ତ୍ରଣା ତାହା ସେ

ପରିଣାମେ ପାରେ ଜାଣି ।

 

ଆନ ଗଛୁ ଫଳ            ଆଣି ଲଗାଇଲେ

ଅଫକନ୍ତି ଗଛ ଡ଼ାଳେ,

ଲାଗେ କି ସେ ଫଳ            କୋଟି ଚେଷ୍ଟା ବଳେ

ସେ ଡ଼ାଳରେ କେଉଁ କାଳେ ?

 

ବରଞ୍ଚ ସେ ଫଳ-             ଭାରେ ନମ୍ର ହୋଇ

ଭଜେ ଶାଖା ଦୁର୍ବଳତା,

ଭବିଷ୍ୟତ ହୁଏ             ସାଂଘାତିକ ସିନା

ଅକଥାକୁ କଲେ କଥା ।

 

ଆଶା - ଦାସ ନର            ଥାଏ ଆଜୀବନ

ଆଶା ଉପାସନା ରତ,

ବଢ଼ାଇ ଆଶାକୁ             ଆଶା, ଶେଷେ କରେ

ଆପଣାକୁ ଆପେ ହତ ।

 

ଆଶା ସିନା ଖାଲି            ଆଶାର ଛଳନା

ଚକାଏ ଶୂନ୍ୟେ ସେ ଯାନ,

ଶାରଦ - ନୀରଦ            ପ୍ରାୟ ଦେଇ ଦେଖା

ହୋଇଯାଏ ଅନ୍ତର୍ଦ୍ଧାନ ।

 

ଦହେ ଆଶା ହୃଦ            ଆସକ୍ତିର ରୂଦ୍ର

ପ୍ରଜ୍ୱଳିତ ହୁତାଶନେ,

ନୈରାଶ୍ୟ ରୂପେ ସେ      ଅବ୍ୟକ୍ତ ବିତୃଷ୍ଣା

ଆଣେ ପୁଣି ପରକ୍ଷଣେ ।

 

ହେଉ ପଛେ ଆଶା             ଆପାତ ମଧର

ପରିଣାମେ ବିପରୀତ,

ମାତ୍ର ସେ ରଖିଛି            ଅପୂର୍ବ କୁହୁକେ

ଜଗତକୁ ସଂଜୀବିତ ।

 

ଆଶାରେ ମାନବ            ନେଉଛି ନିଶ୍ୱାସ

ଆଶାରେ ଚାଲିଛି ବାଟ,

ଆଶାରେ ସଉଦା            କରେ କିଣାବକି

ଆଶା - ଗୁରୁର ସେ ଚାଟ ।

 

ଆଶା-ନିଶା ଭୋଳେ      ବାତୁଳ ସର୍ବଥା

ଏକସ୍ୱ ତାହାର ଆଶା,

ଆଶା ତାହା ମୁଖେ            ନିତ୍ୟ ନବସ୍ୱରେ

କୁହାଉଛି ନବ ଭାଷା ।

 

କୋଟିଏ କୁବେର-            ଧନ ସହ ଆଶା

ଲଭିଲେ ବିଶ୍ୱ ବ୍ରହ୍ମାଣ୍ଡ,

ତଥାପି ଅତୃପ୍ତ,            ଚିର ଅସମ୍ପୂର୍ଣ୍ଣ

ଆଶାର ବିରାଟ ଭାଣ୍ଡ ।

 

ଘୋର ଅବଗ୍ରହେ            ଦାରୁଣ ଦୁର୍ଭିକ୍ଷ

ଆକ୍ରମିଲା ଆସି ମହୀ,

ଭୀଷଣ ନର୍ତ୍ତନ            ଆରମ୍ଭିଲା ତହୁଁ

ବୁଦ୍ଦୈବ - ଉତ୍ଫଣ ଅହି ।

 

ଭକ୍ଷ୍ୟାଭାବେ ଜନେ            ଅଭକ୍ଷ୍ୟ ଭକ୍ଷିଲେ

ବିକାର ମନେ ନ ଗଣି,

କ୍ଷୟକାଶ ରୋଗୀ-             ପ୍ରାୟେ ଅନେକର

ପଞ୍ଜରାସ୍ଥି ହେଲା ଗଣି ।

 

ଅଭାବ - ଅସୁର            ଦୀନ ଦରିଦ୍ରଙ୍କ

ପକାଇଲା ବେକ ମୋଡ଼ି,

ଥାଉ ଆନ କଥା            କଖାରୁ ପତର

ଦର ହେଲା ବାରବୋଡ଼ି ।୧

 

୧- ପୂର୍ବକାଳରେ ଏକ ଭୀକ୍ଷଣ ଦୁର୍ଭିକ୍ଷରେ ଗୋଟାଏ କଖାରୁ ପତର ବାରିକୋଡ଼ି କଉଡ଼ି ମୂଲ୍ୟରେ

ବିକ୍ରୀତ ହେବାର କଥିତ ହୁଏ ।

 

ଦୁର୍ଭିକ୍ଷ - ପୀଡ଼ିତ            ମାନବେ ଧଇଲେ

ଆହା ବଡ଼ କଦାକାର,

ପ୍ରତେ ହେଲା ଯେହ୍ନେ      ସେ ମୂର୍ତ୍ତି ନରର

ବିକୃତ ବ୍ୟଙ୍ଗ ସଂସ୍କାର

 

ମୃତ ମୃତକଳ୍ପ             ଜୀବନ୍ମୃତ କେତେ

କେତେ ଏଥୁ ବଳି ହୀନ,

କେତେ ଅଭାଗ୍ୟର            ଭାଗ୍ୟରେ ଦୁଲ୍ଲଭ

କଢ଼ନ୍ନ କିମ୍ବା କୌପୀନ ।

 

ଘର ଛାଡ଼ି କେତେ            ବୁଲନ୍ତି ବିକଳେ

ଦଗଧୋଦର ତାଡ଼ନାରେ,

କରୁଣ ରସର            ଉତ୍ସ ଆହା ଧରା

ପୂର୍ଣ୍ଣ କ୍ଷୁଧା ହାହାକାରେ ।

 

ବିଶ୍ରୀ ବିକଳାଙ୍ଗ            ଦିଶୁଅଛି ଆହା

ଧରା ଚିର ରୁଚିରାଙ୍ଗୀ,

ଅମଙ୍ଗଳ ସ୍ପର୍ଶେ            ଯାଉଅଛି ସତେ

ସୃଷ୍ଟିର ଶୃଙ୍ଖଳା ଭାଙ୍ଗି ।

 

କ୍ଷୁଧାତୁରା ଏକ            ଅନାଥା ଅବଳା

ଆସି ଦିନେ ଦିନଶେଷେ,

ଉପସ୍ଥିତ ପୂର୍ବ-            ବର୍ଣ୍ଣିତ ଦମ୍ପତି-

ଅତି ଦୀନହୀନ ବେଶେ ।

 

ଜୀର୍ଣ୍ଣ ଶୀର୍ଣ୍ଣ ତନୁ            ଅତୀବ ଦୁର୍ବଳ

ଯେସନ ପିମ୍ପେଇ ଖାଡ଼ି ୨,

ପ୍ରତେ ହୁଏ ଥରେ            ଫୁଙ୍କିଦେଲା ମାତ୍ରେ

ପଡ଼ିବ ନିଶ୍ଚେ କଚାଡ଼ି ।

୨ - ନଳିତା କାଠି ।

 

ଦେଖି ତା ଦୁର୍ଗତି            ପତିପତ୍ନୀଙ୍କର

ତରଳିଗଲା ହୃଦୟ,

ଖାଦ୍ୟପାନେ ତୋଷି      ରହିବାକୁ ତାକୁ

ଅଳିନ୍ଦେ ଦେଲେ ଆଶ୍ରୟି ।

 

ଦୈବଯୋଗେ ସେହି      ଅକାଳ କରଚୀ

ହୋଇଥିଲା ଗର୍ଭବତୀ,

ଅର୍ଦ୍ଧରାତ୍ରେ ପୁତ୍ର            ପ୍ରସବି ଅଭାଗୀ

ତେଜିଲା ଏ ବସୁମତୀ ।

 

କେ ପାରେ ନିଭାଇ            ବିଧାତା ଲିଖିତ

ଅଦୃଷ୍ଟ ଲିଖନ ପଙ୍କ୍ତି,

ବିଧାତା ବିଧାନ            ଅନ୍ୟଥାକରଣେ

ବିଧାତାର ନାହିଁ ଶକ୍ତି !

 

ଦେବଶିଶୁ ପ୍ରାୟ             ସୁନ୍ଦର ଆହା ସେ

ସଦ୍ୟ ମାତୃହୀନ ସୁତ,

ପଙ୍କରୁ ପଙ୍କଜ,            ଅବା ହୋଇଥିଲା

ଶୂକ୍ତିରୁ ମୁକ୍ତା ସମ୍ଭୁତ ।

 

ସଦ୍ୟ ଜାତ ଶିଶୁ            ଲାଳଲିପ୍ତ ଦେହୁ

ସୌନ୍ଦର୍ଯ୍ୟ ପଡ଼େ ଉତୁରି,

ଚନ୍ଦ୍ରର କଳଙ୍କ            ଚନ୍ଦ୍ର ଶରୀରର

ବଢ଼ାଏ ସିନା ମାଧୁରୀ ।

 

ମୃତ ମାତା କୋଳେ            ନବଜାତ ଶିଶୁ

କାନ୍ଦିଲା ହୋଇ ଆକୁଳ ।

ଶୁଷ୍ୱକ ବୃକ୍ଷେ ଆହା            ଲାଖି ରହିଛି କି

ବାତେ ଉଡ଼ିଆସି ଫୁଲ ।

 

କ୍ରନ୍ଦନ ଛଳେ ସେ            କରେ କି ଆବୃତ୍ତି

ଜୀବନ ଆଦ୍ୟ କବିତା,

କିମ୍ବା ଗୁଣୁଅଛି             ସ୍ୱର୍ଗର ଭାଷାରେ

ପୁଣ୍ୟ ଭଗବତ ଗୀତା ।

 

ଅବୋଧ୍ୟ ସେ ଭାଷା,      ମାତ୍ର ପରିଷିକ୍ତ

ବାସ୍ତବ ଅମୃତ ରସେ,

ସେ ଭାଷା ଯାହାର            କଣ୍ଠ ଆଦି ଭାଷା

ଏ ଭବେ ଭାଗ୍ୟଧର ସେ ।

 

ଅରକ୍ଷ ଶିଶୁଟି            ଦେଖି ସେ ଦମ୍ପତି

ଆନନ୍ଦିତ ମନେ ମନେ,

ସୁଷୁପ୍ତ ବିରାଟ            ଆଶା - ପକ୍ଷୀ ତାଙ୍କ

ଉଡ଼ିଲା ମହାଗଗନେ ।

 

ଆତ୍ମଜ ଅଧିକେ            ପାଳିଲେ ଯତନେ

କରି ହୃଦୟରେ ହାର,

ସଦୟେ ସସ୍ନେହେ            ପିତାମାତା ସ୍ଥାନ

ପୂରଣ କଲେ ତାହାର ।

 

ବାଳୁତ ଲୀକାର             ଆଶ୍ଚର୍ଯ୍ୟ କୁହୁକେ

ଆତ୍ମସତ୍ତା ଗଲେ ହୁଡ଼ି,

ଅତିଥି ସତ୍କାର,            ଦେବଭକ୍ତି ଗଲା

ବାତ୍ସଲ୍ୟ ରସରେ ବୁଡ଼ି ।

 

ଧନ୍ୟ ରେ ସଂସାର            ରୀତିଗତି ତୋର

ପଟୁ ତୁହି ଶାଠ୍ୟ ଖେଳେ,

ମୁହୂର୍ତ୍ତ ମଧ୍ୟରେ            ଯୋଗୀକି ଗୃହସ୍ଥ

କରିପାରୁ ଅବହେଳେ ।

 

ଭାବି ଭାବି ଦୁହେଁ            କୁମରମଣିର

ବିହିଲେ ନାମକରଣ,

ହରିଙ୍କ ପ୍ରସାଦେ            ଲାଭ ହେତୁ ନାମ

ରଖିଲେ ହରିଚରଣ ।

 

ଶିଶୁ ବୟୋବୃଦ୍ଧି            ସଙ୍ଗେ ଦମ୍ପତିର

ବଢ଼ିଲା ସ୍ରୋତ - ବାରିଧି,

ମଣିଲେ ପୁତ୍ରେ ସେ            ମହାଦରିଦ୍ରର

ଅସ୍ୱପ୍ନ - କଳ୍ପିତ ନିଧି ।

 

ପଞ୍ଚମ ବର୍ଷରେ            ହାତେ ଖଡ଼ି ଦେଇ

ନିୟୋଜିଲେ ଅଧ୍ୟାୟନେ,

ଅଦୁରଦର୍ଶିତା            ଫତେ କେତେ କେତେ

ଭାବୀ ଆଶା ବାନ୍ଧି ମନେ ।

 

ବିଦ୍ୟା ଶିକ୍ଷା କରି            ଗାଇବ କୁମର

ଭାଗବତ ରାମାୟଣ,

ଆବର ଚାକିରୀ            କରି ପୋଷିବ ସେ

ଅରଜିଣ ପଣ ପଣ ।

 

ବୃଦ୍ଧକାଳେ ପୁତ୍ରେ            ଅର୍ପି ଗୃହଭାର

ବରଜିବେ ଦବ ଛକ,

ପର ଗୋରୁ ପୁଚ୍ଛ            ଧରି ପାରିହେବେ

ପୁନାମ ମହା ନରକ ।

 

ଆଶାରେ ଆଶାୟୀ,            ମାତ୍ର ଜାଣିଥିଲା

କିଏ ଭବିଷ୍ୟତ କଥା,

ଆତ୍ମ-କରଣୀରୁ            ହେବ ସେ ଆଶାର

ଭଗାରୁଣୀ ବିଫଳତା ।

 

ମୋହବଶେ ଆଜି             ମଣୁଛନ୍ତି ଯାକୁ

ପାରିଜାତ       ଫୁଲମାଳ,

ନ ଭାବନ୍ତି ତାହା            କାଲି ପୁଣି ହେବ

ତୀବ୍ର ବିଷଦନ୍ତ ବ୍ୟାଳ ।

 

ନ ପଢ଼ିଣ ପାଠ             ସେ ଗେଲୁହା ଦୁଲାକ

ମାତିଲା କ୍ରୀଡ଼ା ଭ୍ରମଣେ,

ତାହା ଯୋଗୁ ଗୃହେ            ନିତି ନିତି କଳି

କିଣା ହେଲା ବିନା ପଣେ ।

 

ଦୁଷ୍ଟପୁତ୍ର ପାଇଁ       ପ୍ରତିବେଶୀଠାରୁ

ଲଭିଣ ଘୋର ଗଞ୍ଜଣା ।

ତଥାପି ଦମ୍ପତି            ପ୍ରାଣ-ପ୍ରତିମାକୁ

କରନ୍ତି ନାହିଁ ତାଡ଼ନା ।
 

ପିତୃମାତୃସ୍ନେହ            ସହ ବଢ଼ୁଥିଲା

ପୁତ୍ରମଣି ଅବାଧ୍ୟତା,

ସେହି ସ୍ନେହ ସିନା            ବାଲ୍ୟକାଳୁ ତାର

ଗ୍ରାସିଲା କୋମଳ ମଥା ।

 

ବିନାଶିଲା ତାର             ଚରିତ୍ରେ ସର୍ବଥା

ସେହି ସ୍ନେହ ପରିପାଟୀ,

ସେହି ସ୍ନେହ ତାର            ଶୈଶବକାଳରୁ

ଜୀବନକୁ କଲା ମାଟି ।

 

ସ୍ନେହର କ୍ଷମତା            ଅଗାଧ ଆବର

ମହିମା ତା ଆକଥନ,

ସ୍ନେହ ପ୍ରଭାବରେ            ନିର୍ବିକଳ୍ପେ ନର

ଗୋମୟେ ମଣେ ଚନ୍ଦନ ।

 

ସୀମାବଦ୍ଧ ସ୍ନେହ             ପ୍ରସବେ ଅନନ୍ତ

ମଙ୍ଗଳ ଅମୃତ ଫଳ,

ସୀମା ଅତିକ୍ରମ            କଲେ ସେ ଉଦ୍ମାରେ

ଅନର୍ଗଳ କଳାହଳ ।

 

ବାଲ୍ୟ ପରିଣାମେ             ପୁତ୍ର ହୃଦ-ବନେ

ପଶିଲା ଯୌବନ - ବାଘ,

ପଶେ ଯଥା ବିଶ୍ୱେ            ମଧୁ ବାହୁଡ଼ାନ୍ତେ

ନିର୍ଦ୍ଦୟ ଋତୁ ନିଦାଗ ।

 

ଶୁଭଗୁଣ-ମୃଗେ            ରୁଚିଲେ କେ କାହିଁ

ପଳାଇ ଭୀତି ବିହ୍ୱଳେ,

ରିପୁ-ରିପୁକୁଳ            ଚେଇଁ ଉଠି ଖରେ

ଗର୍ଜିଲେ ଉଚ୍ଚେ ପ୍ରବଳେ ।

 

ବିନୟ ସନ୍ତୋଷ            ଶ୍ରଦ୍ଧା ଭକ୍ତି ଦୟା

କ୍ଷମାଦି ସାତ୍ତ୍ମିକ ଭାବ,

ଯୌବନ ପରଶେ            କ୍ରମେ କ୍ରମେ ସର୍ବେ

ଭଜିଲେକ ଚିରୋଭାବ ।

 

ଜୀବନ ଜୀବିକା            ହେଲା ପାପବୃତ୍ତି-

ଅଭିମାନ ଅସନ୍ତୋଷ,

ଇନ୍ଦ୍ରିୟ ଲାଳସା            ବିଳାସ ମାତ୍ସର୍ଯ୍ୟ

ମିଥ୍ୟା ଦମ୍ଭ କଳି ରୋଷ ।

 

କଥାକେ କଥାକେ            ମହାମାନହାନି

କଥାକେ କଥାକେ ରୁଷା,

ରସଗୀତ ସହ            ନିଶାପଶା ହେଲା

ପ୍ରାଣର ପ୍ରିୟ ବେଉସା ।

 

କୁସଙ୍ଗରେ ପଡ଼ି            ପଞ୍ଚମକାରର

ହେଲା ସେ ଶିଷ୍ୟ ସେବକ,

ସ୍ୱାର୍ଥରେ ଆଘାତ            ଲାଗିଲେ କିଞ୍ଚିତ

ଜଳେ ସେ ଯଥା ପାବକ ।

 

ଅଭୀପ୍ସିତ ଦ୍ରବ୍ୟ            ନ ଦେଲେ କାହିଁ ବା

ପିତାମାତାଙ୍କର ତ୍ରାଣ,

ଗୁଣଧର ପୁତ୍ର            ମଧୁର ପ୍ରହାରେ

ହୁଅନ୍ତି ଲହୁଲୁହାଣ ।

 

କି କରିବେ ବେନି             ସ୍ନେହ - ନାଗପାଶେ

ହୋଇଛନ୍ତି ବନ୍ଧା ଆଗେ,

ସହନ୍ତି ନୀରବେ            ସକଳ ଜଞ୍ଜାଳ

ସ୍ମରି ଆତ୍ମବୃତ ପାଗେ ।

 

କଦାଚିତ ହସି            ଦେଲେ ପଦେ ଅଧେ

ସ୍ନେହ - ସୁଧା - ବୋଳା ଗାଳି,

ବୁଝି ତାହା ହରି            ଛଳନା ଆଚର

ନେତ୍ରୁ ଲୁହ ଦିଏ ଢ଼ାଳି ।

 

ସ୍ନେହମିଶା ଗାଳି            ସାଫଲ୍ୟ ଶକୁନ

ଭବିଷ୍ୟ ମଙ୍ଗଳକର,

ଆବର ସେ ସିନା            ସ୍ନେହଠାରୁ ବଳି

ଅଧିକେ ମଧୁରତର ।

 

ହଜିଯାଏ ବୁଦ୍ଧି            ପିତାମାତାଙ୍କର

ରୁଷିଲେ ପୁତ୍ରରତନ,

ବାଞ୍ଛିତ ପ୍ରଦାନି            ତୋଷନ୍ତି ତା ମନ

ପ୍ରଦର୍ଶାଇ ପ୍ରଲୋଭନ ।

 

ପିତାମାତାଙ୍କର             ପ୍ରଶ୍ରୟ ପାଇ ସେ

ହେଲାକ ଉଦ୍ଧତ ଅତି,

ଆହୁତି ପାଇଲେ             କ୍ଷୀଣ ଅଗ୍ନିଶିଖା

ନ କରେ କି ଉରଧ୍ବେ ଗତି ।

 

ସ୍ୱଭାବ କଣ୍ଡୁଳ            ଯାଦୁ ରୋଗ, ତହିଁ

ଦଇବେ ପଡ଼ିଲେ ହାତ,

କାହିଁ ଅଛି ରକ୍ଷା             ଶାନ୍ତ ନୁହେଁ କଣ୍ଡୁ

କରି ସୁଦ୍ଧା ରକ୍ତପାତ ।

 

ରସିକମଣିର            ଷୋଳଘଡ଼ିକି ତ

ହେଲା ଷୋଳବେଶ ଲୋଡ଼ା,

ଯୋଗାଇଲେ ତାହା       ଜନକଜନନୀ

ତାଙ୍କରି କପାଳ ପୋଡ଼ା ।

 

ଲଗାଇଲା ହଟ            ତାହା ନାମେ ଲେଖି

ଦେବାକୁ ସର୍ବ ସମ୍ପତ୍ତି,

ପ୍ରତିପାଳିଲେ ତା            ସେ ବୃଦ୍ଧ ଦମ୍ପତି

ନ କରି ତିଳେ ଆପତ୍ତି ।

 

ଯଉବନ ଖୋଜେ            ପ୍ରାଧାନ୍ୟ, ସମ୍ପଦ,

ବିାଳାସିତା, ଅଧିକାର,

ପାଇଲେ ସେ ସର୍ବ            ଅବହେଳେ ଅହୋ

କାହିଁଛି ଆଉ ନିସ୍ତାର ।

 

ରସିକଶେଖର            ଗ୍ରାମ୍ୟ - ଲୀଳାରସେ

ଢାଳିଦେଲା ପ୍ରାଣ ମନ,

ବଢ଼ାଇ ଦେଲା ସେ            ଅମଳର ମାତ୍ରା

ବ୍ୟୟ କଲା ବହୁ ଧନ ।

 

ଅତି ବ୍ୟୟେ ଗଲା            ସବୁଧନ ସରି

ନ ଛାଡ଼ିଲା ନିଶା-ଉସା,

କେତେ ଦିନ ଆଉ            ରହିବ ଲାଗିଲେ

ଧାନ କଉଡ଼ିରେ ମୂଷା ।

 

ଘରଡ଼ିହ ସହ             ବିକିଦେଇ ଘର

ଶେଷରେ ଗଲା ପଳାଇ,

ପିତାମାତାଙ୍କର            ସାଧ୍ୟ ସାଧନାରେ

ପଛକୁ ଥରେ ନ ଚାହିଁ ।

 

କା ଆଗେ ଗୁହାରି            କରିବେ ସେ ବେନି

ଅକୃତଜ୍ଞ ପୁତ୍ର କଥା,

କପାଳକୁ ଠୁଙ୍କି            ସହିଲେ ହୃଦୟେ

ନିରାଶା-ନିର୍ବାଣୀ-ବ୍ୟଥା ।

 

ଗୃହଶୂନ୍ୟ ପୁଣି            ଧନଶୂନ୍ୟ ହୋଇ

ଦୁଃଖେ ବୃଦ୍ଧବୃଦ୍ଧାଦ୍ଵୟ,

ଅନାଥ ହୋଇଣ            ପଡ଼ିଶା ଗୁହାଳେ

ଘେନିଲେ ମାଗି ଆଶ୍ରୟ ।

 

ଦୁର୍ବାର ଶୋକର            ଦାରୁଣ ଆଘାତେ

ଭାଙ୍ଗିଗଲା ତାଙ୍କ ଅଣ୍ଟା,

ଆଶା-ସୁଖ-ସ୍ୱପ୍ନ            ତୁଟିଯାନ୍ତେ ବେନି

ଝରି ଝୁରି ହେଲେ କଣ୍ଟା ।

 

ଭିକ୍ଷା ମାଗି ଦଗ୍ଧ            ଉଦରେ ତୋଷିଲେ

କ୍ଷଣେ ପ୍ରାଣେ ଶାନ୍ତି ନାହିଁ,

ଭବିଷ୍ୟ ଅଜ୍ଞାତ            ମୃତ୍ୟୁ ଦିବସକୁ

ରହିଲେ ଉଦ୍ଗ୍ରୀବ ଚାହିଁ ।

 

ଧିକ୍ରେ ସଂସାର,             ଅତିଥି ନ ସେବି

ଖାଉ ନ ଥିଲେ ଯେ ଭାତ,

ତୋହରି ପ୍ରଭାବେ            ପରଦୁଆରେ ସେ

ବିନୟେ ପାତିଲେ ହାତ ।

 

କି ଅସାଧ୍ୟ ତୋର,             ଦୂବେ କରୁ ଦାରୁ

ଦାରୁକୁ ଆବର ଦୁବ,

କାହା ଭାଗ୍ୟେ ବିହୁ            ଗଙ୍ଗାସ୍ନାନ, କାହା

ଭାଗ୍ୟେ ଚର୍ମନାସା ଡ଼ୁବ ।

 

କିଛି ଦିନାନ୍ତରେ            ମହାମାରୀ ଉଭେ

ଘେନିଗଲା ଭବପାରେ,

କାହା ଲାଗି କେହି            ଶୋକ କରିବାକୁ

ରହିଲା ନାହିଁ ସଂସାରେ ।

 

ଚିରଦିନ ପାଇ            କରିଦେଲା ମୃତ୍ୟୁ

ଦୁଃଖ ଦାରିଦ୍ର୍ୟରୁ ତ୍ରାହି,

ନିଭାଇଲା ପ୍ରାଣେ            ଢାଳି ଶାନ୍ତି - ସୁଧା

ଯାତନା - ଅନଳ ଡ଼ାହି ।

 

ମୃତ୍ୟୁ ବିପନ୍ନର            ବନ୍ଧୁ, ଅଦ୍ୱିତୀୟ

ପ୍ରାଣୀ ହିତକାରୀପଣେ,

ବିନା ପ୍ରାର୍ଥନାରେ            ସକଳ ଚିନ୍ତାରୁ

ମୁକ୍ତ କରିଦିଏ ଜନେ ।

 

ଏଣେ ରହି ହରି             ଆଖଡ଼ାଶାଳାରେ

କରିଣ ବ୍ୟୟ ଅମିତ,

ସ୍ୱଳ୍ପଦିନ ମଧ୍ୟେ            ହେଲା ସେ କୃତଘ୍ନ

ଅଗ୍ରୀବ ଋଣେ ମଜ୍ଜିତ ।

 

ତଥାପି ତାହାର            ନାହିଁ ଭ୍ରୂନିକ୍ଷେପ

ନାହିଁ ତିଳେମାତ୍ର ଭୟ,

ମିଥ୍ୟା ସାକ୍ଷ ଦେଇ             ପୋଷିଲା ଉଦର

ବଚନ କରି ବିକ୍ରୟ ।

 

ପରେ ତୋରି ବିଦ୍ୟା      ଆଶ୍ରାକରି ମୂଢ଼

ବନ୍ଦୀ ହେଲା କାରାଗାରେ,

ଆତ୍ମକୃତ ପାପ            ଭୁଲିଯାଇ ଦୁଷ୍ଟ

ଅଦୁଷ୍ଟେ ବୃଥା ଧିକାରେ ।

 

ନିଶା ଅଭାବରେ             ହୋଇଣ ବିବିଧ

ଜଟିଳ ରୋଗେ ଆଚ୍ଛନ୍ନ,

ଭୁଞ୍ଜି ବହୁକ୍ଳେଶ            କଲା ହତଭାଗ୍ୟେ

ଜୀବ ଯଦି ଉଦ୍ଯାପନ ।

 

ଲଭିଲା ପାମର             ଆତ୍ମକରଣୀର

ଅବ୍ୟର୍ଥ ଅଭିସମ୍ପାତ,

ଅକାଳେ ନିର୍ବୋଧ            ପୋତି ହେଲା ହାୟ

ନିଜ ହାତେ ଖୋଳି ଗାତ ।

 

ଦ୍ୱିତୀୟ ଚିତ୍ର

ସାରସ୍ୱତ ପୁରେ            ସାରସ୍ୱତ ବ୍ରତୀ

ବିଶୁମ୍ଭର ନାମେ ଦ୍ୱିଜ -

ନିବସନ୍ତି, ତାଙ୍କ             ରୂପେ ପରାଜିତ

ରୁପରାଜ ମନସିକ ।

ବହୁ ଶୁଭଗୁଣେ            ଥିଲା ଅଳଙ୍କୃତ

ସେ ସୌମ୍ୟରୂପ ସର୍ବଥା,

ସୁକବି କବିତା-            ଯୋଗେ ଅଳଙ୍କୃତା

ମାତୃଭାଷା ଅଙ୍ଗ ଯଥା ।

ଏକାଧାରେ ଦ୍ୱିଜ            କବି ସୁପଣ୍ଡିତ

ବିପୁଳ ପ୍ରତିଭାବନ୍ତ,

ସର୍ବଦକ୍ଷ, କାବ୍ୟ            ବ୍ୟାକରଣଠାରୁ

ବେଦ ବେଦାନ୍ତ ପର୍ଯ୍ୟନ୍ତ ।

କାମନାବିହୀନ            ବାଣୀପୂଜାରତ

କଳ୍ପନାରେ ଚିତ୍ତ ଶୋଧି,

ନୀରବ ସାଧକ            ଆତ୍ମପ୍ରକାଶର

ସ୍ୱଭାବେ ଚିର ବିରୋଧୀ ।

 

ରହୁ ପଛେ ଗୁଣୀ            ଯେତେ ପ୍ରଚ୍ଛନ୍ନରେ

ମାତ୍ର ସେ ଲୁଚିବ ନାହିଁ,

ଦିନେ ତାକୁ ଗୁଣ-            ପୁରସ୍କାରଦାତ୍ରୀ-

ପ୍ରକୃତି ଦେବ ଦେଖାଇ ।

 

ପ୍ରତିଷ୍ଠାକୁ ଯେହୁ            ନ ଲୋଡ଼େ, ପ୍ରତିଷ୍ଠା

ବିନା ପଣେ ତାହା ଦାସୀ,

ସ୍ୱାର୍ଥସେବୀ ସିନା            ପ୍ରତିଷ୍ଠାପ୍ରୟାସୀ-

ପ୍ରତିଷ୍ଠା - କେଦାର ଚାଷୀ ।

 

କଳ୍ପନା-କୋଳରୁ            ନ ଓହ୍ଲାନ୍ତି ଦ୍ୱିଜ

ଶୋଷନ୍ତି ସ୍ତନୁ ଅମୃତ,

ବାତେ ପୁଷ୍ପଗନ୍ଧ             ପ୍ରାୟ ଖ୍ୟାତି ତାଙ୍କ

ଚୌଦିଗେ ହେଲା ବିସ୍ତୃତ ।

 

ବିଦ୍ୟା - ବିଚକ୍ଷଣ            ହେତୁ ଲଭିଥିଲେ

ବିଦ୍ୟାବିଶାରଦ ଆଖ୍ୟା,

ତୁଷ୍ଟ ହେଉଥିଲେ            ପଣ୍ଡିତମଣ୍ଡଳୀ

ଶୁଣି ତାଙ୍କ ଶାସ୍ତ୍ର ବ୍ୟାଖ୍ୟା ।

 

ତାଙ୍କ ଯୋଗୁ ତାଙ୍କ-            ଗୃହ ବାଣୀତୀଥେ

ହୋଇଥିଲା ପରିଣତ,

ବାଣୀ-ଭକ୍ତଗଣ            ଗୁରୁ ପ୍ରାୟ ତାଙ୍କୁ

ଆରାଧୁଥାନ୍ତି ସତତ ।

 

ପରିମିତ ଭବେ            ମାନବ ଜୀବନ

ମାନବ ଶକ୍ତି ଆବର,

ମାତ୍ର ତା କର୍ତ୍ତବ୍ୟ             ଅସୀମ, ଏ ତତ୍ତ୍ଵ

ଜ୍ଞାତ ସେ ଭୂସୁରବର ।

 

ତାରକ ମନ୍ତର            ପରାୟେ ଜପନ୍ତି

ସଦା ମାତୃମହୀ ନାମ,

ପ୍ରାଣେ ପ୍ରାଣେ ଦେଶ-      ସେବାକୁ ମଣନ୍ତି

ପୁଣ୍ୟାମୃତ ସ୍ୱର୍ଗଧାମ ।

 

ଦେଶପ୍ରୀତି ପୁତ-            ଜାହ୍ନବୀ ପ୍ରବାହେ

ପଡ଼ିଥିଲେ ଦ୍ୱିଜ ଢ଼ଳି,

ସର୍ବୋନ୍ନତି ମୂଳ            ମାତୃଭାଷା - ପୀଠେ

ଅର୍ପିଥିଲେ ଆତ୍ମବଳି

 

ଜାତୀୟ ସାହିତ୍ୟ            ଜାତି ମେରୁଦଣ୍ଡ

ଜାତୀୟ ଶକ୍ତି ସମ୍ବଳ,

ଜାତୀୟ ଜାଗ୍ରତ-            ଜୀବନ ଆଣେ ସେ

ମୃତପ୍ରାଣେ ନବବତ ।

 

ଜାତୀୟ ସାହିତ୍ୟ            ସୃଷୁପ୍ତ ପ୍ରାଣର

ହାସ୍ୟ ଦୀପ୍ତିମୟୀ ଉଷା,

କ୍ରମେ କ୍ରମେ ହୃଦେ            କରିଆଣେ ଉଦେ

ଉନ୍ନତି - ପ୍ରଚଣ୍ଡ ପୁଷା ।

 

ସାହିତ୍ୟ ମହିମା            ଅସୀମ, ତା ସମ

ହିତାକାରୀ ବନ୍ଧୁ ନାହିଁ,

ଭାଷା ଆଶା ବେନି            ଜଗତକୁ ସିନା

ଅଛନ୍ତି ଗଦେ ଖଟାଇ ।

 

ବିଦ୍ୟାରେ ଦିଗୃଳ             ହେଲେ କିସ ହେବ

ନ ଥିଲେ ସେ ଧନବାନ,

ସର୍ବଗୁଣାଧାର             ନିର୍ଦ୍ଧନ ସକାଶେ

କାହିଛି ସମାଜେ ସ୍ଥାନ ।

 

ଥାଉ ଆନ, ହେଲେ       ଅର୍ଥହୀନ ନିଜ

ପରିବାରେ ଅନାଦୃତ,

ନିର୍ଦ୍ଧନ ମାନବ             ଜୀନବରେ ହାସ

ଥାଇ ସୁଦ୍ଧା ଜୀବନ୍ମୃତ ।

 

ବାଣୀସୁତ ପକ୍ଷେ             ଅପ୍ରବେଶ୍ୟ ସିନା

ପ୍ରାକୃତ ଧନ ଭବନ,

ଅବାରିକ ଦ୍ୱାର             ସେ ଘର ଯହିଁରେ

ସଞ୍ଚିତ ନିସର୍ଗ ଧନ ।

 

ପଣ୍ତିତଙ୍କ ପ୍ରତି            ନାହିଁ ଏ କାଳରେ

ପୂର୍ବପରି ଆନୁକୁଲ୍ୟ,

ଚତୁଷ୍ପାଠୀ-ହାଟେ             ଦଶମୁଦ୍ରା ଏବେ

ପଣ୍ତିତଙ୍କ ଭାଗ୍ୟମୂଲ୍ୟ ।

 

ଯେ ଦିନୁ ଘଟିଲା             ବିଶ୍ୱଭାଷା- ମାତା

ସଂସ୍କୃତର ଅବନତି,

ସେଦିନୁ ନିଭିଲା             ପଣ୍ତିତକୁଳର

ଗୌରବର ଘୃତବତୀ ।

 

ଗୋଡ଼ାଉଣ ଥିଲା             ଯା ପଛେ ଉନ୍ନତି

ସୂର୍ଯ୍ୟ ପଛେ ଯଥା ଦିନ,

ଏକାଳେ ସେ ଦେଶ       ଅଭୀବ ନଗଣ୍ୟ

ଉପହସିକ ଶ୍ରୀହୀନ ।

 

ଆଦି ମାତୃଭାଷା             ପୂଜା ବର୍ଜି ଆର୍ଯ୍ୟେ

କିଣିଲେ ତା ଅଭିଶାପ,

ବୁଡ଼ିଲେ ଅଜ୍ଞାନେ             ହୁଡିଲେ ସ୍ୱଧର୍ମ

ଜାତୀୟ କ୍ରିୟାକଳାଶ ।

 

ବ୍ୟବହାର୍ଯ୍ୟ ଭାଷା-       ଚାଜ୍ୟେ ଯଶି ସୁଦ୍ଧା

ବହୁବିଧ ଆବର୍ଜନା,

କରିଅଛି ଏକ            କିମାକାର ମିଶ୍ର

ଅଦ୍ଭୁତ ଭାଷା ସର୍ଜନା ।

 

ଖାଣ୍ଟି ଭାଷା- ସ୍ୱର୍ଣ୍ଣେ             ମିଶି ଯାଉଅଛି

କ୍ରମେ ରାଶି ରାଶି ଖାଦ,

ବିଶୁଦ୍ଧ ଗୋକ୍ଷୀରେ             ମିଶାଇଲେ ନୀର

ନଷ୍ଟ ହୁଏ ସିନା ସ୍ୱାଦ ।

 

ନୂତନ ଯୁଗର             ନୂତନତା ଦିଏ

ପୁରାତନ ବେକ ମୋଡ଼ି,

ନୂତନତ୍ୱ ମୋହେ             ଅଭକ୍ଷେ ନିଜର

ନିଜସ୍ୱ ଯାଉଛି ପୋଡି ।

 

ଖଞ୍ଜା ହେଉଅଛି            ଜନନୀ ଶ୍ରୀଅଙ୍ଗେ

ଅଳଙ୍କାର ଲକ୍ଷ ଲକ୍ଷ,

ଅଳଙ୍କାର ଭାରେ             କି ଯନ୍ତ୍ରଣା ତାର

ସେ ଆଡ଼କୁ ନାହିଁ ଲକ୍ଷ୍ୟ ।

 

ସ୍ୱଭାବ ସୁନ୍ଦର            ଅଙ୍ଗ ବଳି ତୁଚ୍ଛ

ଅଳଙ୍କାରର ମହିମା,

ଢାଙ୍କିଦିଏ ସିନା            ଅଳଙ୍କାରରାଶି

ସୁନ୍ଦରର ସୁନ୍ଦରିମା ।

 

ପୈତୃକ ସାମାନ୍ୟ            ଭୂସମ୍ପତ୍ତି ପରେ

ନିର୍ଭରି ଜୀବନ ଦ୍ୱିଜ,

ସୁଖ ଦୁଃଖ ସହି            ଚଳାଉଣଥିଲେ

ସନ୍ତୋଷେ ପ୍ରାଣ- ବଣିଜ ।

 

ଶାନ୍ତିରେ ଜୀବନ            ଯାପିବାକୁ ଇଚ୍ଛା

କଲେହେଁ ନ ମିଳେ ଶାନ୍ତି,

ବିବିଧ ଜଞ୍ଜାଳେ             କରେ ବିଜଡିତ

ପ୍ରକୃତ ମୋହନ ଭ୍ରାନ୍ତି ।

 

ଉଗ୍ରତାରା ନାମେ             ତାହାଙ୍କ ଗୃହିଣୀ

ସୁଷମା-ଉଦ୍ୟାନ ଫୁଲ,

ସୁନ୍ଦରୀ- ସୃଷ୍ଟିରେ             ଅନୁପମା ବାଳା

ନିଜେ ନିଜ ସମତୁଲ ।

 

ବୋଲନ୍ତି ସକଳେ             ଗୋଟିଏ ଚାଉଳେ

ରଚିଛି ତାକୁ ବିରଞ୍ଚି,

ସୁନ୍ଦରୀ- ସାମ୍ରାଜ୍ୟ            ରାଣୀ ବାଳାମଣି

ଅପ୍ସରା ସ୍ୱର୍ଗର ଶତୀ ।

 

ଗୁଣାଭାବେ ମାତ୍ର             ସେ ରୁପ ସମ୍ୟକ

ଦିଶେ ନାହିଁ ଉଜ୍ଜ୍ୱଳାଭ,

ଝଳି ନ ଲଗାଇ             ପ୍ରତିମା ଶରୀରେ

ଖାଲି ରଙ୍ଗେ କେଉଁ ଲାଭ ।

 

ଉଦୁଣ୍ତୀ- ମୁକୁଟ -            ଭୁଷା ଭଗ୍ରତାରା

ଗାଳି କଳହରେ ପଟୁ,

ରୁପଟି ମଧୁର             ମାତ୍ର ରସନାଟି

ହଳାହଳୁ ବଳି କଟୁ ।

 

ଶିକ୍ଷିତ ଭାଗ୍ୟରେ             ଅଶିକ୍ଷିତା ପତ୍ନୀ

ଅଦୃଷ୍ଟର ହଟହଟା,

ଅଥବା ବିଧିର            ପରିହାସ ବିଧି

ଅନ୍ତର୍ଦାହୀ ମର୍ମଫଟା ।

 

ବିରୁଦ୍ଧ ପ୍ରକୃତି            ହେତୁ ସେ ଦମ୍ପତି-

ମତି ସଦା ଅପ୍ରସନ୍ନ,

ମିଶୁଥିଲ ନାହିଁ             ପରସ୍ପର ପ୍ରାଣ

ସଲିଳେ ତୈଜ ଯେସନ ।

 

ବିଶ୍ୱମ୍ବର ଭାଗ୍ୟେ             କି ପାପେ ଏ ଶାସ୍ତି

ବିହିଲେ ବିଶ୍ୱକରତା,

କେଉଁ ଦୃଷ୍ପୃତିରୁ             ସରଳ ରସାଳେ

ଛନ୍ଦିଲା କଣ୍ଟକୀ ଲତା ।

 

ଅନକରୁପିଣୀ             ବିଜୁଳି ଭାଗ୍ୟରେ

ବଜଗର୍ଭ ବଳାହକ,

ଏ ସଂଯୋଗ ସିନା             ଉପଯୁକ୍ତ ନୀତି

ଏହାହିଁ ରାଜଯୋଟକ ।

 

କେଡ଼େ ପ୍ରାଣସ୍ପର୍ଶୀ             କେଡ଼େ ମଧୁମୟ

ମିଳନ ବେନି ସୁପାତ୍ରେ,

ଏ କଲ୍ୟାଣ ବିଧି             ନାହିଁ କି ନିବଦ୍ଧ

ବିଧାତା ବିଧାନ - ଶାସ୍ତ୍ରେ ।

 

କିପାଇଁ ବିଧାତା            ସୁପାତ୍ରେ ଅପାତ୍ରୀ

ଖଞ୍ଜି ବା ସାଧନ୍ତି ଦାଉ,

କୋକିଳ ସହିତ             ମିଶାଇଲେ ଆଣି

ମିଶିବ କି ଦୁଷ୍ଟ କାଉ ।

 

ଅସଙ୍ଗତ ଏହି             ସଂଯୋଗ ଦୋଷରୁ

ଉଡ଼ୁଛି ଅଶାନ୍ତି- ଧୁଳି,

ଦୃଢ଼ତର ପୁଣ୍ୟ             ବିବାହ ବନ୍ଧନ

ଯାଉଛି କ୍ରମେ ହୁଗୁଳି ।

 

ଚୁନା ହେଉଅଛି             ଏହି ଦୋଷେ ସିନା

କେତେ କେତେ ସୁନାଘର,

କେତେ ଲୋକଙ୍କର       ଦାମ୍ପତ୍ୟ ଜୀବନ

ହେଉଛି ବ୍ୟର୍ଥ ଆବର ।

 

କେତେ ଗୃହ-ସ୍ୱର୍ଗ             ଭୈରବ ରୌରବେ

ହେଉଅଛି ପରିଣତ,

ଅଭାଗ୍ୟ କୋଷ୍ଠିରେ       ପଞ୍ଚମ ଶନି ସେ

ଅଶୁଭ ଅର୍ପେ ନିୟତ ।

 

କେବେ ହେବେ ହାୟ       ନାରୀଏ ଶିକ୍ଷିତା

ତୁଟିଯିବ ଉପସର୍ଗ,

ଯେବେ ହେବେ, ତେବେ       ହେବ ଯୋଗ୍ୟମେଳ

ଧରା ହେବ ତେବେ ସ୍ୱର୍ଗ ।

 

ଯେ ଦେଶ ବିଦୁଷୀ-       ସୀତାସାବିତ୍ରୀଙ୍କି

କରେ ଭକ୍ତି ଆରାଧନା,

କି ଆଶ୍ଚର୍ଯ୍ୟ ଆହୋ !       ସେ ଦେଶେ କି ପାପେ

ଏବେ ନାରୀଶିକ୍ଷା ମନା ।

 

ତୋଳିବେ ନାରୀଏ            ସୀତାସାବିତ୍ରୀଙ୍କ

ପରି ଯେବେ ଯଶ-ଦୁର୍ଗ,

ବାହୁଡ଼ି ଆସିବ             ତେବେ ଏ ଭାରତେ

ସୀତାସାବିତ୍ରୀଙ୍କ ଯୁଗ ।

 

ନାରୀଶିକ୍ଷା ପ୍ରତି             ରହିବି ସମାଜ

ଯେତେ କାଳ ଉଦାସୀନ,

ତେତେ କାଳଯାଏଁ             ଥିବ ସେ ଦୁର୍ବଳ

ହୋଇ ବାମହସ୍ତହୀନ ।

 

ବାମପାଦହୀନ            ବାମବର୍ଣ୍ଣହୀନ

ବାମଚକ୍ଷୁହୀନ ହୋଇ,

ତେତେ କାଳ ଥିବ             ନିଶ୍ଚେତ ନିଷ୍ପନ୍ଦ

ଦୁର୍ଗତି- ଶେଯରେ ଶୋଇ ।

 

ଅସାଢ଼ ସମାଜ            ଦେଖି ଦେଖୁ ନାହିଁ

ଘୋର ଅବନତି ଯୁଦ୍ଧ,

କି କରିବ ସେ ତ             ବିରାଡ଼ି ପରାୟେ

ଆଖି ବୁଜି ପିଏ ଦୁଧ ।

 

ପୂଜ୍ୟ ତିରସ୍କାରେ             ପ୍ରତିଭାଷା ନାହିଁ

ଯେ ଦେଶ ନାରୀଙ୍କ ତୁଣ୍ତେ,

ଟେକନ୍ତି ତାଙ୍କର             ବଂଶଧାରିଣାଏ

ଖଣ୍ତା ଏବେ ପୂଜ୍ୟ ମୁଣ୍ତେ ।

 

ଗୁରୁଜନଙ୍କର             ଆଜ୍ଞାବହା ଆହା

ଥିଲେ ଯେହୁ ଅହରହ,

ଇଛନ୍ତି ସେ ନାରୀ            କରିବାକୁ ଏବେ

ଗୁରୁଜନେ ଆଜ୍ଞାବହ ।

 

ଫୁଟୁଥିଲା ଯେଉଁ             ସରେ ସୁରଭିତ

କମଳ ଫୁଲମଉଳି,

ସେହି ସରେ ଏବେ       ଫୁଟୁଅଛି ହାୟ

ନିର୍ଗନ୍ଧ ପାଣିଶିଉଳି ।

 

ବିଦ୍ୟା ଉପାର୍ଜନେ             ନାରୀ ପୁରୁଷଙ୍କ

ଅଛି ସମ ଅଧିକାର,

ନ ପାଳେ ଏ ସତ୍ୟ            ଯେ ସମାଜ, ତାକୁ

ଦୂରୁ କୋଟି ନମସ୍କାର ।

 

ବାଧା ଦେଇ ନାରୀ-       ଶିକ୍ଷାରେ ସମାଜ

ଆମନ୍ତ୍ରି ଆଣି ଆଶିବ,

ଘୋର ଅଜ୍ଞତାର             ପରିଚୟ ଦିଏ

ନିଜେ କାଟି ନିଜ ଜିଭ ।


ଅଳଙ୍କାର ପାଇଁ             ଉଗ୍ରତାରା ସଦା

କରେ ପତି କବି ଅଳି,

ଇଚ୍ଛା ପ୍ରତିକୂଳେ             ଗତି କଲେ ପତି

ଗାଳି ସଙ୍ଗେ କରେ କଳି ।

 

ଯାହାର ଯା ଦେଖେ       ବିକାସ ସାମଗ୍ରୀ

ବଳାଏ ତହିଁକି ମନ,

ମାତ୍ର ପାଏ ବାଧା            ମନୋରଥ ପଥେ

ହାତେ ନାହିଁ ଯେଣୁ ଧନ ।

 

ପ୍ରତି ନିଃଶ୍ୱାସରେ             କରୁଥାଏ ବାମା

ଅଭାବର ଅନୁଭୂତି,

ଯେତିକି ଅଭାବ             ମଣେ ସେ, ତେତିକି

ଅଭାବ ଲଭେ ବିସ୍ତୃତି ।

 

ଦୁଷ୍ଟ ସୁପ୍ତ ଶିଶୁ             ସଙ୍କାଶ ଅଭାବ

ତାହାକୁ ଦେଲେ ଚେତାଇ,

ଲଗାଏ ଜଞ୍ଜାଳ,            ଅଗ୍ନିଚୂର୍ଣ୍ଣେ ଅଗ୍ନି *

ଲଗାଇଲେ ରକ୍ଷା କାହିଁ ।

* ଅଗ୍ନିଗୁଣ୍ଟି- ବାରୁଦ ।

 

ଐକପକ୍ଷ ଯୁଦ୍ଧେ             ତର୍ଜନ ଗର୍ଜନ-

ଅସ୍ତ୍ର ଆଚ୍ଛାଦେ ଆଗାର,

ମୌନ ଅସ୍ତ୍ରେ ଦ୍ୱଜ            କରନ୍ତି ସତତ

ସେ ଅସ୍ତ୍ର ପ୍ରତିସଂହାର ।

 

ଅଧିକ ଅସହ୍ୟ             କର୍ଣ୍ଣଦାହୀ ହେଲେ

ଅବଳାର ବାଣୀ-ବାଣ,

ହତାଶ-ନିଃଶ୍ୱାସ            ଛାଡି ଦ୍ୱିଜମଣି

ତେଜନ୍ତି ଖରେ ସେ ସ୍ଥାନ ।

 

ବାହାରେ ଶୀତଳ             ଥାନ୍ତି ବିଶ୍ୱମ୍ଭର

ଗୃହେ ଗଲେ କଦାଚନ,

ନିସ୍ତବ୍ଧତା-ସିନ୍ଧୁ            ମନ୍ଥି ଜାଗି ଉଠେ

ରମଣୀକଷ୍ଠ ଗର୍ଜନ ।

 

ଗୃହ ଭିତରକୁ             ପଶିବାକୁ ଭୟେ

ଥରିଯାଏ ତାଙ୍କ ଅଙ୍ଗ,

ବାଘୁଣୀ ଗୁମ୍ଫାରେ             ପଶିବାକୁ ଯେହ୍ନେ

ଆଶଙ୍କା କରେ କୁରଙ୍ଗ ।

 

ନିଭୃତେ ଭାବନ୍ତି             ମହତ୍ତ୍ୱ ସମ୍ଭାଳି

କଥା ଏ ତ କହୁ ନାହିଁ,

ଏହାଲାଗି ଲାଜେ             ସମାଜରେ ମୁଖ

ପାରୁ ନାହିଁ ମୁଁ ଦେଖାଇ ।

 

ଅନୁଶୋଚନାରେ             କି ଫଳ, କି ଫଳ

ବିଫଳ ସେ ସ୍ମୃତି ଧରି,

ନିଜ ଭାଗ୍ୟଭିତ୍ତି             ନିଜ ହାତେ ମୁହିଁ

ଦେଇଛି ତ ଚୂର୍ଣ୍ଣ କରି ।

 

ବର୍ତ୍ତମାନ ନଷ୍ଟ,             ଭାବୀ ଅନିଶ୍ଚିତ-

ସଙ୍କେତେ ହେବି ଚାଳିତ,

କିଏ ବା ଶୁଣିବ             ଜୀବନର ଗୁପ୍ତ

କରୁଣ- କଷଣ- ଗୀତ ।

 

ହୋଇଥିଲେ ଚିର-             କୁମାର, ନୋହି ମୁଁ

ବିବାହ- ବନ୍ଧନେ ବନ୍ଧା,

ଆଶ୍ରିଥାନ୍ତି ଶାନ୍ତି-             ତ୍ରିବିବର ପୁଣ୍ୟ-

ପୀୟୁଷା ଅଳକାନନ୍ଦା ।

 

ଭ୍ରାନ୍ତିମୋହେ ପଡ଼ି             ନର- ଜୀବନର

ମୂଳମନ୍ତ୍ର ଗଲି ହୁଡ଼ି

ଲାଳସା- ସାଗର-             ଭୀମ ଭଉଁରୀରେ

ଘୂରି ଘୂରି ଗଲି ବୁଡ଼ି ।

 

କେଉଁ ପାପେ ବିହି             ବିହିଲେ ମୋ ଭାଗ୍ୟେ

ଏଡ଼େ ଅକଲ୍ୟାଣ ପୁଣି,

ତାଙ୍କୁ ଜଣା କିପାଁ             ଛନ୍ଦିଲେ ଚନ୍ଦନେ

ଉଫ୍ତଣା କାଳ ନାଗୁଣୀ ।

 

ଦରିଦ୍ରର ବିତ୍ତ             ପତ୍ନୀପ୍ରୀତି ସିନା

ପତ୍ନୀହିଁ ବିପଦେ ମନ୍ତ୍ରୀ,

ମାତ୍ର ଏ ମୁଖରା             କଳଙ୍କପସରା

ହେଲା ମୋ ଜୀବନହନ୍ତ୍ରୀ ।

 

ତାହା ଭଳି ପତ୍ନୀ             ମୋ ଭାଗ୍ୟେ, ମୋ ଭଳି-

ହୀନପତି ଭାଗ୍ୟେ ତାର,

କେଉଁ ପୁଣ୍ୟ ଫଳେ       ବିହିଥିଲେ ବିହି

ଏ ଦାରୁଣ ପୁରସ୍କାର ।

 

ଭାବିପାରୁ ନାହି             ଉଗ୍ରତାରା ଭାଗ୍ୟେ

କି ହେବ ଅନ୍ତିମ ଗତି,

ଶତ ଉପଦେଶ             ଶତ ଶାସ୍ତ୍ରବାଣୀ

ପଣ୍ତତା ଭଜେ ତା କତି ।

 

ସହସ୍ର କର୍ଷଣେ             ସୈକଳିନୀ ବେଳା

ହେବ କି ଉର୍ବରଶୀଳା,

ନ ହୁଏ କୋମଳ             ସଲିଳ ସିଞ୍ଚନେ

ସ୍ୱଭାବ- କଠିନ ଶିଳା ।

 

ଭୁଆସୁଣୀ ହୋଇ             ସ୍ୱାଧୀନା ପରାଏ

ବୁଲିବ ହୋଇ ଅବାଧ୍ୟ,

କହିଲେ ଏ କଥା             ବସିବ ସେ ବାଢ଼ି

ସପ୍ତପୁରୁଷଙ୍କ ଶ୍ରାଦ୍ଧ ।

 

ସବୁ ବିକି ଭାଙ୍ଗି             ପାପୀୟସୀ ଜୂର

କଲା ମୋ ଘରକରଣା,

ଏ ଉଭାରେ ଆଉ             ଅଛି କି ଦୁର୍ଗତି

ଭବିତବ୍ୟକୁ ତା ଜଣା ।

 

ଦୁଇଦିନ ଲାଗି             ଆସି ଭବେ ମୁର୍ଖା

ବାନ୍ଧୁଛି କେଡ଼େ ଭରସା,

କୁବେର ସମ୍ପତ୍ତି             ଲଭି ନ ମେଣ୍ଟିବ

ଦୁର୍ନିର୍ବାର ଦୁର୍ଲାକାସା ।

 

ଦୁଇଦିନ ଯାର             ଅସ୍ତିତ୍ୱ ସେ କିପାଁ

ଦିଏ ଅପରକୁ ପୀଡ଼ା,

ଶେଷ ଶଯ୍ୟା ଯାର            ଅନଳ- କୋମଳ-

ଶେଯେ କିପାଁ ତାର କ୍ରୀଡ଼ା ।

 

ରକ୍ତମାଂସେ ଗଢ଼ା             ଦେହ ହୋଇଯିବ

ଦ୍ୱିଦିନେ ପଚି ବିକୃତ,

କି ଭ୍ରାନ୍ତ ମାନବ,             ଇଚ୍ଛେ ତାକୁ ରତ୍ନେ

କରିବାକୁ ଅଳଙ୍କୃତ ।

 

ସୁବର୍ଣ୍ଣ, ରକତ,             ମଣି, ମୁକ୍ତା ମାଟି

ମାନବ ଶରୀର- ମାଟି,

ମାଟିକୁ ମାଟିରେ             ବିମଣ୍ତିଲେ ତହିଁ

କେଉଁ ଶୋଭା ପରିପାଟୀ ।

 

ଧନ୍ୟ ଏ ସଂସାର             ଧନ୍ୟ ତାର ମୋହ

କରିଦିଏ ବୁଦ୍ଧି ବଣା,

ଧୂଳି ମାଟି ପାଇଁ             ଲାଗିଅଛି କେତେ

ଦ୍ୱେଷ ହିଂସା କଟା ହଣା ।

 

ଜନ୍ମଲାଭ କ୍ଷଣି             ଧାଇଁଛି ମାନବ

ମୃତ୍ୟୁମୁଖେ ହୋଇ ଭୋଳ,

ଶ୍ମଶାନ- ପଥରେ            ଚାଲୁଁ ଚାଲୁଁ କିପାଁ

ପଥ ମଧ୍ୟେ ଏଡ଼େ ଗୋଳ ।

 

ପରିଣାମେ ଯାକୁ             ମିଶିବାକୁ ହେବ

ମାଟିରେ ଅବଶ୍ୟ ଦିନେ,

ଭବ- ହାଟେ କିପା             ଏତେ ଅଭିମାନ

ମାତ୍ସର୍ଯ୍ୟ-ପାପ ସେ କିଣେ ।

 

ମରିବା ସକାଶେ             ଆସିଅଛି ଯେହୁ

ମୂର୍ତ୍ତି ଧରି ଏ ସଂସାରେ,

କି ଆଶ୍ଚର୍ଯ୍ୟ ସେହୁ             ମୃତ୍ୟୁକୁ ଭୁଲିଛି

କେଉଁ ବ୍ୟର୍ଥ ଦୁରାଶାରେ ।

 

ସତୀ ରମଣୀଏ             ନ ବହନ୍ତି ଦେହେ

ପାର୍ଥିବ ଭୂଷଣ ଭାର,

ଶାନ୍ତି ପ୍ରୀତି ମୈତ୍ରୀ             ଦୟାକୁ ମଣନ୍ତି

ଅପାର୍ଥିକ ଅଳଙ୍କାର ।

 

ସତୀ ଅଳଙ୍କାର             ପତି, ରବିରଶ୍ମି

କମଳିନୀ ବରଭୂଷା,

ସ୍ରୋତସ୍ୱିନୀ ଭୂଷା             ଆବର୍ତ୍ତ ପ୍ରବାହ

ଅମରା ଭୂଷଣ ବୃଷା ।

 

ଆପଣା ସକାଶେ             କାର କି ଅଭାବ

ପର ପାଇଁ ଏକା ଚିନ୍ତା,

ଯାହା ଲାଗି ଚିନ୍ତା            ଜାଳି ଦେଉଛି ସେ

ଜୀବନେ ଦାରୁଣ ଚିତା ।

 

ହେ ପ୍ରଭୁ ପ୍ରାଣର             ବ୍ୟାକୁଳ ଭାଷାରେ

ଜଣାଉଛି ବାରମ୍ବାର,

ଭାବିଜନ୍ମେ ଦାସେ            ବିବାହେ ନ ଛନ୍ଦି

କରିବ ଚିରକୁମାର ।

 

ନ ଥିବ ଅସାର             ସଂସାର ଜଞ୍ଜାଳ

ନ ଥିବ ଭାବନା ଅନ୍ୟ,

ଦେଶସେବା ବ୍ରତେ             ନିର୍ବିଘ୍ନେ ସଚତ

ରତ ହୋଇ ହେବି ଧନ୍ୟ ।

 

ପଠାଇଲା ବେଳେ             ପଠାଅ ଏକାକୀ

ନେବା ବେଳେ ଏକା ନିଅ,

ମଝିରେ କେତେଟା             ଦିନ ପାଇଁ କିପାଁ

ଘଟାଅ ଆଣି ଦ୍ୱିତୀୟ ।

 

ଏକାକିତା ସିନା             ମନୋରଥ- ପଥେ

ପରମ ସାହା ସମ୍ବଳ,

ଏକାକୀର ନାହିଁ             ବନ୍ଧନ, ସୃଷ୍ଟିରେ

ସ୍ୱାଧୀନ ସେହି କେବଳ ।

 

ଶାନ୍ତି-ପୁଣ୍ୟ ଗଙ୍ଗା-            ଅମୃତ ପ୍ରବାହ

ବହେ ଏକାକୀର ପ୍ରାଣେ,

ଏକାକୀ ଯେ ଶୁଭ            ସୁଖ ଭୁଞ୍ଜେ ତାହା-

ମୂଲ୍ୟ ସେହି ଏକା ଜାଣେ ।

 

ଦିନେ ଉଗ୍ରତାରା             ବାସର- ବାର୍ଦ୍ଧକ୍ୟେ

ସ୍ୱାମୀ ସନ୍ନିଧାନେ ଯାଇ,

ଜଣାଇଲା ସେହି             ମୂହୁର୍ତ୍ତେ ଗ୍ରାମାନ୍ତେ

ଯାତ୍ରା ଦେଖିଯିବା ପାଇଁ ।

 

ଉତ୍ତରିଲେ ଦ୍ୱିଜ             କର୍କଶ ବଚନେ

ଅବଜ୍ଞା ପ୍ରକାଶ ଚଳି,

ବ୍ୟଙ୍ଗ ଅପବାଦ             ପରିହାସ ପଦେ

ଦେଲୁ କି ତୁ ଜଳାଞ୍ଜଳି ।

 

ଇତରା ନାରୀଙ୍କ             ସଙ୍ଗ ମେଳେ ପଡି

ହେଲୁଣି ତୁହି ଇତର,

ଗୃହିଣୀ ଲକ୍ଷଣ             ଲୋକ ନିନ୍ଦା ଭୟ

ନାହିଁ ତ ତିଳେ ତୋହର ।

 

କିଛି ମାତ୍ର ପ୍ରତି-             ବାଣୀ ନ ଉଚ୍ଚାରି

ଉଗ୍ରତାର କୋପଭରେ,

ଖର ପଦକ୍ଷେପେ             ଗୃହରୁ ବାହାରି

ରୁଷିଗଲା ବାପଘରେ ।

 

ତହୁଁ ବିପ୍ରବର             ଗୃହକାର୍ଯ୍ୟ ଭାର

ବହିଲେ ନିଜେ ସକଳ,

ଭାବିଲେ ମୋ ବିନା       କେ ଭୁଞ୍ଜିବ ଏହା

ମୋର ଉପାର୍ଜିତ ଫଳ ।

 

ଜାଣୁ ଜାଣୁ ମୁହଁ             ଚାଳି ଦେଲି ଟିପି

ପ୍ରଚଣ୍ତା ପନ୍ନଗୀ ସୁଚ୍ଛ,

ଫିଟାଇ ଦେଲି ମୁଁ            ନିଜ ହାତେ ନିଜ

ଦୁର୍ଦ୍ଦଶାର ବଦ୍ଧ ଉତ୍ସ ।

 

ବାହାରେ ଶୀତଳ             ସୌମ୍ୟ ମୂର୍ତ୍ତି ଯଥା

କୁସୁମମାତା ଲତିକା,

ପ୍ରତି ଲୋମ- କୂପେ       ଲୁକ୍କାୟିତ ମାତ୍ର

ପ୍ରଚ୍ଛନ୍ନେ ପାବକଶିଖା ।

 

ଦୁର୍ବାସାଙ୍କ ପ୍ରିୟ-             ଶିଷ୍ୟା, ଅଗ୍ନିଗର୍ଭା

ଯଥା ଚକମକି ଶିଳା,

ସାମାନ୍ୟ ଘର୍ଷଣେ             କୋଟି ଅଗ୍ନିକଣା

ଭଗାରେ ଏ ରୁକ୍ଷଶୀଳ ।

 

ଯାଉ ପଛେ ରୁଷି             ହେଉ ମୋର କଷ୍ଟ

ଧରୁ ପଛେ କ୍ରୋଧଭାବ,

ଅଶାନ୍ତ ଗୃହେ ମୋ             ଶାନ୍ତି ବିରାଜିବ

ଏତିକି ଯଥେଷ୍ଟ ଲାଭ ।

 

ଚିର ଅନ୍ଧକାରେ            ନାଚିବ ଚନ୍ଦ୍ରିକା

ନିଖିଳ ସୁଷମାକର,

ଚିର ହାହାପୂର୍ଣ୍ଣ             ନର୍କ ହେବ ସ୍ୱର୍ଗ,

ଅସୁନ୍ଦର ସୁସୁନ୍ଦର ।

 

ଅତିରିକ୍ତ ଶ୍ରମେ             ବିଶ୍ଵମ୍ଭରରଙ୍କ

ହେଲା ସ୍ୱାସ୍ଥ୍ୟଭଙ୍ଗ କ୍ରମେ,

ଅଳ୍ପଦିନ ମଧ୍ୟେ             ଶଯ୍ୟାଶ୍ରୟୀ ହେଲେ

ଦାରୁଣ ଜ୍ୱର ଆକ୍ରମେ ।

 

ଚିକିତ୍ସା ଅଭାବେ            ବୃଦ୍ଧି ଲଭି ବ୍ୟାଧି

ଚେତନା ଦେଲା ଘଉଡି,

ଶେଷ ଦିନ ଜାଣି             ଶରୀର ପିଞ୍ଜରୁ

ପ୍ରାଣ- ପକ୍ଷୀ ଗଲା ଉଡି ।

 

କଳେବର- ଯନ୍ତ୍ରୁ             ପ୍ରାଣ ତାର ମୃତ୍ୟୁ

ଦଣ୍ତକେ ଦେଲା ଛିଣ୍ତାଇ,

ଚିରଦିନ ପାଇଁ             କରିଦେଲା ବିସ୍ରେ

ସଂସାର- ଜ୍ୱାଳାରୁ ତ୍ରାହି ।

 

ଯଥାକାଳେ ମିଳି            ଜ୍ଞାତି- ପରିଜନେ

ବିହିଲେ ଶବ-ସତ୍କାର,

ବହୁବର୍ଷ ପୁଷ୍ଟ             ଦେବୁ ହୋଇଗଲା

ଯାମମାତ୍ରେ ଛାରଖାର ।

 

ପିତୃଗୃହେ ବାର୍ତ୍ତା             ପାଇ ଉଗ୍ରତାରା

ହେଲା ଆସି ଉପନୀତ,

କାରୁଣ୍ୟବିହୀନ             ନିରଶ୍ରୁ ବିଳାପେ

ଚୌଦିଗେ କଲା ଧ୍ୱନିତ ।

 

ଗୁରୁଶୋକେ ଗୁରୁ -       ସୁଖେ ଶୁଖିଯାଏ

ନେତ୍ର- ଉତ୍ସ ଅଶ୍ରୁ ଧାରା,

ଇଙ୍ଗିତୁ ଆଭାସେ             ଦ୍ୱିତୀୟ ଚିନ୍ତାଟି

ଆଶ୍ରିଥିଲା ଉଗ୍ରତାରା ।

 

ମୁଖେ ନେତ୍ରେ ତାର       ଶୋକ ଚିହ୍ନ କିଛି

ଯାଉଥିଲା ନାହିଁ ଦେଖା,

ବଧୁଲୀ ଅଧରେ             ଭାସି ଉଠୁଥିଲା

ସନ୍ତୋଷର ସ୍ୱର୍ଣ୍ଣରେଖା ।

 

ବାହ୍ୟେ ଛଦ୍ମଶୋକ             ଅନ୍ତର୍ଗତେ ଦୁଷ୍ଟା

ଭାବୁଥିବ ଏହା ସିନା-

ବୈଧବ୍ୟ ମୋହର             ସୌଭାଗ୍ୟ ବିଧାତା

କରି ଯା ଦେଲା ସ୍ୱାଧୀନା ।

 

ତୀର୍ଥ ବ୍ରତ କରି             ବୁଲିବି ଏଣିକି

ନାହିଁ ଆଉ ଦକଛକ,

ଯାତ୍ରାପର୍ବ ଦେଖି             ହୀନ ନାରୀ ଜନ୍ମ

କରିବି ସଦା ସାର୍ଥକ ।

 

ସମ୍ପାଦି ଅନ୍ତ୍ୟେଷ୍ଟି -             ଶ୍ରାଦ୍ଧ, ବିପ୍ରବାଳା-

ପାଳିଣ ଶାସ୍ତ୍ର- ବିଧାନ,

ସ୍ୱର୍ଗତ ସ୍ୱାମୀଙ୍କ             ମଙ୍ଗଳ ଉଦ୍ଦେଶ୍ୟ

କଲା ଯଥାଶକ୍ତି ଦାନ ।

 

କଥା ପଦକରୁ             ଦେହକେ ବଞ୍ଚିତ

ଦେହାନ୍ତେ ଚରଣାର୍ଚ୍ଚନା,

ଶୂନ୍ୟଗର୍ଭ ସିନା             ଏ ଭକ୍ତି ସମ୍ମାନ

ଖାଲି ମିଥ୍ୟା ପ୍ରବଞ୍ଚନା ।

 

ଏଥିଅନ୍ତେ ସୁଖ-             ଦୁଃଖ ପର୍ଯ୍ୟାୟରେ

ଗଲା କ୍ରମେ ଦିନ ବିତି,

ପ୍ରତିରାତ୍ରେ ଦେଖି             କୁସ୍ୱପ୍ନ ବିଧବା

ଗଣିଲା ବିଷମ ଭୀତି ।

 

ପତିଦ୍ରୋହ ପାପ             ରୁଦ୍ର ମୂର୍ତ୍ତି ଧରି

କଲାକ ଆତ୍ମପ୍ରକାଶ,

ପ୍ରଚଣ୍ତ ତାଣ୍ତବ             ସହ ଆରମ୍ଭିଲା

ବିକଟାଳ ଅଟ୍ଟହାସ ।

 

ଦେଖିଲା ଥରେ ସେ       ସ୍ୱପନ ଏସନ, -

ଅକସ୍ମାତ ଏକ ଯୁବା,

କେବଣ ଅଦ୍ଭୁତ             ରାଜ୍ୟର ଜୀବ ସେ

ଶଯ୍ୟା ପାଶେ ହେଲା ଉଭା ।

 

ତାଳବୃକ୍ଷ ଜିଣି             ବିରାଟ ଆକୃତି

ଉଜ୍ଜ୍ୱଳ କଜ୍ଜଳ କାନ୍ତି,

ପ୍ରଥମ ଦର୍ଶନେ-            ଉପୁଜେ ମାନସେ

ତୁଙ୍ଗ ଗିରିଚୂଡ଼ା ଭାନ୍ତି ।

 

ରକ୍ତ ପରିଚ୍ଛଦ             ରକ୍ତ ଶିରସ୍ମାଣ

ରକ୍ତବସ୍ତ୍ର- ପରିହିତ,

ଅଗ୍ନିମୁଣ୍ତା ପ୍ରାୟ             ନେତ୍ର- କୁଣ୍ତେ- ନେତ୍ର -

ଗୋଲକ ଦିଶେ ଜ୍ୱଳିତ ।

 

ଘନ କୃଷ୍ଣ ଶ୍ମଶ୍ରୁ             ଅନ୍ତରାଳୁ ମୃଗ

ଦିଶୁଛି ଅସ୍ପଷ୍ଟତର,

ନିବିଡ଼ ଶୈବାଳ-             ଜାଲ ମଧ୍ୟେ କିବା

ଲୁକ୍କାୟିକ ଇନ୍ଦ୍ରୀବର ।

 

ଉଗ୍ରତାରାକୁ ସେ             ଘେନି ଉଡ଼ିଗଲା

ବଚନ କିଛି ନ ଭାଷି,

ଅମାବାସ୍ୟା ପୃଷ୍ଠେ             ଆରୋହିଛି ପରା

ଜ୍ୟୋତ୍ସ୍ନାହାସୀ ପୌର୍ଣ୍ଣମାସୀ 

 

କ୍ରମେ ଉଠି ଉର୍ଦ୍ଧ୍ୱେ             ତାଉର୍ଦ୍ଧ୍ୱେ ତାଉର୍ଦ୍ଧ୍ୱେ

ହେଲା ତାରାଲୋକେ ଯାଇ,

ହସିଲେ ତାରାଏ             ବିଦ୍ରୁୟ ଦୃଷ୍ଟିରେ

ଉଗ୍ରତାରା ମୁଖ ଚାହିଁ ।

 

ଅପରକୁ କେହି             ଦେଖାଇଲା ହସି

ଅଙ୍ଗୁଳି ନିର୍ଦ୍ଦେଶେ ଠାରି,

ଦେଖ ଦେଖ ଏହି             ଆସେ ଅଧୋଦେଶୁ

ସ୍ୱାମି - ବିଘାତିନୀ ନାରୀ ।

 

କେହି ଅବା ଭାଷା             ନ ପାଇ ଖୋଜିଣ

ନୀରରେ କଲା ଭର୍ତ୍ସନା,

ଭାଷାଶୂନ୍ୟ ଗାଳି             ଦିଏ ସିନା ପ୍ରାଣେ

ଅସହ୍ୟ ତୀବ୍ର ଯାତନା !

 

ବୈଶାଖୀ ଖରାରୁ             ବଳି ବାଧେ ସିନା

ଆଷାଢ଼ର ଗୁଳୁଗୁଳି,

ବଜ୍ରଠାରୁ ବଳି             ନୁହେଁ କି ଭୀଷଣ

ଆଗ୍ନେୟ ମୌନ ବିଜୁଳି ।

 

ତହିଁ ଊର୍ଦ୍ଧ୍ୱେ ଉଠି             ଉପସ୍ଥିତ ହେଲା

ଯାଇଁ ସତୀସ୍ୱର୍ଗ କବି,

ସ୍ୱର୍ଣ୍ଣ- ସିଂହାସନେ             ଅଧିଷ୍ଠିତା ତହି

ଦେବୀରୂପା ବହୁ ସତୀ ।

 

ଉର୍ତ୍ତୃଦଣ୍ତିନୀକି             ଦେଖି ସତୀବୃନ୍ଦ

କୋପ ଲଜ୍ଜା ଘୃଣାଭରେ,

ଅବନତମୁଖୀ            ହୋଇ ଆଚ୍ଛାଦିଲେ

ନେତ୍ରଦ୍ୱୟ ବେନି କରେ ।

 

ଦୀର୍ଘଶ୍ୱାସ ତେଜି             ହେଲେ କୁହାକୁହି

ଦାରୁଣ ଖେଦେ ବ୍ୟାକୁଳେ,

ଜନ୍ନିରେ ଏଭଳି             କଳଙ୍କୁଣୀ ହାୟ

ଆମ୍ଭରି ପବିତ୍ର କୁଳେ ।

 

କାହା ଅଭିଶାପେ             ରାଜହଂସୀ ବଂଶେ

ଜନମିଲେ କାଜଗେଚା,

ନିର୍ମଳ ପାବନ             ଜାହ୍ନବୀ ସଲିଳେ

କୀଟ ହେଲେ ମେଞ୍ଚା ମେଞ୍ଚା ।

 

ଏହାଙ୍କ ପ୍ରଭାବେ             କୁଳ କଳଙ୍କିତ,

ଧର୍ମ ହେଲା ସଙ୍କୁଚିତ,

ସତୀପ୍ରସୁ ପୁଣ୍ୟ            ଅଭିଖ୍ୟାରୁ ଦେଶ

ଆସୁଛି ହୋଇ ବଞ୍ଚିତ ।

 

କହୁଁ କହୁଁ ତାଙ୍କ             କଣ୍ଠ ରୁଦ୍ଧ ହେଲା

ଶୋକବାସ୍ପ ପ୍ରବାହରେ,

ଅବଶିଷ୍ଟ କଥା             କହିଲା ଲୋତକ

ନୀରବ କରୁଣସ୍ୱରେ ।

 

ଅନନ୍ତର ଊର୍ଦ୍ଧ୍ୱେ             ଊର୍ଦ୍ଧ୍ୱେ ଘେନି ଯାଇ

ଦେଲା ଅବଶେଷେ ଛାଡି,

ଶୂନ୍ୟେ ଘୁରି ଘୁରି             ଉଗ୍ରତାରା ତଳେ

ପଡିଗଲା ମୁହଁ ମାଡ଼ି ।

 

ସେହି ଆଘାତରେ             ଭାଙ୍ଗିଗଲା ନିଦ୍ରା

ଭୟେ ଦୁଲୁକିଲା ଛାତି,

ଉଠି ବସି ଖରେ             ଚାହିଁଲା ଚକିତେ

ଯାଇଅଛି ପାହି ରାତି ।

 

ଆଉ ଥରେ କିପ୍ରା             ଦେଖିଲା ସ୍ୱପନ-

ଯାଇଛି ସେ ନିଜେ ମରି,

ଭୁଞ୍ଜଛନ୍ତି ଶ୍ୱାନ             ଶୃଗାଳେ ତାହାର

ପିଣ୍ତ ଖଣ୍ତ ଖଣ୍ତ କରି ।

 

କେ ଓଟାରେ ଅନ୍ତ             କେ ଓଟାରେ ପାଦ

ଓଟାରୁଛି କେହି ହାତ,

ନିବାରିଲା ତାଙ୍କୁ             ବର୍ଷୀୟସୀ ଜଣେ

କାହୁ ଆସି ଅକସ୍ମାତ ।

 

ଘନ ଲମ୍ବ କୃଷ୍ଣ            ରୋମାବଳୀରେ ସେ

ଆବୃତ ଆପାଦଶିର,

ଅଶ୍ମମୁଖାକୃତି             ମୁଖ ତାର ମାତ୍ର

ଭଲ୍ଲୁକୀ ପ୍ରାୟ ଶରୀର ।

 

ଭୀଷଣ ସେ ମୁଖ            ନିରେଖିଲେ ଭୟେ

ଛାତି ହୁଏ ଦମ ଦମ,

ଅସଂଲଗ୍ନ ଦୀର୍ଘ            ଦନ୍ତପନ୍ତ ତାକୁ

କରିଛି ଭୀଷଣତମ ।

 

ବହେ ସେ ଜରତୀ             ନିୟତି ଅଭିଖ୍ୟା

ମାତ୍ର ଫଳେ ଯମଦୁତୀ,

ଥାଉ ଆନ କଥା             ସ୍ୱୟଂ ଭୟ- ରକ୍ଷ

କରେ ତାକୁ ଭୟେ ସ୍ତୁତି ।

 

ବିପ୍ରା ଉଗ୍ରତାରା             ଜୀବିତ ଶବକୁ

ତୋଳି ନେଇ ସେ କୋଳରେ,

ଫିଙ୍ଗିଦେଲା ଯାଇ             କାନନ ମଧ୍ୟସ୍ଥ

ବିରାଟ ଅଗାଧ ସରେ ।

 

ଆଉଟା ପିତ୍ତଳ            ପ୍ରାୟ ତାର ଜଳ

ପୋଡ଼ିଗଲା ଦେହ ତହିଁ,

କାହୁଁ ଆସି ଶ୍ୟେନ             ଚକ୍ଷୁ ଖୋଳି ନେଲା

ଦଂଶିଲା ଅନଳ ଅହି ।

 

ଶମନ-କିଙ୍କର             ଆଗ୍ନେୟ ମୁଦୁର

ମସ୍ତକେ କଲେ ପ୍ରହାର,

ସହି ନ ପାରିଣ             ଉଗ୍ରତାରା କଲା

କାତରେ ଘୋର ଚିତ୍କାର ।

 

ଏହି କାଳେ ତାର             ଦେବକାନ୍ତ ପତି

ହୋଇ ତହିଁ ଉପସ୍ଥିତ,

ଉଦ୍ଧାରିଲେ ତାକୁ             କୋମଳ ପରଶେ

ନିଦ୍ରା ହେଲା ଅନ୍ତର୍ହିତ ।

 

ସ୍ୱପ୍ନ ଚେତା ସହ             ଜ୍ଞାନର ଚୌତନ୍ୟ

ଲଭିଲା ସେ ଉଗ୍ରଚାରା,

ସୁପ୍ତ ସ୍ମୃତି ଉଠି             ଆଣିଲା ତା ନେତ୍ରେ

ଅନୁତାପ- ଅଶ୍ରୁ ଧାରା ।

 

ଭାବିଲା ନୁହେଁ ଏ             କୁସ୍ୱପ୍ନ, ପ୍ରକୃତ

ମୋହର ଦଗ୍ଧ ଦୁଷ୍ଟୃତି,

ଭାବୀ ଭାଗ୍ୟଫଳ             ଦେଖାଉଛି ମୋତେ

ପରିଗ୍ରହି ରୁଦ୍ରମୁର୍ତ୍ତି ।

 

ସ୍ୱପ୍ନେ ଯା ଦେଖିଲି             ମୋ ନିମନ୍ତେ ତାହା

ରହିଛି ହୋଇ ବ୍ୟବସ୍ଥା,

ବଡ଼ ଭୟଙ୍କର             ବଡ଼ ଅମଙ୍ଗଳ

ମୋହୋର ଅନ୍ତିମାବସ୍ଥା ।

 

କି କଲି ମୁଁ ହାୟ             କାଳମନ୍ତ୍ର ମୋହେ

ଭୁଲିଥିଲି ଏତେ କାଳ,

ଆତ୍ମକୃତ ପାପେ             କିମ୍ବା ଅଭିଶାପେ

ପରିଣାମେ ଏ ଜଞ୍ଜାଳ ।

 

ଯେ ପତି ନାରୀଙ୍କ             ପ୍ରାଣର ଦେବତା

ଯା ପଦ ତୀର୍ଥ- ସରସୀ,

ସେ ପତି ପାବନ             ପୟରେ ଦ୍ରୋହିଣୀ

ହେଲି ମୁହିଁ ପାପୀୟସୀ ।

 

ପଦିସେବା ଥାଉ             କହି ନାହିଁ କେବେ

କୋମଳ ବଚନ ପଦେ,

ବରଞ୍ଚ କରିଛି             ତାଚ୍ଛଲ୍ୟ ମାତି ମୁଁ

କେବଣ ଅଜ୍ଞାତ ମଦେ ।

 

ଯେତିକି ମୋ ପ୍ରାଣେ       ଶୀତଳୁଥିଲେ ସେ

କରୁଣା- ସୁଧାସେଚନେ,

ତେତିକି ମୁଁ ତାଙ୍କୁ             କରୁଥିଲି ଦଗ୍ଧ

କଟୁବାକ୍ୟ- ହୁତାଶନେ ।

 

ହାୟ ମୁଁ ପାପିନୀ             ନିଜ ଭାଗ୍ୟର ଯା

ନିଜେ ପ୍ରତିକୁଳା ହୋଇ,

ବିଧାତା- ଲିଖିତ             ଭାଗ୍ୟଲିପି ଦେଲି

ଅକର୍ମ ସଲିଳେ ଧୋଇ ।

 

ଆଶ୍ରୟ ପାଦପ-             ଶାଖେ ବସି ଦେଲି

ସେ ପାଦପ- ମୂଳ କାଟି,

ବର୍ତ୍ତମାନ ନଷ୍ଟ            କରି ସୁଦ୍ଧା ମୁହିଁ

ଭବିଷ୍ୟତ କଲି ମାଟି ।

 

ନାରୀଧର୍ମ ତେଜି            ଆଚରିଲି ହାୟ

ଅସୁରାଣୀ ପାପବୃତ.

ନାରୀଚିତ୍ର ମଧ୍ୟେ             ବୀଉତ୍ସଚିତ୍ର ମୁଁ

ପରିହାସ ମୂର୍ତ୍ତି ସତ ।

 

ବୋଲନ୍ତିଁ ସମସ୍ତେ             ପତ୍ନୀ ଏ ଜଗତେ

ପତିପ୍ରାଣ ସଙ୍ଗାତୁଣୀ,

ମାତ୍ର ଏ ଉକ୍ତିର             ବିପରୀତ ମୁହିଁ

ପତିପ୍ରାଣ ସଂଘାତୁଣୀ ।

 

ତରୁଲତାଶୂନ୍ୟ             ତପ୍ତ ମରୁସ୍ଥଳେ

ଜାୟା ହିଁ ଶୀତଳ ଛାୟା,

ପତ୍ନୀ ନୁହେଁ ମୁହିଁ             ଭୀଷଣା ପେତୁଣୀ

ଜାଳିଛି ସ୍ୱାମୀଙ୍କ କାୟା ।

 

ହେ ପ୍ରଭୁ ମୋହର             କେହି ନାହି ସାହା

ଫେଡ଼ିବାକୁ ଏ ଯାତନା,

ପତିତ ତାରଣ             ନାମଟି ତୁମ୍ଭର

କେବଳ ମୋର ସାନ୍ତ୍ୱନା ।

 

ଆବର ସାନ୍ତ୍ୱନା,-             ହେଲେ ସୁଦ୍ଧା ମୁହିଁ

କାମିନୀକୁଳେ ଅଙ୍ଗାର,

ପ୍ରତି-ପତ୍ନୀ ହେତୁ             ମିଳିବ ତ ମୋତେ

କିଛି ହେଲେ ପୁରସ୍କାର ।

 

ବଡ଼ଲୋକ ନାମ             ଧରି ରିକ୍ତ ହସ୍ତେ

ପାରି ହୁଏ ନାବେ ଦୀନ,

ପୁଷ୍ପ ସହବାସେ            ଘୃଣ୍ୟ କୀଟ ହୁଏ

ଦେବତା-ଶିରେ ଆସୀନ ।

 

ହେ ସ୍ୱର୍ଗତ ସ୍ୱାମି,             ମୋ ପ୍ରାଣଦେବତା

ସ୍ୱଗୁଣେ ଦାସୀକି ତାର,

ମୁହିଁ ସିନା ଦେବ             ଅଭାଜନ ମାତ୍ର

ତୁମ୍ଭେ କ୍ଷମା- ପାରାବାର ।

 

ଶତ ଅପରାଧେ             ଅପରାଧିନୀ ମୁଁ

ଶ୍ରୀପଦେ ତବ ନିଶ୍ଚୟ,

ସେ ସକଳ ଘେନା             ନ କରି ହେ ନାଥ

ମୋ ପ୍ରତି ହୁଅ ସଦୟ ।

 

ଘନ କଳେବର             ଦହେ ବୋଲି ବିଦ୍ୟୁ

ତେଜେ କି ତାହାକୁ ଘନ,

ଧୁପର ସ୍ୱାଭାବ             ପୋଡ଼ିଲେ ତାକୁ ସେ

ଗନ୍ଧ କରେ ବିଚରଣ ।

 

କ୍ଷମା-ସୀମା ବଳି             ଯାଇଛି ମୋ ଦୋଷ

ଅସନ୍ତୁଷ୍ଟ ବିଶ୍ଵସାଇଁ,

ଦୟା ବହି ନାଥ             ପାଦ- ପଦ୍ମେ ତାଙ୍କ

ଜଣାଇବ ଦାସୀ ପାଇଁ ।

 

ତୁମ୍ଭେ ଜଣାଇଲେ             କ୍ଷମିବେ ମୋ ଦୋଷ

ନିଶ୍ଚେ ପ୍ରଭୁ ବନମାଳୀ,

ଉକ୍ତପ୍ରାଣ ହରି             ଭକ୍ତର ଜଣାଶ

ନ ପାରନ୍ତି କେବେ ଟାଳି ।

 

ତବ କତ ଦେବ            ମାଗୁଛି ସେବକୀ

ଏତିକି ମାତ୍ର କଲ୍ୟାଣ,

ଦେହାନ୍ତରେ ଯେହ୍ନେ       ଲଭିବ ତୁମ୍ଭରି

ପୂଣ୍ୟ ପାଦମୂଳେ ସ୍ଥାନ ।

 

କେଉଁ ସୁଖ ମୋର             ତୁମ୍ଭ ବିନା ଭବେ

ବଞ୍ଚି ରହି ଏକାକିନୀ,

ତବ ନାମେ କରି             ତାରକ ମନ୍ତର

ହେବି ଶୋକ-ସନ୍ନ୍ୟାସିନୀ ।

 

ନ ମଣିଲା ଆଉ             ସୁଖ ଉଗ୍ରତାରା

ବିଷ ବିଶ୍ଵ କୋଳାହଳେ,

ଶିକ୍ଷାର୍ଥେ ପ୍ରଦାନି            ସମ୍ପତ୍ତି ସକଳ

ବାସ କଲା ନୀଳାଚଳେ ।

 

ସ୍ୱାମୀଙ୍କ କଠାଉ             ଦେବଜ୍ଞାନେ ପୁଜି

ଜପି ସ୍ୱାମୀ ପୁଣ୍ୟ ନାମ,

ଶେଷେ ଜଗତ୍ପତି             ଜଗନ୍ନାଥ ପଦେ

ଲଭିଲା ଚିର ବିଶ୍ରାମ ।

 

Unknown

ତୃତୀୟ ଚିତ୍ର

ଅକର-ନିର୍ମିତ             ଅରଙ୍ଗ-ରଞ୍ଜିତ

କଳ୍ପନା ନାମରେ ପୁରୀ,

ପ୍ରକାଶେ ସତତ             ଅରୂପ ସୁନ୍ଦର

ଅପୂର୍ବ ଶିଳ୍ପଚାତୁରୀ ।

ସେ ରାଜ୍ୟନିବାସୀ             ନିରାକାର ଦାସ

ସତ୍ୟଶୀଳ ସାଧୁଜନ,

ବେନି ପୁତ୍ରେ ରଖି             କଲେ ଯଥାକାଳେ

ଭବଲୀଳା ସମ୍ବରଣ ।

ଛାଡି ଯାଇଥିଲେ             ପୂର୍ବରୁ ଜନନୀ -

ଜୀବନର ଧ୍ରୁବତାରା,

ପିତୃହୀନ ହୋଇ             ଦେଖିଲେ ଉଭୟେ

ଅନ୍ଧାର ଜଗତସାରା ।

ପିତୃ ମାତୃ ସ୍ମୃତି-             ବେତ୍ରାଘାତେ ହେଲେ

ଆହତ ବେନି ବାଳୁତ,

ଘୋର ଅବସାଦ-             ତୀବ୍ରତାରେ ହେଲା

ବାଲ୍ୟପ୍ରାଣ ଭାରଭୁତ ।

 

ଫୁଟି ଉଠୁଥିଲା             ତସ୍ତ ନିଃଶ୍ୱାସରେ

ନିର୍ବାକ ବ୍ୟାକୁଳ ବ୍ୟଥା,

ନିର୍ମାୟ ନୈରାଶ୍ୟ            କାନେ କାନେ ତାଙ୍କ

କହି ବୁଲୁଥିଲା କଥା ।

 

ଭଗ୍ନ ଅଟ୍ଟାଳିରେ             ବଟବୃକ୍ଷ ପ୍ରାୟ

ବଦ୍ଧମୁଳ ହୃଦେ ଚିନ୍ତା,

ଜାଳିଦେଲା ଶୋକ            ପ୍ରଖରେ ଅନ୍ତର-

ଅନ୍ତସ୍ତଳେ ଉଗ୍ର ଚିତା ।

 

ମଳିନ ନିଷ୍ଟାର             ଭଜିଲା ଆନନ୍ଦ

ଭାବହୀନ ବାକ୍ୟ ପ୍ରାୟ,

ଆଗ୍ନିତାପେ ସେବା             ପଦ୍ମପତ୍ର ସମ

ହେଲେ ସେ ବିରସକାୟ ।

 

ଭଜିଲା ମ୍ଳାନିମା             ବେନି ଭାତାଙ୍କର

ବାଲ୍ୟରୁପ ଅପ୍ରତୁଲ,

ଦିଶେ ଯଥା ମ୍ଳାନ             ପ୍ରଦୀପର ଶିଖା

ଫୁଟିଲେ ବତୀରେ ଫୁଲ ।

 

ଗୋଟିଏ ମୂର୍ତ୍ତିର             ଦୁଇ ପ୍ରତିବିମ୍ବ

ପ୍ରାୟ ସେ ବେନି ସୋଦର,

ଅଥବା ସ୍ୱତନ୍ତ୍ର             ଦୁଇ ପ୍ରତିଶବ୍ଦ

ବେନିଏ ଏକ ଶବ୍ଦର ।

 

ଅନୁକ ଅପେକ୍ଷା             ଅଗ୍ରଜ ଅଧିକେ

ଶୋକେ ହେଉଥିଲା ଘାରି,

ଅଶ୍ରୁପୂର୍ଣ୍ଣ ନେତ୍ରେ             ବିଶ୍ୱପତି ପଦେ

କରୁଥିଲା ଏ ଗୁହାରି ।

 

ହେ ପ୍ରଭୁ କି ଦୋଷେ       ବିହିଲ ଏ ଦଣ୍ତ

ନ ବିଚାରି କାଳବେଳ,

ନ ପୁରୁଣୁ ଆଶା             କେଡ଼େ ବେଗେ ମୋର

ଭାଙ୍ଗିଦେଇ ବାଳଖେଳ ।

 

କି କଠୋର ତବ             ଦୟାହୀନ ହୃଦ

ସାରିଦେଲା ସବୁ କଥା,

କଠୋର ପଦାର୍ଥେ             ନୁହେ ତ ହେ ପ୍ରଭୁ

ଅସୁଲଭ କୋମଳତା ।

 

ସୁକୋମଳ ଲତା             ଜନ୍ମେ ହିମାଦ୍ରିର

ପାଷାଣ- କଠିନ ଅଙ୍ଗେ,

ଅଭ୍ୟନ୍ତରେ ସୁଦ୍ଧା             ଖେଳେ ମନ୍ଦାକିନୀ

ମଧୁର ସ୍ନିଗ୍ଧ ତରଙ୍ଗେ ।

 

ଅକାଳ- ପ୍ରବେଶୀ             ପାରିବିଟି ସହି

ବାଲ୍ୟପ୍ରାଣେ ସଂସାରର,-

ବିକ୍ୟୁ-ବର୍ଷୀ-ରୋଷ-       କଟାକ୍ଷର ତୀକ୍ଷ୍ମ

ଅନଳ ଭାଷଣ ଶର ।

 

ଶେଷ ମୋ ଭାଗ୍ୟରେ       ପୂତ ପିତୃସ୍ନେହ-

ଶୀତଳ ତରଳଧାରା,

ସୁଖର ସଂସାର             ହେଲା ମୋ ଜୀବନେ

ହାତୁକାରମୟ କାରା ।

 

ଧୁଳିଖେଳ ସ୍ମୃତି             ମୂର୍ଚ୍ଛାହୀନ ଶୋକ

ଆଣେ ମନେ ଘନଘନ,

ନିର୍ଦ୍ଦୟ ନିର୍ମାୟ             ମୁର୍ଚ୍ଛାହୀନ ଶୋକ

ମରଣ ବଳି ଭୀଷଣ ।

 

ଇଞ୍ଚଡ଼ ପଚାଇ             ଅକାଳ ସଂସାରୀ

କରିଦେଲ ପ୍ରଭୁ ମୋତେ,

ଅକୂଳ ସାଗରେ             ପେଲିଦେଲ ହାୟ

ବସାଇ ଦଦରା ପୋତେ ।

ସୁଖ- ଶତ୍ୱରୀ ୧ ମୋ       ପାହିଲା ନିଶୀଥେ

ନ ମେଣ୍ଟଣୁ ସୁଖ ତୃଷା,

ଭାବି- ଜୀବନର             ସଙ୍କଟ ବାରତା

ବହି ଆଣିଲାଣି ଉଷା ।

୧- ଶତ୍ୱର- ରାତ୍ରି ।

ବାଲ୍ୟ ବିବରଣୀ-            ଖାତାରେ ମୋହର

ରହିଗଲା ଶାଦା ପତ୍ର,

ରହିଗଲା ହାୟ             ଅଣଉଦ୍ପାପିତ

ଅସମ୍ପୂର୍ଣ୍ଣ କ୍ରୀଡ଼ା- ପତ୍ର ।

ଅଲ୍ୟଳ ପଣିଆ ୨             ସରିଗଲା ମୋର

ନିଶ୍ଚିନ୍ତ ଜୀବନ ସହ,

ଦୁର୍ବଳ ମସ୍ତକେ             ବହିବି ଏଣିକି

ସଂସାର ଭାର ଦୁର୍ବହ ।

୨- ଅଲ୍ୟନ- ଗେହ୍ନା ।

 

ଯା ଘଟୁ ମୋ ଭାଗ୍ୟେ       ମାତ୍ର ତବ ଇଚ୍ଛା

ପୂର୍ଣା ହେଉ ବିଶ୍ୱପତି,

ଅଛି କାହା ଶକ୍ତି କରିବାକୁ ସେହି

ଇଚ୍ଛା ପ୍ରତିକୁଳେ ଗତି ।

 

ସଂସାର ତୁମ୍ଭର             ମାୟା ଖେଳାକାର

ମାନବେ ନୃତ୍ୟ ପୁତ୍ତଳି

ଯାହାକୁ ଯେ ଭାବେ       ନଚାଉଛ ତୁମ୍ଭେ

ନାଚୁଛି ସେ ସେହିଭଳି ।

 

କର ଆଶୀର୍ବାଦ             କର୍ତ୍ତବ ସାଧନେ

ନିନ୍ଦାକୁ ନ କରେ ଭୟ,

ତବ ପଦେ ମତି             ରଖି ଲଭେ ଯେହ୍ନେ

ଜୀବନ- ସଂଗ୍ରାମେ ଜୟ ।

 

ପ୍ରାଣେ ଦିଅ ଭକ୍ତି             ତବ ଦତ୍ତ ଉକ୍ତି

ଅର୍ପିବି ତବ ଚରଣେ,

ଦିଅ ଶକ୍ତି ସଦା             ପୁଣ୍ୟାଦେଶ ତବ

ପାଳିବି ମୁଁ ପ୍ରାଣପଣେ ।

 

କର୍ମେ ଲାଗି ସଦା            ରହିବି ଅଲଗା

କର୍ମଫଳ       ଅନ୍ତରାଳେ,

ତୁମ୍ଭ ମୋହ ମଧ୍ୟେ             ପାର୍ଥକ୍ୟ ଭାବନା

ନ କରିବି କେଉ କାଳେ ।

 

ଏ ଅଭାଜନର             ସର୍ବ ଅନୁଷ୍ଠାନେ

ଲାଗୁ ତବ ପୁଣ୍ୟକର,

ମଙ୍ଗଳ ଭାଷଣେ             ରହୁ ମୋ ରସନା

ନିୟୋଜିତ ନିରନ୍ତର ।

 

ବିଶୁଦ୍ଧ ସତ୍ୟର            ବାସ୍ତବ ମୁରତି

ଖେଳି ବୁଲୁ ପ୍ରାଣେ ପ୍ରାଣେ,

କୃତାର୍ଥ ହେଉ ମୋ             କଳୂଷିତ ଆତ୍ମା

ତବ ସ୍ତୁତିଗୀତି ଗାନେ ।

 

ଆବର ଏ ଭିକ୍ଷା, -             ହିଂସା ଦ୍ଵେଷ ମୋହ

ନ ପରଶୁ ମୋର କାୟୀ,

ନ ପଡ଼ୁ ଜୀବନ-             ପ୍ରତିବିମ୍ବ- ପୃଷ୍ଠେ

କରାଳ କାମନା- ଛାୟା ।

 

ଜ୍ୟେଷ୍ଠ ପୁଷ୍ପକାନ୍ତ             ସଂଗୋପନ କରି

ଅନ୍ତର ବ୍ୟଥା ବେଦନା,

କନିଷ୍ଠ କିଶୋରେ             ବିଶେଷ ଭାବରେ

ପ୍ରଦାନୁଥିଲା ସାନ୍ତ୍ୱନା ।

 

ବୋଇଲା ଭାଇ ରେ       ହେଲେ ଆମ୍ଭେ ଏବେ

ଅନାଥ ଜନକହୀନ,

ଚିରଦିନ ପାଇଁ             ଅସ୍ତଗତ ଆମ୍ଭ

ସୌଭାଗ୍ୟ- ଶୁଭ- ସୁଦିନ ।

 

ଝଟିକା ଆବର୍ତ୍ତେ             ବିଘୂର୍ଣ୍ଣିତ ଚରୀ-

ତୁଲ୍ୟ ଭାଗ୍ୟ ଅନିଶ୍ଚିତ,

ଜାଣି ସୁଦ୍ଧା ଏହା             ନିରଙ୍କୁଶା ଆଶା

ସୁଖାର୍ଥେ ହୁଏ ଧାବିତ ।

 

ସୁଖଦୁଃଖ ବେନି             ପ୍ରକୃତି - ପ୍ରେରିତ

ଶୀତ ଉଷ୍ଣ ବାଷ୍ପ ଖାଲି,

ଅଲକ୍ଷିତେ ଆସି             ସ୍ପର୍ଶି କଳେବର

ଅଲକ୍ଷିତେ ଯାଏ ଚାଲି ।

 

ସୁଖ ନାମେ କିଛି             ଦ୍ରବ୍ୟ ଅଛି ବୋଲି

ହେଉ ତ ନାହିଁ ପ୍ରତୀତି,

ଥାଏ ଯଦି ତେବେ             ନିଶ୍ଚୟ ତାହାର

ଦୁଃଖ ମଧ୍ୟେଁ ଅବସ୍ଥିତି ।

 

ଦୁଃଖମୟ ଭବେ             ଆସିଛି ମାନବ

ଦୁଃଖର ସାଧନା ପାଇଁ,

ଦୁଃଖସେବା ବ୍ରତେ             ପଶ୍ଚିମ ଜୀବନ

ସଂଯାପିବା ବେନି ଭାଇ ।

 

ଲତି ହେଲା ମୋର             ହିତବିଦ୍ୟା ଶିକ୍ଷା

ଧରିବି ସଂସାର ବାଟ,

ଗାହସ୍ଥ୍ୟ-ଗୁରୁଙ୍କ             ଚତୁଷ୍ପାଠୀରେ ମୁଁ

ପଢ଼ିବି ନୂତନ ପାଠ ।

 

ଆତ୍ମ ନିର୍ବିଶେଷେ             ପାଳିବି ତୋତେ ମୁଁ

ଆଶ୍ରି ତୁହି ଶୁଭ ବୁଦ୍ଧି,

ବିଦ୍ୟା ଅଧ୍ୟୟନେ             ରତ ହୋଇ କର

ବଂଶୀୟ ଗୌରବ ବୃଦ୍ଧି ।

 

ମାନବ ଜୀବନେ            ଦେବଶକ୍ତି ବିଦ୍ୟା

ଅସାଧ୍ୟ- ସାଧିକା ଭବେ,

ବିଦ୍ୟାବଳେ ସିନା            ପକ୍ଷହୀନ ନର

ଉଡ଼ୁଅଛି ମହାନଭେ ।

 

ଏହିପରି ନିତି             ଅନୁଜ ସୋଦରେ

ଅଗ୍ରଜ କହେ ବୁଝାଇ,

ଅବହିତ ଚିତ୍ତେ             ଉତ୍କର୍ଣ୍ଣେ ଆଗ୍ରହେ

ଶୁଣୁଥାଏ ସାନଭାଇ ।

 

ବାରମ୍ବାର ଶୁଣି             ଏକ କଥା, ତାକୁ

ନୂମଣେ ଅସାର ସିଠା,

ମଣ୍ତାପିଠା ପ୍ରାୟ             ହିତକଥା ସୂଦ୍ଧା

ବାସି ହେଲେ ଲାଗେ ମିଠା ।

 

କ୍ରମେ କ୍ରମେ ଉଣା             ହେଲା ପିତୃଶୋକ

କାଳର ଧନ୍ୟ ଛଳନା,

ଯେଉ କାଳ ଦିଏ             ଶୋକ, ସେହି କାଳ

ଜୀବନେ ଆଶେ ସାନ୍ତୁନା ।

 

ସ୍ୱକୀୟ ବିଷୟ             ରକ୍ଷଣାବେକ୍ଷଣେ

ସ୍ୱଷ୍ପକାନ୍ତ ହୋଇ ରତ,

ଅନୁଜ କିଶୋରେ             ବିଦ୍ୟାଳୟେ ପେଷି

ଧରାଇଲା ଶିକ୍ଷା- ବ୍ରତ ।

 

ଶୟନେ ସ୍ୱପନେ             ସଜନେ ବିଜନେ

ଭ୍ରାତୃସ୍ନେହ ହେଲା ସାର,

ସବୁବେଳେ କଲା             ଭାତ୍ରୁନ୍ମତି ତାହା

ଚିନ୍ତା-ପଥ ଅଧିକାର ।

 

ଯେତେ ବଢ଼ୁଥିଲା             କନିଷ୍ଠାର ଶିକ୍ଷା

ବୟସ ଆବର ଦେହ,

ଫୁଲି ଉଠିଥିଲା             ତେତିକି ମାତ୍ରାରେ

ଅଗ୍ରଜ ହୃଦୟେ ସ୍ନେହ ।

 

ବହୁକଷ୍ଟାର୍ଜିତ             ବହୁମିତ ଅର୍ଥ

ନ ରଖି କିଛି ଗଚ୍ଛିତ,

ସୋଦର ଶିକ୍ଷାର୍ଥେ             ଅକାତରେ ସର୍ବ

କରୁଥିଲା ଉତ୍ସର୍ଗିତ ।

 

ଧନ୍ୟ ତା ଅନ୍ତର             ଅନନ୍ତ ଉଦାର

ସ୍ୱର୍ଗୀୟ ଶୋଭାର କ୍ଷେତ୍ର,

ଶୋଭା ଦେଖିବାକୁ             ନ ଥିଲା ସେଠାବେ

ଶୋଭା-ତୃଷାତୁର ନେତ୍ର ।

 

ଈର୍ଷା ଲୋକେ ତାର            ଏ ଭାବ ନିରେଖି

କହନ୍ତି ହିତୈଷୀ ପରି,

ଯାହା ଉନ୍ନତିରେ             ବଦ୍ଧବ୍ରତ ତୁ, ସେ

ହେବଟି ଶେଷେ ତୋହରି ।

 

ଏ ବଚନ ଶୁଣି             କ୍ରୋଧାନଳେ ତାର

ବୁଡିଯାଉଥିଲା ସଂଜ୍ଞା,

ଝରି ପଡ଼ୁଥିଲା             ବେନି ନୟନରୁ

ବିରକ୍ତି, ଘୃଣା, ଅବଜ୍ଞା ।

 

ପ୍ରତିବଚନରେ             କହେ ପୁଷ୍ପକାନ୍ତ

ଏକବୃନ୍ତେ ପୁଷ୍ପଦ୍ୱୟ

ଫୁଟିକି ଗୋଟିଏ             ହୁଏ ସୁଗନ୍ଧିତ

ଆନଟି ଦୁର୍ଗନ୍ଧମୟ ।

 

ପରଶ୍ରୀକାତରେ             ବୋଲୁଥାନ୍ତି ତାହା

ନ ହେଲା ପଛରେ ନାହିଁ,

ମାତ୍ର ଏକବୃନ୍ତେ             ଯୁଗ୍ମ ଶତବର୍ଗ *

ଫୁଟିଛି କି କେବେ କାହିଁ ।

* ଗେଣ୍ତୁ ଫୁଲ

 

ରାମ ଲକ୍ଷ୍ମଣ ବା             ପାଣ୍ତବଙ୍କ ଭଳି

ନୁହନ୍ତି ଏକାଳ ଭାଇ.,

ଏ ଯୁଗର ଭାଇ             ଗଜ କୂର୍ମ ପରି

କରନ୍ତି ନିଜି ଲଢ଼ାଇ ।

 

ଉଚ୍ଚ କଣ୍ଠେ ଘୋଷେ       ବାଲ୍ମୀକି ପୁରାଣ

ବାଳି ସୂଗ୍ରୀ ଭ୍ରାତୃଭାବ,

ଅଖଣ୍ତ ସ୍ୱାର୍ଥର            ଉତ୍କଟ ଦୃଷ୍ଟାନ୍ତ

ନୁହେଁ ଏ ଭବେ ଅଭାବ ।

 

ବର୍ତ୍ତମାନ ଦେଖି             ଭବିଷ୍ୟତ ଆଶା

ବାନ୍ଧିଲେ ଚଳିବ ନାହିଁ,

ଭବିଷ୍ୟତ ବଡ଼             ଗୁପ୍ତିଆ, ରଖେ ସେ

ବହୁତ କଥା ଲୁଚାଇ ।

 

ଭାବୁଛୁ ଯାହାକୁ             ବିଶୁଦ୍ଧ ଅମୃତ

ଖାଇ ତୀବ୍ର ମୋହ ନିଶା,

ଜାଣିଆ ନିକର             ବୁଝିବୁ ପଶ୍ଚାତେ

ସେ ଅମୃତ ବିଷମିଶା ।

 

ନ ଦେଇ ଉତ୍ତର             କିଛି ପୁଷ୍ପକାନ୍ତ

ଶୁଣିଏ କୁଟିଳ କଥା,

ନୀରବେ ଭର୍ତ୍ସନା            କରି ଚାଲିଯାଏ

ପୋତିଣ ତଳକୁ ମଥା ।

 

ନୀରବ ଭର୍ତ୍ସନା             ମାଡ଼ଠାରୁ ବଳେ

ହୃଦୟେ ଜାଳେ ଅନକ,

ମାତ୍ର ତ୍ୟକ୍ତଲଜ୍ୱ             କୁଚତ୍ରୀ କୁଜନ

ନ କରେ ତହିଁକି ଛଳ ।

 

ଆତ୍ମ- ଉପାର୍ଜନ             ଅନଟନ ହେତୁ

ପଶେ ନୋହି ପରାଙ୍ମୁଖ,

ଋଣଗ୍ରସ୍ତ ହୋଇ             ସୋଦରେ ପଢ଼ାଇ

ମଣିଲା ପରମ ସୁଖ ।

 

ଅନ୍ତର- ପୋଷିତ             ଆକାଙ୍କ୍ଷା ତାହାର

ନ ଭଜିଲା ବିଫଳତା,

ପ୍ରସନ୍ନ ମାନସେ             ବିହିଲେ ତା ପ୍ରତି

ଆଶିଷ ଭାଗ୍ୟ- ଦେବତା ।

 

ବିଶ୍ୱ ବିଦ୍ୟାଳୟ             ଉଚ୍ଚ ଉପାଧିରେ

କିଶୋର ହୋଇ ମଣ୍ତିତ,

ଚତୁଃପାର୍ଶ୍ୱବର୍ତ୍ତୀ             ବହୁ ଗ୍ରାମ ମଧ୍ୟେ

ହେଲାକ ଜଣେ ପଣ୍ତିତ ।

 

ଯଥାକାଳେ ହେଲା             ଉଚ୍ଚ ବେତନରେ

ଉଚ୍ଚପଦେ ଅଭିଷିକ୍ତ,

ସେହି ଦିନୁ ତାକୁ             ଜାତୀୟ ଆଚାର

ଲାଗିଲା କ୍ରମଶଃ ତିକ୍ତ ।

 

ଅନନ୍ତର ହେଲେ             ବିବାହ- ବନ୍ଧନେ

ଆବଦ୍ଧ ବେନି ସୋଦର,

ନବୀନ ଗୃହିଣୀ             ଲଭିଣ ଉଠିଲା

ପୂରି ତାଙ୍କ ଶୂନ୍ୟ ଘର ।

 

ଜ୍ୟେଷ୍ଠ ଜାୟା ହୀରା       କନିଷ୍ଠ ଭାମିନୀ

ବୋଲାଏ ନାମରେ ଧୀରା,

ପ୍ରକୃତିରେ ମାତ୍ର             ଧୀରା ନୁହେଁ - ବୀରା

ହୀରାଟି ପ୍ରକୃତ ହୀରା ।

 

ଗୋଟିଏ ଶୀତଳ             ଜାହ୍ନବୀ, ଅନ୍ୟଟି

ବୈତରଣୀ ଚିରତସ୍ତା,

ଗୋଟିଏ ପବିତ୍ର             ସୁଗନ୍ଧ ତୁଳସୀ

ଅନ୍ୟଟି କଣ୍ତୁରା ଲତା ।

 

ଜ୍ୟେଷ୍ଠ ଜାୟା ସ୍ନିଗ୍ଧ       ଉଜ୍ଜୁଳ ରତନ

ବହ୍ନିଶିଖା ଜ୍ୟେଷ୍ଠେତରା,

ଗୋଟିଏ ସୁବାନ୍ତି-             ବାସନ୍ତି- ଚନ୍ଦ୍ରିକା

ଅପରା ବୈଶାଖୀ ଖରା ।

 

ଅଥବା ପ୍ରଥମା             ସୁରସ ରସାଜ

ଦ୍ୱିତୀୟାଟି କଟୁ ଲଙ୍କା,

ପ୍ରଥମା ବିପଞ୍ଚି-             ମଧୁର- ମୂଚ୍ଛନା

ଦ୍ୱିତୀୟା କର୍କଶ ଢ଼କ୍କା ।

 

ଧୀରା ପ୍ରତି ହୀରା            ଅନୁରକ୍ତା ସଦା

ଭଉଣୀ ସମାନ ମଣି,

ଭଗାରୁଣୀଠାରୁ             ବଳିଯାଉଥିଲା

ଧୀରାର କୂଟ କରଣୀ ।

 

ସ୍ନେହ ପ୍ରତିଦାନ             ରୂପେ ସେ ହୀରାର

ସାଧୁଥିଲା ଅପକାର,

ନାଗୁଣୀକି ଦୁଗ୍ଧ             କରାଇଲେ ପାନ

କରେ ସେ ବିଷ ଉଦ୍ମାର ।

 

ଆତୁର ଅନ୍ତରେ             ଖୋଜୁଥାଏ ଧୀରା

ସତତ କଳହ ସୂତ୍ର,

କଳହ ତାହାର             ପ୍ରିୟ ଅଳଙ୍କାର

ସୁଖ, ଚିତ୍ତ, ପତି, ପୁତ୍ର ।

 

ସ୍ୱଭାବ ମୁଖରା             କଣ୍ଡୁର ରାସିନୀ

ଯଥା ଦୁଷ୍ଟା ସରସ୍ୱତୀ ,

କଳହ ଅଭାବେ             ସ୍ନାନେ ଭୋଜନେ ସେ

ହୁଏ ନାହିଁ ଆସ୍ଥାବତୀ ।

 

ନିଜ ଶ୍ରୀସର୍ବସ୍ୱା,             ପର ସୁଖ ଦେଖି

ପକାଏ ଖେଦେ ସେ କାନ୍ଦି,

କଜହ-ଅଟ୍ଟାଳୀ            ତୋଳୁଥାଏ ମିଥ୍ୟା

ପ୍ରତାରଣା ଛନ୍ଦିଛାନ୍ଦି ।

 

ବିନା ଅଗ୍ନି ଜଳେ             ବିନା ତଣ୍ତୁଳରେ

ପାରେ ଅନ୍ନ ପାକ କରି,

ଚଳାଇ ପାରେ ସେ       ଅନାୟାସେ ଶୂନ୍ୟ-

ମରୀଚିକା ସ୍ରୋତେ ତରୀ ।

 

ଏକାନ୍ନବର୍ତ୍ତିତା             ପର- ଅଧୀନତା

ଲାଗେ ତାକୁ ବିଷ ପ୍ରାୟ,

ରଚୁଥାଏ ତେଣୁ             କଳି- ପୁରାଣ

ନିତି ନିତି ନବାଧ୍ୟାୟ ।

 

ପୃଥକାନ୍ନ ହେବା             ପାଇଁ ସେ ଉପାୟ

ଖୋଜୁଥିଲା ହରଘଡ଼ି,

ଗଣାଉଥିଲା ସ୍ୱ            ଅଦୃଷ୍ଟ, ପକାଇ-

ଗ୍ରହବିପ୍ର ଦ୍ୱାରା ଖଡ଼ି ।

 

କିଛି ଦିନାନ୍ତରେ             ମିଳିଗଲା ଆପେ

ଦଇବେ ଆସି ସୁଯୋଗ,

ଆକ୍ରମିଲା ଗାଢ଼େ             ପୁଷ୍ପକାନ୍ତ ତନ

ଦାରୁଣ ସଙ୍କଟ ରୋଗ ।

 

କ୍ରମେ କ୍ରମେ ରୋଗ       ବୃଦ୍ଧି ଲଭି ଆଖ୍ୟା

ବହିଲା ବୈଦ୍ୟବିଜୟୀ,

ନୈରାଶ୍ୟ- କବଳେ       ପଡି ପୁଷ୍ପକାନ୍ତ

ହେଲେ ଶେଷେ ଶଯ୍ୟାଶ୍ରୟୀ ।

 

ଗୃହର ତାବତ             ବ୍ୟୟଭାର ଏକା

ପଡ଼ିଲା କିଶୋର ପରେ,

ମାତ୍ର ତାହା ହେଲା             ଧୀରା ନେତ୍ରଶୃଳ

ଅସହ୍ୟ ହେଲା ପ୍ରାଣରେ ।

 

ଦିନେ ଧୁର୍ତ୍ତା ଧୀରା             ବୋଇଲା ସ୍ୱାମୀକି

କହିବି ଗୋଟିଏ କଥା,

ଅବହେଳା ଯେହ୍ନେ             ନ କରିବ ତହିଁ

ଖାଅଟି ମୋହର ମଥା ।

 

ଭାଇ ବନ୍ଧୁ ସର୍ବେ             ସମ୍ପଦର ସାଥୀ

ପ୍ରାଣର ସିନା ଭଗାରୀ,

ତାଙ୍କଲାଗି ତୁମ୍ଭେ             ଋଣଗ୍ରସ୍ତ ହେବ

ଭବିଷ୍ୟତ ନ ବିଚାରି ।

 

କି ରୋଗ କାହାର             ପେଖନା ଖାଲି ସେ

ଗତର ଖଟଣୀ ଭୟ,

ଭୋଜନ ସମୟେ             ପୋଡ଼ା ରୋଗ ଭଲା

କେଉଁଠି ଭଳେ ବିଲୟ ।

 

ଭିନେ ହୋଇ ଏବେ       ରହନ୍ତୁ ସ୍ୱତନ୍ତ୍ର

ବୁଝନ୍ତୁ ସେ ତାଙ୍କ କଥା,

ତାଙ୍କର ତ ନାହିଁ             ତିଳେ ସ୍ନେହ, କିପାଁ

ତୁମ୍ଭର ଏତେ ମମତା ।

 

ବୁଝିବ ତ ନାହିଁ             ଭାଉଜଙ୍କ ଗୁଣ

ଗଞ୍ଜଣା କ୍ରୋଧ ଟାହୁଲି,

ପୋଡ଼ା ଭାଗ୍ୟ ଦୋଷେ      ପୋଡ଼ା ଘରେ ପଡ଼ି

କେତେ ମୁଁ ହେବି ସନ୍ତୁଳି ।

 

ଯାହା ହେଉ ତୁମ୍ଭେ             ଏଥିର ବ୍ୟବସ୍ଥା

ନ କଲେ ଯଥାବିଧାନେ

ତେଜିବ ମୋ ଆଶା,       ସତ୍ୟ ଏ ବଚନ

ମରିବି ଗରଳପାନେ ।

 

ବୋଇଲା କିଶୋର             କହିଲୁ ଯା ଧୀରେ !

ବର୍ଣ୍ଣେ ବର୍ଣ୍ଣେ ତାହା ସତ,

କିପରି ପାରିବି             ଘୋର ଅନ୍ତରାୟ

ହୀନ ଦେଶାଚାର ମତ ।

 

ସହି ହେଉ ନାହିଁ             ହୃଦୟର ବ୍ୟଥା

କହି ହେଉ ନାହିଁ କଥା,

ଅସଭ୍ୟ ଦେଶକୁ             ଶୋଭା ପାଏ ଏକା

ସକଳ ଅସଭ୍ୟ ପ୍ରଥା ।

 

ଉନ୍ନତ ଦେଶର             ମାର୍ଜିତ ସମାଜେ

ନାହି ଏ ବର୍ବର ଧାରା,

ଜଣକ ସ୍କନ୍ଧରେ             ଦଶ ଜଣ ଚଢ଼ି

ନ ଦିଅନ୍ତି ତାକୁ ଭାରା ।

 

ସେ ଦେଶ ଆଚାର             ଆଦର୍ଶ ବେଭାର

ସେ ଦେଶ ରୀତି ସ୍ୱତନ୍ତ୍ର,

ଅତ୍ମନିର୍ଭରତା            ସେ ଦେଶବାସୀଙ୍କ

ଜୀବନର ମୁକ୍ତ ମନ୍ତ୍ର ।

 

ଏ ଦେଶର ନୀତି             ବିଚିତ୍ର ପଦ୍ଧତି

ସୃଷ୍ଟିରୁ ସିନା ବାହାର,

ଏ ଦେଶ ସମାଜେ             ଗଳବସ୍ତ୍ର ହୋଇ

ଦୁରରୁ କୋଟି ଜୁହାର ।

 

ଏ ଦେଶର ଲୋକ             ପରଗଳଗ୍ରହ

ସୃରାଣର ଆଜ୍ଞାବହ,

ଉପବୃକ୍ଷ ପ୍ରାୟ            ବୃକ୍ଷୁ ରସ ଶୋଷି

ବିନାଶ ଲଭେ ତା ସହ ।

 

ଅଶିକ୍ଷିତ ଲୋକେ             କିଛି ନ ବୁଝନ୍ତି

ପ୍ରିୟ ତାଙ୍କ କୁସଂସ୍କାର,

ସମାଜେ କିଞ୍ଚିତ             ନବତ୍ୱ ଦେଖିଲେ

ଛାଡ଼ନ୍ତି ଉଳେ ଚିତ୍କାର ।

 

ନୈତିକ ସାହସ             ଧରି କେହି ହେଲେ

ସମାଜର ସଂସ୍କାରକ,

ପରିପନ୍ଥୀ ହୋଇ            ସମସ୍ତେ ତାହାର

ରଟନ୍ତି ନିନ୍ଦା କଳଙ୍କ ।

 

ସମାଜର ଏହି             ଘୃଣ୍ୟ ଦଶା ଦେଖି

ଜନ୍ମେ ମନେ ଘୋର କ୍ଳେଶ,

ଇଚ୍ଛା ହୁଏ ଯାଇ            ଲୁଚିବାକୁ ବନେ

ତେଜି ଏ ଅଧମ ଦେଶ ।

 

ଅନନ୍ତର ଦିନେ            କାର୍ଯ୍ୟକ୍ଷେତ୍ରୁଁ ଫେରି

କିଶୋର ପ୍ରବେଶି ଘରେ,

ଦେଖିଲା ଚକିତେ             ବେପମାନା ଧୀରା

ଜ୍ଞାନଗ୍ରାସୀ କ୍ରୋଧଭରେ ।

 

ଭୂମି- ଶଯ୍ୟା ପରେ       ଶୋଇଅଛି କରି

ପ୍ରକୋଷ୍ଠେ * ଶିର ନିବେଶ,

ଇତସ୍ତତଃ ହୋଇ             ଲୋଟୁଛି ଧୂଳିରେ

ଅଯତ୍ନବିନ୍ୟସ୍ତ କେଶ ।

* କହୁଣି ଜଳରୁ ମଣିବନ୍ଧ ପର୍ଯ୍ୟନ୍ତ ବହିଲାଗ ।

 

ଲୋତକ ନିଷିକ୍ତ            ଆନନେ ଢ଼ାଙ୍କିଛି

ବର୍ଦ୍ଧିତ ଅଳକାଜାତ,

ହିମ-ସିକ୍ତ ମ୍ଳାନ             ଛିନ୍ନ କମଳେ କି

ପଡ଼ିଛି ଉଡ଼ି ଶୈବାଳ ।

 

ଘୂରୁଛି କରାଳ             କାଳଚକ୍ର ପ୍ରାୟ

ରୋଷଦୀସ୍ତ ରକ୍ତ ନେତ୍ର,

ହୃଦୟ ତାହାର             ହୋଇଅଛି କ୍ରୋଧ-

ଅଭିମାନ କୁରୁକ୍ଷେତ୍ର ।

 

ସ୍ୱାମୀ ଅପେକ୍ଷାରେ             ପଡି ରହିଅଛି

ଶୋକେ ହୋଇ ଦରମରା,

ମଧୁ ଆଗମନ             ପ୍ରତୀକ୍ଷାରେ ଯଥା

ଶିଶିର- ପାଣ୍ତୁର ଧରା ।

 

ସହସା ସ୍ୱାମୀକୁ             ଉପସ୍ଥିତ ଦେଖି

ଦଳିତା ତମ୍ପୁଣୀ ସମ,

ଦୀର୍ଘଶ୍ୱାସ ସହ             ବହାଇଲା ବିଷ

ଅନଳୁ ଉତ୍କଟତମ ।

 

କ୍ଷଣସୁପ୍ତିମୌନ             କ୍ରୋଧ-ମହାବଳ

ଉଠିଲାକ ଗଳଗାଜି,

ଉଠିଲା ଆବର             ନିର୍ବାକ ରସନା-

ଭୀଷଣ ମର୍ଦ୍ଦଜ ବାଜି ।

 

ସ୍ୱାମୀ ପଦମୃଳେ             ମୁଣ୍ତ କୋଡି ହୋଇ

କ୍ରନ୍ଦନ ଗଦ୍ମଦ ସ୍ୱରେ,

ବୋଇଲା ସକ୍ରୋଧେ             ଏକ୍ଷଣି ପଠାଇ-

ଦିଅ ମୋତେ ବାପଘରେ ।

 

ଅଖଣ୍ତ ସୁଖରେ             ଘର କର ତୁମ୍ଭେ

ଭାଇ ଭାଉଜଙ୍କୁ ଘେନି,

ସୁଖ- ସ୍ୱରଗର            ସୁବର୍ଣ୍ଣ ନିଶୁଣୀ

ତୁମ୍ଭର ପରା ସେ ବେନି ।

 

ଲୁଣେ ଲୌହ ପ୍ରାୟ             କଟୁ ଗଞ୍ଜଣାରେ

ଗଲାଣି ରସି ମୋ ହାଡ,

ନ ପାରିବି ଆଉ             ପର ହାତୁ ଏତେ

ଖାଇ ମୁଁ ଛାଞ୍ଚୁଣୀମାଡ଼ ।

 

ପ୍ରଣୟିନୀ ଖେଦେ             ଥରିଲା କିଶୋର

କ୍ରୋଧେ ଦୀର୍ଘ ଶ୍ୱାସ ଛାଡ଼ି,

ବିଚାରିଲା ଦେହୁ             ହୃଦୟ ମନକୁ

ଉପାଡ଼ି ଦେବ ଫୋପାଡ଼ି ।

 

ନିଜର ସୁନ୍ଦର             ମୃଖ ଭୟଙ୍କର

କଲା ନିଜ କ୍ରୋଧବଶୁ,

ଅବସ୍ଥା ବିଶେଷେ             ମାନବ ସଂସାର

ହୁଏ ସିନା ହିଂସ୍ର ପଶୁ ।

 

କହିଲା ସଗର୍ବେ             କାହାର ସାହସ-

କାହାର ଏଡ଼େ କ୍ଷମତା,

ଛାଞ୍ଚୁଣୀ ମାରିବ            କିଏ ସେ, ଉଠିଛି

କାହା ସ୍କନ୍ଧେ ଦୁଇ ମଥା ।

 

ନୀରବରେ ସବୁ             ସହିବାରୁ ପରା

ବଢ଼ୁଅଛି ଆଧିପତ୍ୟ,

ସତ୍ୟ ସତ୍ୟ ଆଜି             ହେବି ମୁଁ ପୃଥକ

ତ୍ରିବାର ମୋର ଏ ସତ୍ୟ ।

 

ଏସନ ବଚନେ             ପ୍ରିୟାକୁ ପ୍ରବୋଧି

ମିଳିଲା ଯାଇ ସତ୍ୱରେ,

ରୋଗ-ଶଯ୍ୟାଶାୟୀ             ଅନାହାର- ଶୀର୍ଣ୍ଣ

ଜ୍ୟେଷ୍ଠାଗ୍ରଜ ସମୀପରେ ।

 

ଅନୁଜ ଆଗମେ             ଅଗ୍ରଜ ବଦନେ

ଗଲା ମୃଦୁ ମୃଦୁ ଦେଖା,

ଦୁଃଖର ମ୍ଳାନିମା-             ଆବରଣ ଭେଦି

କ୍ଷୀଣ ଶୁଷ୍କ ହାସ୍ୟରେଖା ।

 

ଭାବିଲା ମୋ ସ୍ୱାସ୍ଥ୍ୟ            ଜିଜ୍ଞାସା ଆଶୟେ

ଆସିଛି ପରା କନିଷ୍ଠ,

କିନ୍ତୁ ବୃଥା ଆଶା,             କନିଷ୍ଠ ନୁହେଁ ସେ

ଆକୃତିବକ୍ତ ଅନିଷ୍ଟ ।

 

ମାୟାବିନୀ ଆଶା             ଉତ୍ତେଜିତ ସଦା

କରୁଥାଏ ମନୋରଥେ,

ମାତ୍ର ମେନବେଚ୍ଛା,             ବିଧିଲିପି, ବେନି

ଗମନ୍ତି ବିଭିନ୍ନ ପଥେ ।

 

କହିଲା ଅନୁଜ             ରୋଷ- ରୁକ୍ଷସ୍ୱରେ

ନିଜ ହେଲା ଘରେ କଳି,

ବଡ଼ ବହୁଙ୍କର             କୁଟିଳ ବେଭାର

ଗଲାଣି ସୀମାକୁ ବଳି ।

 

ସ୍ୱଭାବେ ଦୁଷ୍ଟା ସେ             କଳିହୁଡ଼ୀ ଦୁଯେ

ପ୍ରଶ୍ରୟ ପାଇ ତୁମ୍ଭର,

ଆମ୍ଭ ଦୁହିଙ୍କୁ ସେ             ମାଟିଗୋଡିଠାରୁ

ମଣୁଅଛି ତୁଚ୍ଛତର ।

 

ତୁମ୍ଭଲାଗି ମୁହିଁ             ଋଣଗ୍ରସ୍ତ ହୋଇ

ହେଲିଣି ବିପନ୍ନ ପ୍ରାଣେ,

ସମ୍ଭାଳ ଏଣିକି             ତୁମ୍ଭ ଘର ତୁମ୍ଭେ

ଆମ୍ଭ କଥା ମୁହିଁ ଜାଣେ ।

 

କହୁଛି ତୁମ୍ଭଙ୍କୁ             ଆଜିଠାରୁ ନିଶ୍ଚେଁ

ହେବ ମୋ ପାକ ପୃଥକ,

ଏହା କହି ତହୁଁ             ଚାଲିଗଲା ଖରେ

କୋପେ ଚଳି ଧକଧକ ।

 

ଦେଖି ପୃଷ୍ପକାନ୍ତ             ଅଦ୍ଭୁତ ଘଟଣା

ବିସ୍ମୟେ ହେଲା ସ୍ତମ୍ଭିତ,

ସ୍ୱପନ କି ଏହା             ବାସ୍ତବ ବ୍ୟାପାର

ନ ହେଲା କିଛି ବିଦିତ ।

 

ଆପଣା ମନକୁ             ପଚାରି ବୁଝିଲା

ଲୋତକ ନେତ୍ରୁ ନ ବହେ,

ଯେଉ ଅଗ୍ନି ଗୃହ             କରେ ଆଲୋକିତ

ସେହି ଅଗ୍ନି ଗୃହ ଦହେ ।

 

ମହାଶୂନ୍ୟେ ଚାହିଁ             କାହାକୁ କେଜାଣି

ପଚାରିଲା ଏ କି କଥା ?

ପ୍ରତିଧ୍ୱନି ପ୍ରାୟ             ହେଲା ଏ ଉତ୍ତର

କଥା ନୁହେ ଏହା ବ୍ୟଥା ।

 

ଭାଳିଲା ଅହୋ କି             ବିଚିତ୍ର ସମସ୍ୟା

କରିଦେଲା ମୋତେ ଭେଜା,

ମଣୁଥିଲି ଯାକୁ             ଅବିଶ୍ୱାସ ସେହି

ଜନବାଦ ସତ୍ୟ ଏକା ।

 

କେତେ କ୍ଷଣ ପରେ       ଅଶ୍ରୁଧାରା ଆସି
ଅର୍ପିଲା ତାକୁ ସାନ୍ତ୍ଵନା,

ଅଶ୍ରୂ ସିନା ଏକା             ଦୁଃଖୀର ଭରସା

ହରେ ତା ହୃଦ ବେଦନା ।

 

କେହି ନାହି ଯାର             ନୁହେଁ ସେ ଅସାହା

ସ୍ୱୟଂ ହରି ତାର ସାହା,

ବିପଦ ସମୟେ             ଦେଖାଇ ଦିଅନ୍ତି

ସରଳ ଉଦ୍ଧାର ରାହା ।

 

ଈଶ୍ୱରେ ନିର୍ଭରି            ପୃଷ୍ପକାନ୍ତ କଲା

ଦୁଃଖଭାର ପରିହାର,

ଏକାନ୍ତ ଈଶ୍ୱର             ନିର୍ଭରତା, ଦୁଃଖ-

ଶୋଚନାର ପ୍ରତିକାର ।

 

ଧର୍ମ ଏକା ସିନା             ଭବସାଗରର

ସୁଦୃଢ଼ ସୁବର୍ଣ୍ଣ ସେତୁ,

ଭୋଗ ଲାଳସାଦି             ଅଳୀକ ବିଷୟ

ମହା ଅମଙ୍ଗଳ ହେତୁ ।

 

ଧର୍ମେ ଆଶ୍ରା କରି             ହେଲା ସେ ପୃଥକ

ଅନୁଜେ ନ କହି କିଛି,

ମାତ୍ର କିଶୋରର             ହୀନ ଦୁର୍ବୂଦ୍ଧିକି

ଗ୍ରାମଯାକ କଲେ- ଛି- ଛି ।

 

ଏହିପରି ଗଲା             କେତେ କାଳ ବିତି

ଦୁଃଖେ ଦୁଃଖେ ଦମ୍ପତିର,

କ୍ଷୟ କଲା ହୀରା            ପୀଡ଼ିତ ପତର

ସେବାରେ ନିଜ ଶରୀର ।

 

ହରି ପଦେ ନିତି             ଜଣାଉଥିଲା ସେ

ସ୍ୱାମି- ପୀଡ଼ା ମୁକ୍ତି ପାଇଁ,

ସତୀର ପ୍ରାର୍ଥନା            ପରମ ଆଗ୍ରହେ

ଶୁଣିଲେ ଜଗତସାଇଁ ।

 

ସ୍ୱଭାବ- ଦୟାଳୁ             ଶୁଣନ୍ତି ତା ଡ଼ାକ

ଡ଼ାକେ ଯେହୁ ଅକପଟେ,

ସୁଖୀଠାରୁ ପ୍ରଭୁ             ବହୁଦୁରେ ଥାନ୍ତି

ଦୁଃଖୀର ଅତି ନିକଟେ ।

 

ସତୀ ଦୁଃଖିନୀର             ଆତୁର ଆହ୍ୱାନେ

କୃପା କଲେ କୃପାମୟ,

ଅଳ୍ପଦିନ ମଧ୍ୟେ             ପୃଷ୍ପକାନ୍ତ ହୋଇ

ଉଠିଲାବ ନିରାମୟ ।

 

ପୁଷ୍ପକାନ୍ତ ହୀରା             ଉଭୟ ମିଳନ

କାଞ୍ଚନେ ମଣି ସଂଯୋଗ,

ଔଷଧ ସୁପଥ୍ୟ             ଚିକିତ୍ସାରେ ବାଳା

ବିନାଶିଲା ପତି-ରୋଗ ।

 

ମୃଣାଳ-କଣ୍ଟକ-            ବିକ୍ଷତ ଭ୍ରମରେ

ସରୋବର ଜେମା ଯଥା,

ସୁରଭି-ଔଷଧେ             ମକରନ୍ଦ- ପଥ୍ୟେ

ଆରୋଗ୍ୟ କରେ ସର୍ବଥା ।

 

ହୃତସ୍ୱାସ୍ଥ୍ୟ, ଶକ୍ତି,             ରଭି ପୃଷ୍ପକାନ୍ତ

କର୍ତ୍ତବ୍ୟେ ନିବେଶି ମତି,

ନବୋତ୍ସାହେ ମାତି             ସାଧୁ ବ୍ୟବସାୟେ

ସାଧିଲା ଆତ୍ମ- ଉନ୍ନତି ।

 

ଅଖଣ୍ତ ଅଦମ୍ୟ             ଅଧ୍ୟବସାୟରେ

ବୃଦ୍ଧି କଲା ଧନ, ମାନ,

ସ୍ୱଳ୍ପକାଳ ମଧ୍ୟେ             କଳ୍ପନା ନଗରେ

ହେଲା ଶ୍ରେଷ୍ଠ ଭାଗ୍ୟବାନ ।

 

ଏଣେ କିଶୋରର             ମସ୍ତକେ ପଡ଼ିଲା

ବିପଦ-ବଜ୍ର ପ୍ରଚଣ୍ତ,

ଉତ୍କୋତ- ଗ୍ରହଣ            ଦୋଷେ ଲଭିଲା ସେ

ଗୁରୁତର କାରାଦଣ୍ତା ।

 

ଦୁଃସମ୍ବାଦ ଶୁଣି             ପୁଷ୍ପକାନ୍ତ ହେଲା

ଦାରୁଣ ବ୍ୟଥାବିହ୍ୱଳ,

ବିଷାଦେ ଲଜ୍ଜାରେ             ଭଜିଲା ତାହାର

ପାଣ୍ତୁରତା ଗଣ୍ତସ୍ଥଳ ।

 

ଭାବିଲା ବିପଦେ             ଶତ୍ରୁକୁ ସହାୟ

ନୁହେଁ କେବେ ଅନୁଚିତ,

କିଶୋର ତ ମୋର        ଭାଇ, ଉଭୟର

ଶରୀରେ ଏକ ଶୋଣିତ ।

 

ଅକୃତଜ୍ଞ ହେଲେ             ହେଉ ସେ ପଛକେ

ମୁଁ କିପା ହେବି ପାମର,

ଯେତେ ହେଲେ ହେ ସେ       ଅନ୍ୟ କେହି ନୁହେଁ

ମୋହରି ତ ସହୋଦର ।

 

ଏହା ଭାବି ଶେଷେ             ଉଚ୍ଚାଧିକରଣେ

ଦର୍ଶାଇ ଯୋଗ୍ୟ କାରଣ,

ବହୁବ୍ୟୟେ ବହୁ-            କ୍ଳେଶେ ଅନୁଜକୁ

କଲା ସେ କାରାମୋଚନ ।

 

ଲଜ୍ଜାରେ କିଶୋର            ହେଲା ହେଠମୁଖ

ବେଭାର ଦେଖି ଭାତାର,

ନିଜ ଆତ୍ମ ତାକୁ             ନିର୍ବାକ ବାଣୀରେ

କଲା ତୀବ୍ର ତିରସ୍କାର ।

 

ଆତ୍ମ-ଦୁଷୃରଣୀ             ହୃଦୟ- କବାଟେ

କଲା ଦୃଢେ କରାଘାତ,

କହିଲା କିଶୋର             ସାଶ୍ରୁ ନେତ୍ରେ ବିହି

ଭାତୃପଦେ ପ୍ରଣିପାତ ।

 

ଶତ ଅପରାଧେ             ଅପରାଧୀ ମୁହିଁ

ଅଗ୍ରଜ ତବ ଚରଣେ,

ଅନୁଗତ ଭୃତ୍ୟ            ଜ୍ଞାନେ କ୍ଷମାକର

ଏ ପାମର ଅଭାଜନେ ।

 

ଏତେ କାଳ ଯାଏଁ             ପଢ଼ିଥିଲି ଯାହା

ତାହା ଖାଲି ବାଲ୍ୟଶିକ୍ଷା,

ଲଭିଲି ପ୍ରକୃତ            ଶିକ୍ଷା ଆଜି ମୁହିଁ

ପ୍ରଥମେ ଦେଇ ପରୀକ୍ଷା ।

 

ନିନ୍ଦୁଥିଲି ମୁହିଁ             ଅନଭିଜ୍ଞ ପ୍ରଣେ

ଏକାନ୍ନବର୍ତ୍ତୀ ସମାଜେ,

ବୁଝିପାରି ତାର             ଶୁଭଗର୍ଭ ଫଳ

ଅବନତ ଏବେ ଲାଜେ ।

 

କେଉଁ ମୁଖେ ମୁହିଁ            ଶିକ୍ଷିତ ବୋଲାଏଁ

ନାସ୍ତିକ ଅଧମ ଛାର,

ଅଜ୍ଞାନେ ସିନା ମୁଁ             ମର୍କତ ମଣିକି

ମଣୁଥିଲି ମୃଦଙ୍ଗାର ।

 

ତୁମ୍ବ ପରି ନର -             ଉପରୁପୀ ଦେବ

ଯେ ସମାଜ ଆଭରଣ,

ସମାଜ ମଧ୍ୟେ ସେ             ସୁଖ ସ୍ୱର୍ଗୋପମ

ସୁଗଣ୍ୟ ବରେଣ୍ୟ ଧନ୍ୟ ।

 

ଏଥୁ ଅନ୍ତେ ଧୀରା             ଧୀରେ ଧୀରେ ଆସି

ଧରି ଦୃଢ଼େ ହୀରା ପାଦ,

ବୋଇଲା ଭଉଣି !             ଅର୍ପିଛି ତୁମ୍ଭଙ୍କୁ

ବହୁ ବ୍ୟର୍ଥ ଅପବାଦ ।

 

ଦାସୀଜ୍ଞାନେ ତାହା             କ୍ଷମା କରି ମୋତେ

ପ୍ରଦାନ ପଦେ ଆଶ୍ରୟ,

ତୁମ୍ଭପରି ଦେବୀ-            ପ୍ରତିମାକୁ ସେବି

କରିବି ମୁଁ ପାପ କ୍ଷୟ ।

 

ତୁମ୍ଭ ପ୍ରତି ମୋର             ମନ୍ଦ ବ୍ୟବହାର

କେତକୀ କୁସୁମ ବତ,

ଗୌରବକାରୀକୁ             କରିଦିଏ ସେହୁ

କଣ୍ଟକେ କ୍ଷତ ବିକ୍ଷତ ।

 

ନିତି ନିତି ତବ             ପୁଣ୍ୟ ପାଦୋଦବ

ସେବନ ମୋର ବିହିତ,

ତାହା ଭିନ୍ନ ମୋର            ଉତ୍କଟ ପାପର
ନାହିଁ ଅନ୍ୟ ପ୍ରାୟଶ୍ଚିତ୍ତ ।

 

ଏକମେଳେ ସର୍ବେ             ରହିଲେ ଆବର
ସ୍ନେହ ମାୟା ରସେ ଦ୍ରବି,

ସାମ୍ୟ- ମୈତ୍ରୀ- ପ୍ରୀତି       ସୁଧା-ସ୍ରୋତେ ଗୃହ

ବହିଲା କ୍ରିଦିବ ଛବି ।

 

ଚତୁର୍ଥ ଚିତ୍ର

ଅସ୍ତଗାମୀ ରବି             ବାରୁଣୀ କୋଳରୁ

ଢ଼ାଳିଲେ କନକଧାରା,

ସିକ୍ତ ହୋଇ ତହିଁ             ଝଟକି ଉଠିଲା
କମଳିନୀ ଭାନୁଦାରା ।

ଦିଶିଲା ପାଟଳ             ଗୋଧୂଳି ମସ୍ତକ-

ପ୍ରଦାନ ମୁକୁଟ ପ୍ରଭା,

ବିଛା ହେଲା ରଙ୍ଗ-             ବନାତ ତହିଁ ବା

ବସିବ ମଙ୍ଘବା ସଭା ।

ବଳାତ୍କାରେ କର୍ଣ୍ଣେ             ପ୍ରବେଶାଇ ଦେଲା

କାଳ କର୍ଣ୍ଣନ୍ତୁଦ ଧ୍ୱାନେ,

ଆତ୍ମଶ୍ଳାଘୀ ଯଥା             ଆତ୍ମପ୍ରଶଂସାକୁ

ପ୍ରବେଶାଏ ପର କାନେ ।

ଅସୂତ୍ର-ଗ୍ରଥିତ             ପୁଷ୍ପମାଳା ପ୍ରାୟ

ଉଡ଼ିଯାନ୍ତି ବଳାବଳୀ,

ବସନ୍ତ-ବିପଞ୍ଚୀ             ପଞ୍ଜମେ ବଜାଇ

ସରୁ ଉଡ଼ିଯାଏ ଅଳି ।

 

ରବି ଅସ୍ତ ହେଲେ            ଦିଶିଲା ମଳିନ

ଚୌଦିଗ ନଭ ପୃଥିବୀ,

ସମଗ୍ର ବିଶ୍ୱର             ଏକମାତ୍ର ଦୀପ

ଦେଖୁ ଦେଖୁ ଗଲା ନିଭି ।

 

ସନ୍ଧ୍ୟାଗମ ବାର୍ତ୍ତା             ମଧୁରେ ଗମ୍ଭୀରେ

ପ୍ରଚାରିଲା ସନ୍ଧ୍ୟାଦୂତ, *

ଚକୋର ଦମ୍ପତି             ସର ବେନି ତୀରେ

ଗଲେ ହୋଇ ସଙ୍ଗଚ୍ୟୁତ ।

* ଶଙ୍ଖ

 

ଅବନୀ ବଦନ            କ୍ରମେ ଆଚ୍ଛାଦିଲା

ଅନ୍ଧାର ବିସ୍ତାରି କାୟା,

ଲୁବ୍ଧକ ମାନସ             ଆଚ୍ଛାଦିଲା କିବ।

କରାଳ କାମନା ଛାୟା ।

 

ଗୋଟି ଗୋଟି ହୋଇ       ଅସଂଖ୍ୟ ତାରକା

ନଭ ଗର୍ଭେ ଗଲେ ଦେଖା,

ପ୍ରକୃତି- ପୁସ୍ତକ             ଶୂନ୍ୟପତ୍ରେ ହେଲା

ସ୍ୱର୍ଣ୍ଣ ବର୍ଣ୍ଣାବଳୀ ଲେଖା ।

 

ଛିନ୍ନ ପୁଷ୍ପମାଳ            ପ୍ରାୟ ବିଶୃଙ୍ଖଳ-

ସୁଷମା ଦର୍ପେ ଦେଖାଇ,

ନିମେଷ ବିହୀନ             ଅତୃପ୍ତ ନୟନେ

ରହିଲେ ଧରାକୁ ଚାହିଁ ।

 

ଅନନ୍ତ ଅଗାଧ            କୃଷ୍ଣ ସମୁଦ୍ରରେ

ବୁଡ଼ିଗଲା ଚରାଚର,

ମେଘେ ବିଦ୍ୟୁପ୍ରାୟ             ଖଦ୍ୟୋତେ ସେ ସିନ୍ଧୁ

ଆଲୋଡିଲେ ନିରନ୍ତର ।

 

କୃଷ୍ଣ- ପାରବାରେ             ଜ୍ୟୋତିର୍ମତ୍ସ୍ୟ ପ୍ରାୟ

ଭାସି ଉଠି କ୍ଷଣେ କ୍ଷଣେ,

କ୍ଷଣେ କ୍ଷଣେ ବୁଡ଼ି            ମିଶିଯାଉଛନ୍ତି

ସେ ସାଗର ଅପଘନେ ।

 

ତମ ଭୀମ ରୂପେ             ଭୀତ ହୋଇ ଅତି

ଅଥବା ପ୍ରକୃତି- ରାଣୀ,

ମୂହୁମୁତୁଃ ଚକ୍ଷୁ             ମୃଦି ଦେଉଛନ୍ତି

ଚାହିଁଣ ଚୋରା ଚାହାଣି ।

 

ନଭଃ-ଅଗ୍ନିଶିଳା             ଅନ୍ଧକାର-ଲୌହ

ବେନି ସଂଘର୍ଷଣେ ଅବା,

କୋଟି ବହ୍ନିଚୁର୍ଣ୍ଣ            ଝଡ଼ି ନିର୍ବାପିତ

ଦେଖାଇ କ୍ଷଣିକ ପ୍ରଭା ।

 

ଘୋର ଅନ୍ଧକାରେ             ଚକ୍ଷୁଷ୍ମାନ, ଅନ୍ଧ

ସମଦଶା ଉଭୟର,

ଗୃହିଣୀନିଜର             ଦୀପାବଳୀ ଜାଳି

ଦୀସ୍ତ କଲେ ପ୍ରତିଘର ।

 

ଭିତରେ ଆଲୋକ             ମାତ୍ର ସ୍ତୁପୀକୃତ

ବାହାରେ ଅନ୍ଧାରରାଶି,

ହାତ ଧରାଧରି             ହୋଇଛନ୍ତି କିବା

ଅମାବାସ୍ୟା ପୌର୍ଣ୍ଣମାସୀ ।

 

କ୍ରମେ ରଜନୀର             ଗାମ୍ଭୀର୍ଯ୍ୟ ବଢ଼ିଲା

ହେଲା ସେ ଭୀଷଣା ଅତି,

ଶବ୍ଦହୀନ ସ୍ତବ୍ଧ             ମହିମା ନିଶୀଥେ

ପ୍ରକାଶିଲା ବସୁମତୀ ।

 

ଥରେ ଥରେ ସୁପ୍ତ            ତରୁ କୋଳୁ ହୋଇ
ପେଚକ ଚାବ ଉତ୍କ୍ଷିତ,

ନିସ୍ତରଙ୍ଗ ସେହି             ନିଶୀଥ- ସିନ୍ଧୁକୁ

କରୁଥିଲା ତରଙ୍ଗତ ।

 

ସାଇଁ ସାଇଁ ସ୍ୱରେ             ପ୍ରଚାରିଲା ଆଣି

କିଏ କେଉଁ ନବବାଣୀ,

କାହୁଁ ତାହା ଜାତ            କି ତାହାର ଅର୍ଥ

ଅଜ୍ଞାତ ତାହା କାହାଣୀ ।

 

କାନନ ଭୁଷଣ             ତରୁ ବିରୁ ୧ ସର୍ବେ

ଅନ୍ଧକାରେ ସ୍ନାନ କରି,

ଦିଶିଲେ ଯେସନ             ମୌନ ସୁପ୍ତିମଗ୍ନ

ଅସିତ-ବସ୍ତ୍ର ନଗରୀ ୨ ।

 

୧ - ଲତା ।

୨- ତମ୍ଭୁମୟ ରାଜ୍ୟ

 

ଯାମିନୀ- ଯୌବନ             ବିଘୋଷିଲା ଉଚ୍ଚେ

ଯାମିନୀ ଜଗୁଆ ଶିବା,

ମଧ୍ୟାକାଶେ ଉଠି             କୃତ୍ତିକା ସୁନ୍ଦରୀ

ପ୍ରକାଶିଲା କ୍ଷୀଣ ବିଭା ।

 

ଏସନ ସମୟେ             ସ୍ୱପ୍ନପୁର ଗ୍ରାମେ

ଲକ୍ଷ୍ମଣ ବଣିକ ଘରେ

ପ୍ରାଚୀର ଉଲ୍ଲମ୍ପି            ଅତି ଗୋପନରେ

ପଶିଲେ ଆସି ତସ୍କରେ ।

 

ଦଇବେ ସେ ଦିନ             ଗୃହରେ ବଣିକ

ଥିଲେ ନାହିଁ ଉପସ୍ଥିତ,

ହାର ଉଗ୍ନ ଆଶେ            କପାଟେ ଆଘାତ

କଲେ ଦସ୍ୟୁ ନୋହି ଭୀତ ।

 

ସେ ଶବଦେ ଜାଗି             ବଣିକ ଗୃହିଣୀ

ବସିଲା ଉଠି ସତ୍ୱରେ,

ଭତ୍ତି- ବିଲମ୍ବିତ             କରବାଜ ଆରି

ଧରିଲା ସୂଦୃଢ଼େ କରେ ।

 

ଝଟକି ଉଠିଲା             ଗୃହ ପ୍ରଜ୍ୱଳିତ

ଦୀପାଲୋକେ ଚନ୍ଦ୍ରହାସ,

ଅନୁକରିଲା ସେ             ପ୍ରଦୀପ୍ତ ଦାମିନୀ

ଅନଜ ଭୀକ୍ଷଣ ହାସ ।

 

ହାର ଭଗ୍ନ ପରେ             ଗୃହ ଅଭ୍ୟନ୍ତରେ

ଚାହିଁ ଦେଇ ଦସ୍ୟୁପତି,

ଦେଖିଲା ସଦମ୍ଭେ             ବସିଛି ପଲଙ୍କେ

ଭୈରବୀ ନାରୀମୁରତି ।

 

ସୂଦୃଢ଼ ମୁଷ୍ଟିରେ             ଧରିଅଛି କରେ

କରାତ ଉଲଙ୍ଗ ଆସି,

କ୍ରୋଧ-କଷାୟିତ             ନୟନଯୁଗଳୁ

ପଡ଼ୁଛି ସ୍ଫୁଲିଙ୍କ ଖସି ।

 

କୃଷ୍ଣ ଘନଜିତ             ବୀଚି- ବିକୁଞ୍ଚିତ

ନିଦ୍ରା-ମୁକୁଳିତ କେଶ,

ବିଲମ୍ବିତ ହୋଇ             ଗହଳେ ଚଟୁଳେ

ଆଚ୍ଛାଦିଛି ପୃଷ୍ଠଦେଶ ।

 

ଆପାତ ଦୃଷ୍ଟିରେ             ବାରି ହେଉ ନାହିଁ

ଅମରୀ କିମ୍ବା ମାନବୀ,

ମରକତ ଶିଳେ             ହୋଇଛି କି ଅଙ୍କା

କନକ ରଙ୍ଗରେ ଛବି ।

 

ଉତ୍କମ୍ପିତ ଗାତ୍ରେ             ଗର୍ଜିଉଠି କ୍ରୋଧେ

କହିଲା ବଣିକ-ବାମା,

ମୁଖରିତ ହୋଇ             ଉଠିଲାସେ ରବେ

ନୀରବ ସୁପ୍ତ ତ୍ରିଯାମା ।

 

ସାବଧାନ, ଦୁଷ୍ଟ            ମାନବ-ପିଶାଚ

ନାରକୀ ନରଘାତକ,

ଦେହଳି ଲଙ୍ଘିଲେ             ସ୍ଥନ୍ଧରେ ତୋହର

ରହିବ ନାହିଁ ମସ୍ତକ       

 

ଭାବିଛୁ ପରା ତୁ            ନାହିଁ ତିଳେ ହେଲେ
ଅବଳା ବାହୁରେ ବଳ,

ଦୁର୍ବଳ ସେ ସତ୍ୟ             ମାତ୍ର କାର୍ଯ୍ୟକାଳେ

ଉଠଇ ହୋଇ ପ୍ରବଳ ।

 

ଦୁର ଦୂବ ଖଣ୍ଟ            ଯା ଯା ପ୍ରାଣ ଘେନି

ପକାଇ ଯାରେ ଖରେ ତୁ,

ନତୁ ଏହି ଅସ୍ତ୍ରେ             ହେବୁ ତୁ କାଳର

ରସନା ପ୍ରତୃପ୍ତି ହେତୁ ।

 

ଏହାଠାରୁ ବଳି             ତୀକ୍ଷ୍ମତର ଅସ୍ତ୍ର

ଅଛି ମୋର ଅସ୍ତ୍ରାଗାରେ,

ବିନିର୍ମିତ ତାହା             ଦୁର୍ବାର ପ୍ରଖର

ସତୀତ୍ୱ-ଅଗ୍ନିଶିଖାରେ ।

 

ଅବଳାକୁ ଏହି             ଅମୋଲା ବ୍ରହାସ୍ତ୍ର

କରିଛନ୍ତି ବିହି ଦାନ,

ତାହାରି ବଳେ ସେ             ରଖେ ଆତ୍ମପ୍ରାଣ

ଧନ, ଧର୍ମ, ଯଶ, ମାନ ।

 

ପାଞ୍ଚିଛୁ ପାମର             ଅବଳା ଧରଷି

ଘେନିଯିବୁ-ଅଳଙ୍କାର,

ମାତ୍ର ସେ ଦୁରାଶା             ନ ମେଣ୍ଟିବ, ହେବ

ଦୁର୍ବାର ଲାଳସା ସାର ।

 

ମହାରଥିକୁଳ            ମହାସ୍ତ୍ରୁ ପ୍ରବଳ

ଅବଳା ସତୀତ୍ମ-ଅସ୍ତ୍ର,

ସ୍ପର୍ଶମାତ୍ରେ ଦେହ            ଭସ୍ମସାତ କରେ

ଅଗ୍ନି ଯଥା ରଙ୍ଗବସ୍ତ୍ର । *

* ଶାଦା ବସ୍ତ୍ର ଅପେକ୍ଷା ରଙ୍ଗବସ୍ତ୍ରରେ ନିଆଁ ଶୀଘ୍ର ଲାଗିଯାଏ ।

 

ଅର୍ଥ ପ୍ରାଣ ଘେନି             ଟଣାଟଣି ତୋର

ଲାଗିଅଛି ଏହିକ୍ଷଣି,

ଅଯୋଗ୍ୟ ସାହିତ୍ୟେ       ଭାଷାଭାବ ମଧ୍ୟେ

ଲାଗେ ଯଥା ଟଣାଟଣି ।

 

ସମ୍ମୁଖରୁ ମୋର             ହୋଇଯା ଅନ୍ତର

ଦୁରନ୍ତ ଦସ୍ୟୁ ପାଷଣ୍ତ,

ଅନ୍ୟଥା ଭୁଞ୍ଜିବୁ             ଏହି ଦଣ୍ତେ ଦୁଷ୍ଟ

ଦୁଷ୍କାର୍ଯ୍ୟର ଯୋଗ୍ୟ ଦଣ୍ତ ।

 

ଦେଖି ଏ ବ୍ୟାପାର             ପ୍ରବେଶୀ ଦସ୍ୟୁର

ତନୁ ହେଲା ଲୋମାଞ୍ଚିତ,

ବୁଡ଼ିଗଲା ବୁଦ୍ଧି             ହୁଡ଼ିଗଲା ବଜ

ରହିଲା ହୋଇ ସ୍ତମ୍ଭିତ ।

 

କୋଳାହଳ ଶୁଣି             ଉଠିଲେ ଏକାଳେ

ଅନ୍ତଃପୁର ଜନସଙ୍ଘ,

ଭୟେ ଦସ୍ୟୁପତି            ପକାଇଲା ତହୁ

ରଣେ ଦେଇ ପୃଷ୍ଠଭଙ୍ଗ ।

 

ଆନ ଘରେ ପଶି             ଏଥିପୁର୍ବୂ ତାର

ଧୁର୍ତ୍ତ ଅନୁଚର ବେନି

ବଣିକର ସୁପ୍ତ             ଅଷ୍ଟମବର୍ଷୀୟ

ପୁତ୍ରେ ଯାଇଥିଲେ ଘେନି ।

 

ଦସ୍ୟୁପତି ଆସି            ସେମାନଙ୍କ ସଙ୍ଗେ

ମିଳିଲା ଗୃହ ବାହାରେ,

ସର୍ବେ ଚାଲି ତହିଁ             ଦ୍ରୁତ ପଦକ୍ଷେପେ

ମିଶିଗଲେ ଅନ୍ଧକାରେ ।

 

ଗ୍ରାମ ଉପକଣ୍ଠେ             ନଦୀ ତୀରେ ଥିଲା

ତରଣୀ ହୋଇ ସଜ୍ଜିତ,

ଆରୋହଣ କରି            ସକଳେ ତହିଁରେ

ଚଳାଇ ଦେଲେ ବୋଇତ ।

 

କ୍ଷେପଣୀ ବଳରେ             ଧାଇଁଲା ତରଣୀ

ପବନୁ ଅଧିକ ଖରେ,

ବହୁ ଦୂର ଯାଇ             ସ୍ଥଗିତ ହେଲା ସେ

ଘୋର ବନ ସମୀପରେ ।

 

ଓହ୍ଲାଇ ଦସ୍ୟୁଏ             ପଶିଲେ ଅରଣ୍ୟେ

ବଣିକ ପୁତ୍ରକୁ ଘେନି,

ସତ୍ୱର ଗମନେ             ଗଲେ ଅତିକ୍ରମି

ବନ ପରେ ବନଶ୍ରେଣୀ ।

 

ଶେଷେ ଏକ ସ୍ଥାନେ             ସୁପ୍ତ ଶିଶୁ ଅଙ୍ଗୁ

ଅଳଙ୍କାର ନେଇ କାଢ଼ି,

ଚାଲିଗଲେ ସର୍ବେ             ଅରକ୍ଷ ଶିଶୁକୁ

କାନନେ ଦେଇ ଫୋପାଡ଼ି ।

 

ଅନ୍ତିମ ଜୀବନେ             ଢ଼ାଳିଲା ଯାମିନୀ

ଶେଷ ନିଃଶ୍ୱାସର ଧାରା,

ରାତ୍ରି ଜାଗରଣ             କଷାୟତ ନେତ୍ରେ

କାନ୍ଦିଲେ ନୀରବେ ତାରା ।

 

ଶୁଭିଲା ନିସ୍ୱନ             କଜ୍ମଳପତ୍ନୀର

ଦୁର ବୀଣାସ୍ୱର ପ୍ରାୟ,

ଘୁଞ୍ଚିଲା କାଳିମା            ପୌରନ୍ଦିରୀ ଧନୀ

ଦିଶିଲା ପାଟଳକାୟ ।

 

କିଚ୍ଛେଦ ବିଧୁରା             ମୁଦ୍ରିତ ନୟନା-

ସରଜେମା ପାଶେ ଯାଇ, ୧

କର୍ଣ୍ଣମୂଳେ ଅଳି             ପ୍ରାତଃ ଆଗମନ

ଗୁଞ୍ଜନେ ଦେଲା ଜଣାଇ ।

୧- ପଦ୍ମ ଫୁଲ ।

 

ଯଥାକାଳେ ରବି-             ଦିବସ କୌସ୍ତୁଭ

ପ୍ରୀତୀମୂଳେ ଦେଲେ ଦେଖା,

ପ୍ରକୃତି ସୁନ୍ଦରୀ             ଅପ୍ରସନ୍ନ ମୁଖେ

ଖେଳିଗଲା ହାସ୍ୟରେଖା ।

 

ପତ୍ର ରନ୍ଧ୍ରପଥେ             ବାଳ ରବିକର

କ୍ରମଶଃ ହୋଇ ପତିତ,

କୁସୁମ କୁନ୍ତଳା             ଧରଣୀକି କଲା

ମଣିମୁକ୍ତା ବିଭୂଷିତ ।

 

ଛାୟାଲୋକ ଚିତ୍ରେ             ଅପୂର୍ବ ମାଧୁରୀ

ଧରିଲା ପାଦପ ତଳ

ବିଛା ହୋଇଛି କି             ଚିତ୍ର ମୃଗଚର୍ମ,

ସିଞ୍ଚା କି କିରଣ ଜଳ ।

 

ନବ ଜୀବନର             ଆଲୋକ ଧାରାରେ

ତିନ୍ତିଗଲା ତରାଚର,

ନବୀନ ଆଲୋକ-             ମଧୁର ତରଙ୍ଗେ

ସନ୍ତରିଲେ ନଭଶ୍ଚର ୨।

୨ - ପକ୍ଷୀ

 

ରବିକର ସ୍ପର୍ଶେ             ବିହଙ୍ଗ ନିନାଦେ

ଭାଙ୍ଗିଲା ବାଳକ ନିଦ,

ଚାହିଁ ଦେଲା କ୍ଷଣି             ସୁକୁମାର ହୃଦେ

ଭୀତି- ଅସ୍ତ୍ର ହେଲା ବିଦ୍ଧ ।

 

କ୍ଷଣକେ ନିଶ୍ଚେତ             କ୍ଷଣକେ ସଚେତ

ହେଲା ଶିଶୁ ବାରମ୍ବାର,

ମୁର୍ଚ୍ଛା ଚୈତନ୍ୟର            ଦ୍ୱୈରଥ ସମର

ଲାଗିଗଲା ପ୍ରାଣେ ତାର ।

 

କାନ୍ଦ ମାଡ଼େ; ମାତ୍ର             କାନ୍ଦିପାରେ ନାହିଁ

ବାଷ୍ପେ ଫୁଲି ଉଠେ ତନୁ,

ଭୀତି-ଉତ୍ତାପରେ             ଶୁଣିଗଲା ଆହା

ଲୋତକ-ଝର ନୟନୁ ।

 

ଏ ସମୟେ ଏକ             ବୃଦ୍ଧା ଶବରୁଣୀ

କୋଳି ଆହରଣ ଆଶେ,

ଭ୍ରମୁ ଭ୍ରମୁ ବନେ             ମିଳିଗଲା ଦୈବେ

ବିପନ୍ନ ବାଳକ ପାଶେ ।

 

ବାଳକ ଦୁଃଖରେ             ବିଚଳିତ ହୋଇ

ସ୍ୱୟଂ ଅବା ଦେବୀ ଦୟା,

ମୁର୍ତ୍ତିମତୀ ହୋଇ             ଉଭାହେଲେ ଆଗେ

କରୁଣାସିକ୍ତ ହୃଦୟୀ ।

 

ଦେଖି ତାକୁ ଶିଶୃ            ଆତୁରେ ସତ୍ମରେ

ଧରିଲା ଆକଟି ଯାଇ,

ଜଳମଗ୍ନ ଜୀବ            ବଞ୍ଚିଗଲା କିବ ।

କେବଣ ଆଶ୍ରୟ ତାଇ ।

 

କୋଳେ ତୋଳି ନେଇ       ସ୍ନେହେ ବନ୍ୟ ନାରୀ

ଝାଡ଼ି ଦେଉଁ ଦେଉଁ ଧୂଳି,

ମୂର୍ଚ୍ଛାଗ୍ରସ୍ତ ହୋଇ             ପଡ଼ିଲା ଝାଉଁଳି

ଆହା ସେ ପୁଷ୍ପପିତୁଳୀ ।

 

ଭାବିଲା ଶବରୀ             ବାଳକ ଶରୀରେ

ସଦୟେ ବୁଲାଇ ହସ୍ତ,

କିଏ କଲା ଏହି             ଅମୁଲ୍ୟ ରତ୍ନଟି

ଅସ୍ଥାନରେ ଆହା ନ୍ୟସ୍ତ ।

 

କେ ଆଣିଲା ଏହି             ଦେବଶିଶୁ, କରି

କେଉଁ ଗୃହ- ସ୍ୱର୍ଗ ଶୁନ୍ୟ,

କେଉଁ ଲତା କୋଳୁ             ଛିଣ୍ତାଇ ଆଣିଲା

କିଏ ଏ ସ୍ୱର୍ଣ୍ଣ ପ୍ରସୁନ ।

 

ଏ ମଣିଟି ପାଇଁ             ବଂଶୁ ନ ଥିବଟି

କେତେ ହୃଦେ ଶୋକ- ଫଣୀ

କେତେ ହୃଦୟରୁ             ଉଠୁଥିବ ହାୟ

ଆର୍ତ୍ତ ହାହାକାର ଧ୍ୱନି ।

 

କେଉ ଅଭାଗ୍ୟର             ଶିରେ କିଏ କଲା

ନିର୍ଘାତ ବଜ୍ର ପତନ,

କେତେ କଲବଲ             ହେଉଥିବ ସେହୁ

ହରାଇ ଏ ଗଣ୍ଠିଧନ ।

 

କେଉଁ ପୌର୍ଣ୍ଣମାସୀ       ଧରିଥିଲା ଗର୍ଭେ

ଏ ଲାବଣ୍ୟ ସୁଧାନିଧି,

କି ବିଚାରେ ଆହା             ଅଜ୍ଞାନ ବାଲୁତେ

ବିହିଲେ ଏ ଦଣ୍ତ ବିଧି ।

 

ବୃଥା ଏ ଭାବନା             ଅର୍ପନ୍ତି ଚନ୍ଦ୍ରେ, ଯେ

ରାହୁ ହସ୍ତ୍ରେ ପରାଭବ,

ସେ ବିଧିଙ୍କ ପକ୍ଷେ             ଏ ବିଧାନ କେବେ

ନୁହଇ ତ ଅସମ୍ଭବ ।

 

ସୁକୁମାର ଫୁଲ             ଦୁଷ୍ଟ କୀଟ ହସ୍ତେ

ଭୁଞ୍ଜୁଛି ଦଣ୍ତ ଅଯଥା,
ବିଚିତ୍ର ସଂସାର-             ବିଚିତ୍ର ବିଧାନେ

ବିଚିତ୍ର ବା କେଉଁ କଥା ?

 

କେଉଁ ଗୁପ୍ତ ଦେଶେ       କେଉଁ ଗୁପ୍ତ ଦ୍ରବ୍ୟେ

ନର ଭାଗ୍ୟ ହୁଏ ଗଢା,

ଆନ କେ ଭେଦିବ             ସେ ଗୁପ୍ତ ରହସ୍ୟ

ସେ ଭାଗ୍ୟବିନ୍ଧାଣି ଛଡ଼ା ।

 

କର୍ମେ ଯେବେ ଭାଗ୍ୟ      ଗଢ଼ା ହୁଏ ତେବେ

ବାଳକର କିସ କର୍ମ,

ଅଜ୍ଞାନ ବାଳୁତ             ଜାଣି ନାହିଁ କିଛି

କର୍ମାକର୍ମ ଧର୍ମାଧର୍ମ ।

 

କର୍ମ ଜ୍ଞାନ ଅତି             ଦୁରୁହ, ତହିଁରେ

ବୃଦ୍ଧ ସୁଦ୍ଧା ହୁଏ ବଣା,

ସ୍ୱଭାବେ ଯେ ଶିଶୁ            ସଂସାର ସମସ୍ୟା

ସବୁ ତ ତାକୁ ଅଜଣା ।

 

ବଲ୍ଲବ- ବ୍ୟଜନେ             ବିଞ୍ଚି ବୃଦ୍ଧା କଲା

ବାଳକକୁ ସଚେତନ,

ଧୀରେ ଧୀରେ ତହୁଁ       ବଣିକ ନନ୍ଦନ

ଚାହିଁଲା ଫେଡ଼ି ନୟନ ।

 

ବୋଇଲା କାହିଁ ମା            କାହିଁ ମୋର ବାବା

କାହିଁ ମୋ କମଳା ଅପା,

କାହିଁ ଆମ୍ଭ ଘର             କିଏ ନେଲା ମୋର

ବଳା, ଗୋଠ, ମାଳ, ଚମ୍ପା ।

 

ବୁଝିଲା ଶବରୀ             ଅଳଙ୍କାର ଲୋଭେ

ଦୁର୍ଦ୍ଦାନ୍ତ ଦସ୍ୟୁନିଚୟ,

ଶିଶୁକୁ ଚୋରାଇ,             ଦେଇ ଯାଇଛନ୍ତି

ଅରଣ୍ୟେ ଫିଙ୍ଗି ନିଶ୍ଚୟ ।

 

ଭାବିଲା ଜରତୀ             ଏଡ଼େ ମହାପାପ

ଛାର ଦଗ୍ଧୋଦର ପାଇଁ,

କରନ୍ତି ପିଶୁନେ,             ନର ହୋଇ ସୁଦ୍ଧା

ସର୍ବେ ନରରକ୍ତପାୟୀ ।

 

ଭବ-ବନ୍ଧୁଘର-             କୁଣିଆ ମାନବ

ଦୁଇ ଦିନ ତା ରହଣୀ,

ଏଥିଲାଗି ପୁଣି             ଏତେ ଆଶା ପୋଷା,

ଏଡ଼େ ବଡ଼ ଅକରଣୀ,

 

ଜକୌଳା ସମାନ            ପର ରକ୍ତେ ପୁଷ୍ଟ

ହେଉଛନ୍ତି ଖଣ୍ତେ ସୁଖେ,

ମାତ୍ର କାଳ ଦିନେ             ପ୍ରଚ୍ଛନ୍ନେ କ୍ଷେପିବ

ଲବଣ-ଜହର ମୁଖେ ।

 

ଚିରକାଳ କେବେ             ସମାନେ ନ ଯିବ

ସୁଖ ତ ସ୍ୱଳ୍ପାୟୁ ଭବେ,

ଦିବଦ ପଛରେ             ସାୟାହ୍ନ ଆସିବ

ବିଳମ୍ବ ନ କରି ଲବେ ।

 

ଆସନ୍ନ ଭବିଷ୍ୟ             ଗର୍ଭେ ଲୁଚି ଲୁଚି

ଆସୁଛି ଅଜ୍ଞାତ ଦିନ,

ଶେଷ ଦିନ ତାହା,             ଜୀବନର ଗ୍ରନ୍ଥି

କରିଦେବ ଛିନ୍ନ ଭିନ୍ନ ।

 

ନାହିଁ ପତି ପୁତ୍ର             ଧନ ପରିଜନ

ନିଃସାହା ମୁହିଁ ସଂସାରେ

ତଥାପି ହିଁ କେବେ             ଦିନଟିଏ ମୋର

କଟି ନାହିଁ ଅନାହାରେ ।

 

ଅନାୟାସଲବ୍ଧ             ଫଳେ ମୁଳେ ଶାକେ

ଧରି ତ ହୁଏ ଜୀବନ,

ଦ୍ୱିଦିନର କ୍ଷୁଧା             ନିବାରଣ ଲାଗି

କିପାଁ ଏତେ ପାପାର୍ଜନ ।

 

ଅନନ୍ତର ବୃଦ୍ଧା             ମତିନ ପଣନ୍ତେ

ବଣିକ ସୂତ ନୟନୁ,

ପୋଛିଦେଇ ଅଶ୍ରୁ            ମଧୁର ବଚନେ

ହରିଲା ଦୁଃଖ ତା ମନୁ ।

 

ବିପନ୍ନ ନୟନୁ             ପୋଛିଦେଲେ ଦୁଃଖ-

ବେଦନାର ଅଶ୍ରୁରେଖା,

ଯେ ସୁଖ ତହିଁରେ             ସେ ସୁଖ ମାଧୁରୀ

ଜାଣେ ଅନୁଭବୀ ଏକା ।

 

ବୋଇଲା ରେ ବତ୍ସ             ଗତ ରଜନୀରେ

ଅଳଙ୍କାର ଲୋଭେ ତୋର,

ଘରୁ ଆଣି ତୋତେ            ଏ ବିଜନ ବନେ

ଫିଙ୍ଗି ଦେଇଗଲା ଚୋର ।

 

କାନ୍ଦନା କାନ୍ଦନା             ଚାଲ ମୋ କୁଟୀରେ

ତୁନି ହୁଅ ମୋ ସଙ୍ଖାଳି,

ଖଜା କିଣି ଦେବି             କୋଳି ତୋଳିଦେବି

ଗୁନ୍ଥିଦେବି ଫୁଲମାଳୀ ।

 

ଖୋଜିବାକୁ କେହି             ଆସିଲେ ତୋହର

ପଠାଇଦେବି ତା ସାଥେ,

ଏହା କହି ରଚି             ଲତାରେ ବଳୟ

ପିନ୍ଧାଇଦେଲା ତା ହାତେ ।

 

ଅଧାତୁ-ନିର୍ମିତ             ସେ ଚାରୁ ବଳୟେ

ଶୋଭିଲା ବାଳକ କର,

ସ୍ୱଭାବ-ସୁନ୍ଦର             ଅଙ୍ଗକୁ ହିଁ ଏକା

ସକଳ ଦିଶେ ସୁନ୍ଦର ।

 

ବୃଥା ଖଞ୍ଜୁ ଥିଲା             ଶବରୁଣୀ ସିନା

ଭୁଷଣ ବାଳକ ଦେହେ,

ଅନ୍ତର ସୌନ୍ଦର୍ଯ୍ୟେ             ନ ଦେଖିଲା ମାତ୍ର

ଅନ୍ଧ ହୋଇ ମୋଦେ ସ୍ନେହେ ।

 

ନିସର୍ଗ ଭୁଷଣ-             ସରଳତା ତାର

କେଡ଼େ ମନୋମୁଗ୍ଧକର,

କେଉଁ ଭୁଷଣ ବା             ତା ସମ ସୁନ୍ଦର

ଭୁଷଣ ସେ ଭୁଷଣର ।

 

ଲଳିତ ମଧୁର             ବଚନ ଆବର

ଅରୂପ-ରୁଚିର ଭୂଷା,

ବାଳକେ ଅପୂର୍ବ-             ସ୍ୱପନ- ରାଜ୍ୟର

ଅପୂର୍ବ ମଣି-ମଞ୍ଜୂଷା ।

 

ରହିଲା ବାଳକ             କରି ଆଲୋକିତ

ଶବରୀର ପର୍ଣ୍ଣକୁଟୀ,

ଶୈବାଳ ସଙ୍କୁଳ            କୁତ୍ସିତ ପଲ୍ଲକେ

ଉଠିଲା କମଳ ଫୁଟି ।

 

କୋଳି ବିତ୍ରସ୍ଵାର୍ଥେ             ଯାଏ କିରାସିନୀ

ନିତି ନିତି ଗ୍ରାମାନ୍ତରେ,

ପୋଷ୍ୟ ଶିଶୁଟିକୁ             ମିଷ୍ଟାନ୍ନ କଣ୍ଢେଇ

ଆଣିଦିଏ ସ୍ନେହଭରେ ।

 

ମାତୃ-ମୂର୍ତ୍ତି ନାରୀ             ଆତ୍ମ ପର ଭେଦ

ନ ରଖନ୍ତି ଶିଶୁ ପ୍ରତି,

ମାତୃସ୍ନେହଠାରୁ             ଶବରୀର ସ୍ନେହ

ବଳିଗଲା କ୍ରମେ ଅତି ।

 

ସ୍ନେହ ଭୋଜନର             ବଶବର୍ତ୍ତୀ ଶିଶୁ

ନ ଧାରେ ଅନ୍ୟର ଧାର,

ଯାହାଠାରୁ ପାଏ             ଅଯାଚିତେ ତାହା

ହୁଏ ସେ ଆପେ ତାହାର ।

 

ଦଇବେ ଦରିଦ୍ର            ଚକ୍ରବର୍ତ୍ତୀ ହେଲେ

ଲଭେ ଯଥା ମହୋଲ୍ଲାସ,

ତଥା ସେ ଜରତୀ             ହେଇଥିଲା ମୁଗ୍ଧ

ଦେଖି ଶିଶୁ ମୁଖେ ହାସ ।

 

ମାତୃସ୍ନେହ ପାଇ             ବୃଦ୍ଧାକୁ ବାଳକ

କରେ ମାତୃ ସମ୍ବୋଧନ,

ଲଭିଲା ବେନିଙ୍କ             ପ୍ରତି ବେନିଙ୍କର

ମମତା କ୍ରମେ ବର୍ଦ୍ଧନ ।

 

ପାଳିଲା ଶିଶୁକୁ             ସଯତନେ ବୃଦ୍ଧା

ବାର୍ଦ୍ଧବ୍ୟ ସହିତ ଯୁଝି,

ମଧୁର ବଚନେ             ତାହାର ସେ ଋଣ
ଦେଉଥାଏ ଶିଶୁ ଶୁଝି ।

 

ଏହିପରି ଭାବେ             ତ୍ରିବର୍ଷ ଅତୀତ

ହୋଇଗଲା ଚାହିଁ ଚାହିଁ,

ହୃତ ବାଳକର             ଅନୁସନ୍ଧାନାର୍ଥେ

ନ ଆସିଲେ କେହି କାହୁଁ ।

 

ସମୟର ଗତି             ନିୁରଙ୍କୁଶା, ସେହୁ

ନ କରେ କାହା ପ୍ରତୀକ୍ଷା,

ଚାଲେ ସମଭାବେ             ମାନବ ଜୀବନେ

ଘଟାଇ କେତେ ପରୀକ୍ଷା ।

 

କିଛିଦିନେ ବୃଦ୍ଧା             ଦାରୁଣ ପୀଡ଼ାରେ

ଉତ୍ଥାନେ ହେଲା ଅକ୍ଷମ,

ଦରିଦ୍ର ପକ୍ଷରେ             ରୋଗ ସିନା ନିଶ୍ଚେ

ଦ୍ୱିତୀୟ ଦୁରନ୍ତ ଯମ ।

 

ନିଷିଦ୍ଧ ତାହାକୁ             ଇହ ଜୀବନରେ

ଦେଖିବାକୁ ସୁଖ ମୁଖ,

ଦରିଦ୍ରର ଭାଗ୍ୟ            ଚିର ଅଶ୍ରୁସିକ୍ତ

ଅଶ୍ରୁ ହିଁ ତାହାର ସୁଖ ।

 

ପକ୍ଷୀ ପ୍ରାୟ ଯାର             ସଦ୍ୟ ଆୟ ବ୍ୟୟ

ହେଲେ ସେ ପୀଡ଼ାରେ ଘାରି,

ଅଙ୍ଗଜାତ ରୋଗ             ପ୍ରାୟ ନିଜ ପେଟ

ତାହାର ହୁଏ ଭଗାରୀ ।

 

କି ଅତୃପ୍ତ ତୁମ୍ଭେ             ଉଦର ଦେବତା

ବ୍ରହ୍ମାଣ୍ତଗ୍ରାସୀ ମୂରତି,

ତୁମ୍ଭ କୋଷ୍ଠୀରେ କି       ଲେଖି ନାହି ବିହି

ବିରକ୍ତି କିମ୍ବା ବିରତି ।

 

ଅଗ୍ନିହୋତ୍ରୀ ତୁମ୍ଭେ             ଅଜନ୍ନ ମରଣ

ନ ନିଭେ ତୁମ୍ଭର ଅଗ୍ନି,

ତୁମ୍ଭେ ଯାଗକୁଣ୍ତ             ଜିହ୍ୱା ଶ୍ରୁବ ଶ୍ରୁଚ

ତବ ପ୍ରିୟତମା ଭଗ୍ନୀ ।

 

ଦଣ୍ତେ ମାତ୍ର ହେଲେ       ପୂଜାରେ ବିଳମ୍ବ

ଅସହ୍ୟ ହୁଏ ତୁମ୍ଭର,

ଆକୃତିରେ ତୁମ୍ଭେ             କ୍ଷୁଦ୍ର ହେଲେ ସୁଦ୍ଧା

ଅନନ୍ତ ଗିରି ଗହ୍ୱର ।

 

ବୃଦ୍ଧାର ପୀଡ଼ାରେ             ବାଳକ ଉପରେ

ପଡିଲା ସଂସାର ଭାର

ତହିଁ ସେ ପ୍ରତ୍ୟହ             ଗ୍ରାମାନ୍ତରେ ଯାଏ

କାନ୍ଧେ ବହି କୋଳି ଭାର ।

 

ଦ୍ୱାରେ ଦ୍ୱାରେ ବୁଲି            ପଣ୍ୟ ବିକ୍ରୟାନ୍ତେ

ଆନ ବିକାଳିଙ୍କ ସହ,

ଫେରି ଆସେ ପଦେ       ବୃଦ୍ଧା ପାଇଁ କରି

ଔଷଧ ପଥ୍ୟ ସଂଗ୍ରହ ।

 

ଜଗତୀ ଊପରେ             ବାତାୟନ ପାଶେ

ବସିଛି ଧନିକ ବଧୂ,

ବଦନ- ବିଧୂରୁ             ଝରି ପଡ଼ୁଅଛି

ତରଳ ଚନ୍ଦ୍ରିକା ମଧୁ ।

 

ବେଶଭୂଷା ଅତି             ସଂକ୍ଷିପ୍ତ ତାହାର

ଅଧିକେ ନାହି ପିପାସା,

ସଂକ୍ଷିପ୍ତ ଯେସନ            ଉନ୍ନତ ଆଦର୍ଶ

ବିଜ୍ଞ ମାନବର ଭାଷା ।

 

ବକ୍ଷର ଭାସ୍ୱତୀ-             ମାତା ଜ୍ୟୋତି ସଙ୍ଗେ

ମିଶିଛି ଆନନ ପ୍ରଭା,

ବରଷି ଯାଉଛି             ପୃଷ୍ପହାସ୍ୟ ପରେ

ଜ୍ୟୋତ୍ସ୍ନା ହାସ୍ୟ ଧାରା ଅବା ।

 

ଚାହିଁଦେଲା ବାଳା             ଗବାକ୍ଷ ପଥରେ

ଦୃଷ୍ଟିରେ ପୀୟୁଷ ବୋଲି,

ଦେଖିଲା ସେ ପୂର୍ବ             ବର୍ଣ୍ଣିତ ବାଳକ

ବିକୁଅଛି ତଳେ ବୋଲି ।

 

କେଜାଣି କେବଣ             ଅଜ୍ଞାତ ଆନନ୍ଦ
ଉଛୁଳି ଉଠିଲା ମନେ,

ଡ଼କାଇ ଆଣିଲା             ଦୀନ ବାଳକେ ସେ

ସେବକୀ ପେଷି ତକ୍ଷଣେ ।

 

ପୃଷ୍ଠେ ଶିରେ ହସ୍ତ             ବୁଲାଇ ଆଦରେ

ବସାଇ ତାହାକୁ ପାଶେ,

ଆତ୍ମ-ପରିଚୟ             ପଚାରିଲା ପରେ

ସ୍ନେହସିକ୍ତ ମଧୁଭାଷେ ।

 

କହିଲା ବାଳକ             କିରାତ ଜାତି ମୁଁ

ଅରଣ୍ୟ ମଧ୍ୟେ ମୋ ଘର,

ବୃଦ୍ଧା ମାତା ଭିନ୍ନ             କେହି ନାହିଁ ମୋର

ସଂସାରେ ସଖା ସୋଦର ।

 

କିଛିଦିନ ହେଲା             ଜନନୀ ମୋହର

ପଡିଛି ଘରେ ବାଧିକି ।

ସେହିହେତୁ ମୁହିଁ             ଆସୁଛି ଏଣିକି

ଏ ଗ୍ରାମକୁ କୋଳି ବିକି ।

 

ମାତ୍ର ଏ ଉତ୍ତରେ             ଜିଜ୍ଞାସୁ ମାନସ

ନ ଭଜିଲା ପରିତୁଷ୍ଟି,

ଅବିଶ୍ୱାସ ମଣି            ଭାବିଲା ନିବେଶି

ବାଳକ ବଦନେ ଦୃଷ୍ଟି ।

 

ଏଭଳି ଫୁଲ କି            କାନ୍ତାରେ ଫୁଟିବ

ଉଦ୍ୟାନ ବାଟିକା ବିନା,

ସମ୍ଭବେ ଆହା ଏ             କମନୀୟ ରୁପ

ଉଚ୍ଚକୁଳେ ଏକା ସିନା ।

 

ମତ୍ତଙ୍ଗଜ ଭିନ୍ନ             ଗଜମୁକ୍ତା କେବେ

ଜନ୍ମେ କି ଶୁକର ଶିରେ,

ପ୍ରବାଳ ମାଣିକ୍ୟ             ସାଗରେ ସୁଲଭ

ମିଳେ ନାହିଁ ସରସୀରେ ।

 

ଅଙ୍ଗାର ଆକରୁ             ପଦ୍ମରାଗ ମଣି

ସଂଜାତ ବ୍ୟର୍ଥ ପ୍ରତ୍ୟାଶା,

ଅସଭ୍ୟ ତୁଣ୍ତରେ             ଉଚ୍ଚାରିତ କାହି

ହେବ ବା ସଂସ୍କୃତ ଭାଷା ।

 

ଏହା ଭାଳି ବାଳା             ପୁଣି ପଚାରିଲା

ବାଳକକୁ ପରିଚୟ,

କହିଲା ବାବୁ ରେ             ସତ କଥା କହ

ନ କରି ସଂଶୟ ଭୟ ।

 

ଅପରିଚିତାର             ଦୃଢ଼ ଅନୁରୋଧେ

ବିରତ ହୋଇ କୈତବୁ,

ବଣିକ କୁମର             ଆତ୍ମ ପରିଚୟ

କହିଲା ବିବରି ସବୁ ।

 

ତହୁଁ ଧନିବଧୂ            ପଲ୍ୟଙ୍କରୁ ଉଠି

ହୋଇ ଉଦ୍ଦୀପନା ଭୋଳ,

ମୋ ଭାଇ, ମୋ ଭାଇ ବୋଲି ମହାନନ୍ଦେ

ବାଳକକୁ କଲା କୋଳ ।

 

ବୋଇଲା ସୁକ୍ଷଣେ             ଆସିଥିଲା ଆଜି

ସୌଭାଗ୍ୟ- ଶୁଭ ପ୍ରଭାତ,

କାହା ମୁହଁ ମୁହିଁ             ଚାହିଁଥିଲି ଭାଇ

ଲଭିଲି ତୋହ ସାକ୍ଷାତ ।

 

ସମୁଦ୍ର-ନିମଗ୍ନ             ପଣ୍ୟ-ପୋତ ସ୍ୱତଃ

ଉଠିଅଛି ଭାସି ଆଜି,

ହତାଶ ହୃଦୟେ             ଉଠୁଅଛି ଆହା

ମଧୁର ମୁରଲୀ ବାଜି ।

 

ବାସ୍ତବ କି ଏହା             କିମ୍ବା ମୁଁ ଦେଖୁଛି

ମୋହନ ସ୍ୱପ୍ନ ଅତୁଳ,

ସ୍ୱପନ ରାଜ୍ୟରେ             ଫୁଟେ କି ଏଭଳି

ରମ୍ୟ ମନଭୁଲା ଫୁଲ ।

 

ନାହିଁ ନାହିଁ ସ୍ୱପ୍ନ-             ନୁହେଁ ଏହା ସତ୍ୟ

ସେହି ରକ୍ଷୁ ସେହି ନାସା,

ସେହି ମୁଖ-କାନ୍ତି            ସେହି କଳେବର

ସେହି ଦେବଶିଶୁ ଭାଷା ।

 

ଯାହା ଦୁଃଖ-ସ୍ମୃତି             ଉପାସ୍ୟ ଦେବତା

ହୋଇଥିଲା ମୋର ଆହା,

ସେହି ମୂର୍ତ୍ତି ଏ ତ             ଯାହା ଲାଗି ପ୍ରାଣ

କରୁଥିଲା ସଦା ହା-ହା ।

 

ଏତେ ଦିନେ ଶେଷ       ଜୀବନ-କାବ୍ୟର

ବିଷାଦ ସର୍ଗ ବର୍ଣ୍ଣନା,

ଆଜିଠାରୁ ହେବ             ମଧୁର ଛନ୍ଦରେ

ନବ ସର୍ଗ ଆଲୋଚନା ।

 

ପୁଚ୍ଛିଲା ବାଳକେ             ଚିହ୍ନିଲୁ କି ମୋତେ

ଅବଳା ଆଳକ- ଚମ୍ପା,

ତହୁଁ ସେ ବାଳକ             ବ୍ୟଥାବୋଳା ସ୍ୱରେ

କହିଲା, କମଳା ଅପା ।

 

ସୁପ୍ତ ଗତସ୍ମୃତି             ଖରେ ଉଠି ଦେଲା

ଫିଟାଇ ରୁଦ୍ଧାଶ୍ରୁଝର,

ପରସ୍ପର ମୁଖ             ଚାହିଁ ଦଣ୍ତେଯାଏ

ହେଲେ ଦୁହେଁ ନିରୁତ୍ତର ।

 

ଅନନ୍ତର ସ୍ୱସା             କହିଲା ଅନୁଜେ

କ୍ରନ୍ଦନ ଗଦ୍ଗଦ କଣ୍ଠେ,

ନିଦ୍ରିତାବସ୍ଥାରେ             ଘେନିଗଲେ ତୋତେ

ମାନବ ଦାନବ ଖଣ୍ଟେ ।

 

ହରାଇଣ ତୋତେ             ପିତାମାତା ବେନି

ଯେ ଦୁଃଖେ ହେଲେ ସନ୍ତାପି,

ସେ ଦୁଃଖ ବର୍ଣ୍ଣନେ             ସାରସ୍ୱତ ଜିହ୍ଵ

ସମର୍ଥ ନୁହେଁ କଦାପି ।

 

ଦେହ-ଦସ୍ୟୁ-ପୀଡ଼ା            ହରିଲେ ଗୋପନେ

କଳେବରୁ ସ୍ଵାସ୍ଥ୍ୟ- ଧନ,

ଛଟପଟ ହୋଇ             କରୁଣେ ଆତୁରେ

ବିଳାପେ ଆତ୍ମା ଯେସନ ।

 

ଅଥବା ଯେସନ             କୁଲାୟୁ ଶାବକେ

ଘେନିଗଲେ ତ୍ରୁର ବ୍ୟାଧ,

ଝୁରନ୍ତି ବିକଳେ             ବିହଙ୍ଗ ବିହଙ୍ଗୀ

ନିରାଶେ ଗଣି ପ୍ରମାଦ ।

 

ଛନ ଛନ ମନ             କାହିଁ ନ ଲାଗଇ

ବିଳାସି ଅସ୍ପଷ୍ଟ ସ୍ଵରେ,

ବାରମ୍ବାର ଉଚ୍ଚ             ବାରମ୍ବାର ଫେରି

ଆସନ୍ତି ନୀଡ଼େ ସତ୍ୱରେ ।

 

ତେସନ ଆମ୍ବର             କନକ ଜନନୀ

ଭଞ୍ଜଣ ଶୋକ ନିର୍ଘାତ,

କ୍ଷରେ କ୍ଷଣେ ଘରେ       କ୍ଷଣକେ ବାହାରେ

କରୁଥାନ୍ତି ଯାତାୟାତ ।

 

ଝୁରି ଝୁରି ହେଲେ             ମୃତକଳ୍ପ ବେନି

ବିସର୍ଜି ନିଦ୍ରା ଭୋଜନ,

ଦେଶେ ଦେଶେ ଲୋକ       ପେଷି ଖୋଜାଇଲେ

ବ୍ୟୟ କରି ବହୁ ଧନ ।

 

ମାତ୍ର କେହି କାହିଁ             ନ ପାଇଲେ ତୋତେ

ବୁଲି ବୁଲି ହେଲେ ଶ୍ରାନ୍ତ,

ଏହିପରି ଦୁଃଖେ             ଦୁଃଖେ ହୋଇଗଲା

ତିନି ବର୍ଷ ଅତିକ୍ରାନ୍ତ ।

 

ବର୍ଷ ବୃଦ୍ଧି ସହ             ଶୋକ- ସିଦ୍ଧୃ ତାଙ୍କ

ବଢ଼ିଲା ହୋଇ ଉତ୍କୃଳ,

ବୁଡ଼ିମଲା ତହିଁ             ବୈରାଗ୍ୟ ବଇରୀ-

ବାସନା ହୋଇ ଆକୁଳ ।

 

ବିବର୍ଦ୍ଧିତ ଶୋକ             କରି ଅବଶେଷେ

ନିଜ ସୀମା ଅତିକ୍ରମ,

ବଳେ ବଳେ ଆଣି             ଦେଲା ତାଙ୍କ ମନେ

ବୈରାଗ୍ୟ ପୁଣି ସଂଯମ ।

 

ତହୁଁ ମୋତେ ଅର୍ପି             ସୁପାତ୍ର ହସ୍ତରେ

ପ୍ରଦାନି ସର୍ବ ବିଷୟ,

ମର୍ତ୍ତ୍ୟ- ମୃକ୍ତି ତୀର୍ଥ             ଶ୍ରୀକ୍ଷେତ୍ରେ ବେନିଏ

ଗ୍ରହିଛନ୍ତି ଶେଷାଶ୍ରୟ ।

 

ଜଣାଇବି ତାଙ୍କୁ             ତୋ ସମ୍ବାଦ ଆଜି

ସତ୍ୱରେ ପେଷି ପ୍ରଣିଧି,

ଲଭିବେ ଆସି ସେ             ତାଙ୍କ ଅପହୃତ

କୋଟି କୁବେରର ନିଧି ।

 

ବନ୍ୟ-ନାରୀ କଥା             ନ ଭାଳ ତୁ କିଛି

ଭାଗ୍ୟ ତାର ପରିସ୍ଫୁଟ,

ମଣ୍ତିବ ସେ ଶିରେ             ଅମୃତ ରାଜ୍ୟର

ପୁଣ୍ୟର ହୈମ-ମୁକୁଟ ।

 

ସେ ମୁକୁଟେ ହେକ ଜ୍ୟୋତିଃଧାମୁ ବୁଷ୍ଟି

ଅମୃତର ଆଶୀର୍ବାଦ,

ଆଜିଠାରୁ ମୁହିଁ             ଇଷ୍ଟଦେବୀ ଜ୍ଞାନେ

ପୂଜିବି ତା ପୂତ ପାଦ ।

 

ଏହା ଭାଷି ଧନୀ-             ବଧୂ ଅନୂଜକୁ

ଘେନିଗଲା କକ୍ଷାନ୍ତରେ,

ପରମ ଆନନ୍ଦେ             ବଣିକ ନନ୍ଦନ

ରହିଲା ଭଉଣୀ ଘରେ ।

 

ଏଣେ ନୀଳାଚଳେ             ସୁସମ୍ବାଦ ପାଇ

ସସ୍ତ୍ରୀକ ବଣିକବର,

ଉତ୍କଣ୍ଠା ଆନନ୍ଦ             ଆତିଶଯ୍ୟେ ହେଲେ

କଣ୍ଟକିତ କଳେବର ।

 

ଭାବିଲେ ପ୍ରାକ୍ତନ             ରହସ୍ୟ ଭେଦନେ

ଶକ୍ୟ ସିନା ଏକା ସେହି,

ପ୍ରାକ୍ତନ-ମନ୍ଦିର             ଚିର ଅବରୁଦ୍ଧ

ଫେଡି ନ ପାରନ୍ତି କେହି ।

 

ବେଳୁ ବେଳୁ ବୃଦ୍ଧି             ଲଭିଲା ଉତ୍କଣ୍ଠା

ନ ପାରି ଆଉ ଅପେକ୍ଷି,

ମନ-ଯାନେ ଆସି             ବାରମ୍ବାର ଗଲେ

କଳ୍ପ-ନେତ୍ରେ ପୁତ୍ରେ ଦେଖି ।

 

କେତେ ଦିନ ଅନ୍ତେ            ମିଳିଲେ ଆସିଣ

ଜାମାତୃ ଆଳୟେ ବେନି,

ଅସମ୍ଭାଳ ଅଶ୍ରୁ             ଆତୁର ନିଃଶ୍ୱାସ-

ସମ୍ବଳ ସଙ୍ଗରେ ଘେନି ।

 

ଆଲିଙ୍ଗି ଆତ୍ମଜେ             ଅଭିଷିକ୍ତ କଲେ

ଲୋତକ ଢ଼ାଳି ନୟନୁଁ

ନିର୍ବାକ ସ୍ନେହର             ସୁସ୍ମିରାଧ ପରଶେ

ରୋମାଞ୍ଚିତ ପୁତ୍ର ତନୁ ।

 

ସୁଷୁପ୍ତ ବିରାଟ             ସ୍ନେହ- ଭୃଷା ତାଙ୍କ

ଉଠିଲା ପ୍ରଖରେ ଜାଗି,

କରିପାରେ ସ୍ନେହ             ତ୍ୟାଗୀକୁ ଆସକ୍ତ

ଆସକ୍ତକୁ ବଇରାଗୀ ।

 

ପ୍ରାଣ-ମଣି ଲାଲେ             ଦମ୍ପତି ପିଣ୍ତରେ

ପଶିଲା ନବ ଜୀବନ,

ବିଷାଦ-ମଳିନ             ମୁଖଶ୍ରୀ ତାଙ୍କର

ଦିଶିଲା ହର୍ଷ-ପ୍ରସନ୍ନ ।

 

ପ୍ରସନ୍ନ ଯେସନ             ମେଘମୃକ୍ତ ଦେଖି

ପ୍ରଦୀପ୍ତ ଅଗସ୍ତ୍ୟ ତାରା,

ଶାରଦ ଗଗନ             ସଙ୍ଗେ ଦକ୍ଷିଣାଶା

ମୌକ୍ତିକ ନୀହାର-ହାରା ।

 

ଜନନୀ ପୟରେ             ନମିଲା କମଳା

ସର ପଦେ ପଦ୍ମ ଯଥା,

ପରେ ପିତୃପଦ             ଅଶ୍ରୁନୀରେ ଧୋଇ

ଲଗାଇଲା ତହିଁ ମଥା ।

 

ତନୁଜା ମସ୍ତକେ             ହସ୍ତ ନିହି ଦୁହେଁ

ଆଶୀର୍ବାଦି ପୁଣ ସ୍ମଣ,

ବୋଇଲେ ମାଆ ଲୋ       ଭୁଲି ନ ପାରିବୁଁ

କୋଟି ଜନ୍ମେ ତୋର ଗୁଣ ।

 

ଏ ସମୟେ ଆସି             ଜରତୀ ଶବରୀ

ଉପସ୍ଥିତ ତହିଁ ଖରେ,

ପୂର୍ବୁଁ ଆଣି ତାକୁ             କମଳା ଆଶ୍ରୟ

ଦେଇଥିଲା ନିଜ ଘରେ ।

 

ନିରେଖି ତାହାକୁ             ଦମ୍ପତି ହୃଦୟେ

ଉଠିଲା ଭକ୍ତି ଉଛୁଳି,

ବାରମ୍ବାର ଦୁହେଁ             ବୋଳିହେଲେ ଶିରେ

ତାହାର ଚରଣ ଧୂଳି ।

 

ବୋଇଲେ ମାଆ ଗୋ       ପ୍ରତେ ହେଉ ନାହିଁ

ସତେ ତୁ ଶବରସୁତା,

ସ୍ୱୟଂ ଦୟାଦେବୀ             କିରାକିନୀ ତୁହି

ହୋଇଅଛୁ ଆବିର୍ଭୁତା ।

 

ଦେବୀଙ୍କ ଆରଧ୍ୟା            ମହାଦେବୀ ତୁହି

ଅମୃତର ପ୍ରିୟ କନ୍ୟା,

ମଙ୍ଗଳର ମାତା             ପୁଣ୍ୟ ମହିମିତା

ତପସ୍ୱିନୀ ଅଗ୍ରଗଣ୍ୟା ।

 

ଶୁଝି ନୁହେଁ ୠଣ             ପୂଜିଲେ ଆଜନ୍ମ

ସଂସ୍ଥାପି ତୋ ନାମେ ଘଟ,

ଅଥବା ତୋହର             ଚିତା ଭସ୍ମ ପରେ

ତୋଳିଲେ ସୁବର୍ଣ୍ଣ ମଠ ।

 

ଏହା ଭାଷି ତାକୁ             ତୋଷିଲେ ଦମ୍ପତି

ସାଦରେ ପ୍ରେମାଲିଙ୍ଗନେ,

ଧନିକ ଭବନ             ପରିଣତ ହେଲା

ପ୍ରେମାନନ୍ଦ- ବୃନ୍ଦାବନେ ।

 

ଏମନ୍ତେ ଦିନେ ସେ             ବଣିକ ବସାଇ

ତନୟା ତନୟେ ପାଶେ,

ପ୍ରକାଶଲା ସ୍ୱୀୟ             ମନୋଗତ ଭାବ

ସଧୀରେ ମଧୁର ଭାଷେ ।

 

କୋଳାହୁଳ ପୂର୍ଣ୍ଣ             ସଂସାର ଆମ୍ଭର

ମନ ଆଉ ଲାଗୁ ନାହିଁ,

ସଦା ଏ ଭାବନା             ତପ୍ତ ଆକାଙ୍କ୍ଷାରୁ

ରହିବୁ କିପରି ତ୍ରାହି ।

 

ବାସନା-ନାଗୁଣୀ             ସମ୍ମୋହନ ମଣି

ବଡ଼ ଲୋଭନୀୟ ଭବେ,

ତାହାରି ମୋହରେ             ପଡ଼ି ପରକାଳ

ହରାନ୍ତି ବୃଥା ମାନବେ ।

 

ଇଚ୍ଛା-ନଦୀ ଆମ୍ଭ             ଭବ-ଶୈଳ ତେଜି

ଧାଏଁ ମୁକ୍ତି-ସିନ୍ଧୁ ମୁଖେ,

ପ୍ରେୟ ଭୁମି ତେଜି            ଶ୍ରେୟ ଭୁମି ପରେ

ବିହରିବୁ ଏବେ ସୁଖେ ।

 

ବିଶ୍ୱ ଉହାଡ଼ରେ             ଅଛି ଜ୍ୟୋତି- ରାଜ୍ୟ

ଚିର ମହୋତ୍ସବମୟ,

ସେ ରାଜ୍ୟର ପୁଣ୍ୟ       ନିମନ୍ତ୍ରଣ ଶୁଣି

ହେଉଛି ଚିତ୍ତ ଅଥୟ ।

 

ପଣ୍ତଶ୍ରମେ ଆଉ             ଭଣ୍ତ ଭାଗବତ

ପଢ଼ିବାକୁ ନାହିଁ ଇଚ୍ଛା,

ପ୍ରାଣେ ମନେ ହୃଦେ            ଦଂଶୁଅଛି ସଦା

ଦୁଷ୍ଟ ଅନୁତାପ-ବିଛା ।

 

ତେଜିଛୁଁ ସଂସାର             ଫେରିବାକୁ ପୁଣି

ଲାଗୁଅଛି ହୃଦେ ବ୍ୟଥା,

ତ୍ୟକ୍ତ ନିଷ୍ଠୀବନ             ପୁନଶ୍ଚ ଡ଼ୋକିବା

ଅତ୍ୟନ୍ତ ବୀଭତ୍ସ କଥା ।

 

ପ୍ରେରିଥିଲେ ସେହୁ             ସଂସାରେ ଆମ୍ଭଙ୍କୁ

ଫେରିଯିବୁଁ ତାଙ୍କ କତି,

ସେହି ଏକା ଆମ୍ଭ             ପ୍ରାଣର ଠାକୁର

ସେ ଏକା ଅନ୍ତିମ ଗତି ।

 

କନ୍ୟାକୁ ସମ୍ବୋଧି             କହିଲା, ମାଆ ଲୋ

ଲାଗିଲା ତୋତେ ତୋ ଭ୍ରାତା,

ଆମ୍ଭ ଅଭାବରେ             ତୁହି ତାର ସାହା

ତୁହି ତାର ପିତାମାତା ।

 

ଭାଷିଲା କମଳା,             ତବ ଆଜ୍ଞା ପିତଃ

ମୋତ ପକ୍ଷେ ଆଶୀର୍ବାଦ,

ପ୍ରାଣପଣେ ତାହା             ପାଳିବି କହୁଛି

ଛୁଇଁ ତୁମ୍ଭ ପୁଣ୍ୟପାଦ ।

 

ପାପ ଧରା ତେଜି             ପରମାର୍ଥ ଧାମେ

ଧାବିତ ତୁମ୍ଭର ମତି,

କାହାର ଶକତି             ବିପରୀତ ଦିଗେ

ଫେରାଇବ ବାୟୁ ଗତି ।

 

ଜଳାଶୟଗାମୀ             ତୃଷାର୍ତ୍ତ ହର୍ଯ୍ୟକ୍ଷ

ଗତି ନିରୋଧିବ କିଏ,

ପ୍ରମତ୍ତ ମାତଙ୍ଗେ             ବାନ୍ଧିକେ ପାରିବ

ଊର୍ଣ୍ଣନାଭ ସୁତାଖିଏ ।

 

ଯାଅ ଦେବ ସୁଖେ,        ଦୁଃଖିନୀ କନ୍ୟାକୁ

ରଖିଥିବ ସଦା ମନେ,

ଜନ୍ମେ ଜନ୍ମେ ମୁହିଁ             ତବ ପଦେ ଋଣୀ

ବିକ୍ରୀତା ତବ ଚରଣେ ।

 

ନିବେଦିବି ତୁମ୍ଭ             ବେନିଙ୍କ ଗୟରେ

ଆବର ଗୋଟିଏ କଥା,

କ୍ଷମାପାତ୍ରୀ ଜ୍ଞାନେ             ନିଜ ଗୁଣେ ଉଲେ

କ୍ଷମିବ ମୋ ଅବାଧ୍ୟତା ।

 

ସର୍ବସ୍ୱ ସମର୍ପି             ତୁମ୍ଭେମାନେ ମୋତେ

ହୋଇଥିଲ ତୀର୍ଥଚାରୀ,

ଧର୍ମତଃ ନ୍ୟାୟତଃ             ସେ ବିତ୍ତର ସିନା

ଭାଇ ମୋର ଅଧିକାରୀ ।

 

ତାହାର ସମ୍ପତ୍ତି             ଏହିକ୍ଷଣି ତାକୁ

କରୁଛି ପ୍ରତିପ୍ରଦାନ,

ତାହା ବିନା କୋଟି             ସମ୍ପଦ ମୋ ନେତ୍ରେ

ଦିଶେ ନାହିଁ ମୂଲ୍ୟବାନ ।

 

ସେହି ତ ମୋହନ            ପ୍ରାଣ ସ୍ପର୍ଶମଣି

ଭବେ ଅଦ୍ୱିତୀୟ ଏକ,

ଏହା ଭାଷି ଆଣି             ଦେଲା ଭ୍ରାତୃକରେ

ପ୍ରଦାନ- ପ୍ରମାଣ- ଲେଖ । *

* ଦଇଲ

 

ଏ ଅଦ୍ଭୁତ ଦୃଶ୍ୟ            ନିରେଖି ଦମ୍ପତି

ରହିଲେ ହୋଇ ତାଟଙ୍କା,

ଭାବିଲେ ଆହା କି             ଦେବଦୃଶ୍ୟ ଆଜି

ହେଲା ନେତ୍ରଗଟେ ଅଙ୍କା ।

 

ବୋଇଲେ ମାଆ ତୁ       ନୋହୁତ ମାନବୀ

ସାକ୍ଷାତ ଦେବୀ-ପ୍ରତିମା,

ନାରୀପ୍ରାଣେ ତୋର       ଅବତୀର୍ଣ୍ଣ ସିନା

ଦୁର୍ଲ୍ଲଭ ଦେବୀ ମହିମା ।

 

ଅକିଞ୍ଚନ ଆମ୍ଭେ             ଧନ୍ୟ ବୋଲାଇବୁ

ତୋହ ମାତାପିତା ହେତୁ,

ସତେ ତୁ ମାଆ ଲୋ       ଗୁଣେ ବାନ୍ଧିଲୁଣି

ଭବ-ପାରାବାରେ ସେତୁ ।

 

କରୁଛୁ କଲ୍ୟାଣ             ହୁଅ ଆୟୁଷ୍ମତୀ-

ନିଖିଳ ସୌଭାଗ୍ୟବତୀ

ନିର୍ବିଘ୍ନ ହେଉ ତୋ             ଜୀବନ- ସରଣୀ
ଧର୍ମପଦେ ରହୁ ମତି ।

 

ମାତୃପ୍ରାୟ ସେବି             ଶବରୀକି ନିତି

ରତ ଥିବୁ ତାର ସୁଖେ,

ଏହା କହି ଦୁହେ             ଘେନିଣ ବିଦାୟ

ଗମିଲେ ନୀଳାଦ୍ରି ମୁଖେ ।

 

ପଞ୍ଚମ ଚିତ୍ର

ପବିତ୍ର ଉତ୍କଳେ             ନୀଳାଚଳ ଧାମ

ନିତ୍ୟ ମହୋତ୍ସବମୟ,

କୈବଲ୍ୟର ସ୍ୱର୍ଗ             ଶାନ୍ତିର ବୈକୁଣ୍ଠ

ଭକ୍ତର ଚରମାଶ୍ରୟ ।

ସ୍ୱୟଂ ବିଶ୍ୱବନ୍ଧୁ             ବିଶ୍ୱପ୍ରାଣାରାମ

ନିଖିଳ ବିଶ୍ୱର ଭୁପ

ବିଜେ ତହିଁ, ଦିଗ             ଜ୍ୟୋତିରେ ଉଭାସି

ଧରି ଦାରୁବ୍ରହ୍ମ ରୁପ ।

ନିଜ ଗୌରବରେ             ନିଜେ ନମ୍ର ହୋଇ

ମହାସିନ୍ଧୁ ଇନ୍ଦୁପିତା,

ଉନ୍ମତ୍ତ ପ୍ରେମରେ             ଢଳ ଢଳ ହୋଇ

ପଢ଼େ ଯାଙ୍କ ସ୍ତୁତିଗୀତା ।

ରାଜେ ତହିଁ ବଡ଼-             ଦେଉଳ, ନିଖିଳ-

ଧର୍ମର ମହାମନ୍ଦିର,

ନିତ୍ୟ ତାହା ଦେବେ       ପ୍ରଦକ୍ଷିଣ କରି

ଲଗାନ୍ତି ତା ଅଙ୍ଗେ ଶିର ।

 

ଦେବ ମହିମାରେ             ମହମିକ କ୍ଷେତ୍ର

ନାହିଁ ତୀର୍ଥ ତାହା ତୁଲେ,

ମର୍ତ୍ତ୍ୟ କେଉଁ ଛାର             ବିଶ୍ୱଶୀର୍ଷ ସ୍ୱର୍ଗ

ଜୁହାରେ ତା ପଦମୂଳେ ।

 

ଉତ୍ସବ-ମୁଖର             ସେ ଜ୍ୟୋତିଃ ନଗରେ

ଲାଗିଛି ଗୁଣ୍ତିଚା ଯାତ୍ରା

ନାଗରିକ ହୃଦେ             ଆମୋଦ ଆହ୍ଳାଦ

ଭଜିଅଛି ପୂର୍ଣ୍ଣମାତ୍ରା ।

 

ଲାଗିଛି ଆକାଶେ             ନବଘନୋତ୍ସବ

ସ୍ୱଭାବେ ଆଷାଢ଼ ମାସ,

ବର୍ଷାଧାରା ସହ             ବରଷି ଯାଉଛି

ଉଲ୍ଲାସ ପରେ ଉଲ୍ଲାସ ।

 

ବଡ଼ଦାଣ୍ତ ଆଜି             ଜନ ପାରାବାରେ

ହୋଇଅଛି ପରିଣତ,

ଯେଣେ ଦେଖ ତେଣେ       ନରଶିର-ଉର୍ମି

ଖେଳୁଅଛି ଇତସ୍ତତଃ ।

 

ଭେଦି ସେ ଜନତା             ଧୀରେ ଗୌଣେ ଖରେ

ଚାଲିଅଛି ରଥ ତିନି,

ନବରତ୍ନଖଚୀ             ସଚଳ ଦେଉଳ

ସୁଷମା ଯାଏ ସେ ଜିଣି ।

 

ରଥ ପରେ ବିଜେ             ବିଶ୍ୱ ଆଦି- କବି

ଧରି କମନୀୟ ବେଶ,

ରୁପକ ଛଳରେ             ରଚୁଛନ୍ତି ମୌନେ

ଆଧ୍ୟାତ୍ମିକ ଉପଦେଶ ।

 

ହେରି ତାଙ୍କୁ ପାପୀ             ବିନା ସାଧନାରେ

ପୁନର୍ଜନ୍ମୁ ହେବ ପାର,

ମହିମା-ସାହିତ୍ୟେ             ଅଦ୍ଭୁତ ରସ ଏ

ବିଭାବନା ଅଳଙ୍କାର ।

 

ରଥଚୂଳେ ଶୋହେ             ସ୍ୱର୍ଣ୍ଣକୁମ୍ଭ କି ସେ

କିରଣ ଚୁର୍ଣ୍ଣରେ ମଜା,

ସିନ୍ଧୁ-ବୀଚି-ଚୁମ୍ବୀ-             ବାଚ୍ଚେ ଉଡ଼ୁଅଛି

ପତିତ ପାବନ ଧ୍ଵଜା ।

 

ଆଗେ ବଳଭଦ୍ର             ପଛେ ଜଗନ୍ନାଥ

ସୁଭଦ୍ରା- ରଥ ମଧ୍ୟରେ,

ସ୍ୱର୍ଣ୍ଣବେତ୍ର ହସ୍ତ             ଖୁଣ୍ଟିଆ ଡାକୁଛି

ମଣିମା ମଣିମା ସ୍ୱରେ ।

 

ସେ ସ୍ୱରେ ମିଶୁଛି            ଉକ୍ତକଣ୍ଠୋଳ୍ପିତ

ଜୟ ଜଗନ୍ନାଥ ଧ୍ଵନି,

ସେ ମହା ଶବଦେ            ମୂହୁର୍ମୁହୁଃ କମ୍ପି

ଉଠୁଛି ନଭ ଅବନୀ ।

 

ଉଠେ ପୁଣି ବହୁ             ବାଦ୍ୟର ଚହଳ

ନ ଭଜି ତିଳେ ବିରତି,

ପ୍ରାଣର ସମ୍ବାଦ             ପାଇ ତହିଁ ଭକ୍ତ

ମଣେ ମୁକ୍ତିରାଜ୍ୟାବର୍ତ୍ତୀ ।

 

ମହିମାମୟଙ୍କ             ମହିମାର ଲୀଳା

ହେରି ସେ ହୁଏ ଉଦାସୀ,

ଉତ୍ସବ-ଯଜ୍ଞରେ             ମୁଁ ତ୍ୱେ ବଳି ଦେଇ

ପ୍ରେମାଶ୍ରୁରେ ଯାଏ ଭାସି ।

 

ପରମାର୍ଥ ପ୍ରେମ             ତରଙ୍ଗିଣୀ ତହିଁ

ବହୁଛି ହୋଇ ଉତ୍ସୁକ,

ଶରଧା ବାଲିରେ             ବୋଳା ପ୍ରେମ-ସୁଧା

ଅନିଳ ପ୍ରେମସଙ୍କୁଳ ।

 

ନିବିଡ଼ ବେଷ୍ଟନେ             ଚତ୍ରପାଦେ ବେଢ଼ି

ଚାଲିଛି ମହାଜନତା,

ବେଢ଼ିଥାଏ ସଦା             ମାନସେ କାମନା

ଦାନକୁ ଯାଚଞ୍ଜା ଯଥା ।

 

ଭକ୍ତିର ପୀୟୁଷ             ପ୍ରେମର ପୀୟୁଷ

ଭାବର ପୀୟୁଷ ବହି,

ତ୍ରିପୀୟୁଷ ମିଶି            ପୀୟୁଷର ପୁଣ୍ୟ-

ପ୍ରୟାଗ ସୁଜିଛି ତହିଁ ।

 

ଚଉ ପାଶେ କେତେ       ଯାତ୍ରା ଅଭିନୟ

ଲାଗିଅଛି ନିରନ୍ତର,

ଚାଲିଛନ୍ତି ମଧ୍ୟେ             ମହା ଅଭିନେତା

ଭକ୍ତ-ହୃଦ-ରାଜ୍ୟେଶ୍ୱର ।

 

ଲୀଳାମୟଙ୍କର             ଲୀଳା ମହୋତ୍ସବ

ଦେଖୁଛି ବଡ଼ଦେଉଳ,

ଦେଖୁଛନ୍ତ ହର୍ଷେ            ଜଗତୀ ଉପରେ

ବସି ପୁରାଙ୍ଗନାକୁଳ ।

 

ମେଘ-ବିମାନରେ             ବସି ସୁରାଙ୍ଗନା

ଦେଖନ୍ତି ମହାଗଗନୁଁ,

ଦେଖୁଅଛି ଶୂନ୍ୟ             ସୁନ୍ଦରୀ * ବମ୍ପାଇ

କାଞ୍ଚନ ଲାଞ୍ଚନ ତନୁ ।

* ବିଜୁଳି

 

ଛଡ଼ାଇ ଆଣିଛି             ତ୍ରିଦିବ ମହିମା

ନୀଳାଚଳ ନିଜବଳେ,

ତେଣୁ ଆଜି ସ୍ୱର୍ଗ             କାନ୍ଦେ ଅପମାନେ

ବୃଷ୍ଟି ବାରିଧାରା ଛଳେ ।

 

ଯଥାସ୍ଥାନେ ପ୍ରଭୁ            ରଥୁ ଅବଚରି

ବିଜେ ହୋଇ ଧୀରେ ଧୀରେ,

ମିଳିଲେ ମୁରାରି             ଭ୍ରାତା ଭଗ୍ନୀ ସହ

ମାଉସୀ ଦେବୀ ମନ୍ଦିରେ ।

 

କେଉଁ ରହସ୍ୟ ଏ             ହେ ରହସ୍ୟମୟ

ବିଶ୍ୱ-ତପୋବନ ଋଷି,

ହେ ସ୍ୱୟମ୍ଭୂ ଅଜ             ତୁମ୍ଭର କି ପୁଣି

ଅଛନ୍ତି ମାଆ ମାଉସୀ ।

 

ସ୍ଥାବର ଜଙ୍ଗମ             ପିତାମାତା ତୁମ୍ଭେ

ନିଖଳ ସୃଷ୍ଟିକରତା,

କେଉଁ ଭାଗ୍ୟବତୀ             ମାଉସୀ ତୁମ୍ଭର

ଏ ବଡ଼ ଅଦ୍ଭୁତ କଥା ।

 

ତୁମ୍ଭେ ତୁମ୍ଭ ପିତା             ତୁମ୍ଭେ ତୁମ୍ଭ ମାତା

ତୁମ୍ଭେ ତୁମ୍ଭ ପରିଜନ,

ତୁମ୍ଭେ ତୁମ୍ଭ ସ୍ରଷ୍ଟା            ତୁମ୍ଭେ ତୁମ୍ଭ ସୃଷ୍ଟ

ତୁମ୍ଭେ ହିଁ ତୁମ୍ଭ ନନ୍ଦନ ।

 

ନାହିଁ ଯାର ଜନ୍ମ             ତାର ପିତାମାତା

ଅସମ୍ଭବୁ ଅସମ୍ଭବ,

ଅଦେବଗୋଚର             ମହିମା ତୁମ୍ଭର

ବୁଝିବ କିବା ମାନବ ।

 

ନବମ ଦିବସେ             ବାହୁଡି ଅଚ୍ୟୁତ

ଭଗିନୀ ଭ୍ରାତା ଗହଣେ,

ବିଜେ ହେଲେ ଆସି       ଶ୍ରୀମନ୍ଦିର କୋଳେ

ନବରତ୍ନ ସିଂହାସନେ ।

 

ସାଙ୍ଗ ହେଲା ଯାତ୍ରା       ଗୃହେ ଫେରିବାକୁ

ଉନ୍ନୁଖ ଦେଖଣାଦ୍ୱାରୀ,

ଏମନ୍ତ ସମୟେ             ଲାଗିଲା ଶ୍ରୀକ୍ଷେତ୍ରେ

ବିଭୀଷଣ ମହାମାରୀ ।

 

ଦେଖୁଁ ଦେଖୁଁ ରୋଗ      ସଂକ୍ରମିତ ହୋଇ

ବ୍ୟାପିଗଲା ସାହି ସାହି,

ସମଗ୍ର ନଗରେ             ରୋଗିହୀନ ଗୃହ

ଗୋଟିଏ ରହିଲା ନାହିଁ ।

 

ଉତ୍ସବ ଆନନ୍ଦେ             ହସୁଥିଲା ପୁରୀ

ମଳିନ ଏବେ ତାମୁଖ,

ଦିବସ ପଛରେ             ସନ୍ଧ୍ୟା ପ୍ରାୟ ସୁଖ

ପଛେ ଲୁଚିଥାଏ ଦୁଃଖ ।

 

ମୃତ ମୂମୁର୍ଷୁରେ             ପୁରି ରହିଅଛି

ବାଟ ଘାଟ ତରୁମୂଳ,

ସ୍ୱରଭଙ୍ଗ କଣ୍ଠେ             ଜଳ ଜଳ କହି

ହେଉଛି ରୋଗୀ ଆକୁଳ ।

 

ଶାନ୍ତିଦାତ୍ରୀ ମୂର୍ଚ୍ଛା             ଅନୁଗ୍ରହେ କେହି

ଭୁଲିଛି ଉଗ୍ର ପିପାସା,

କହୁଛି ତାହାର            କ୍ରୋଟଗତ ନେତ୍ର

ନୀର୍ବାକ କାଚର ଭାଷା ।

 

ମୃତ୍ୟୁ ଯନ୍ତ୍ରଣାରେ             କମ୍ପି କମ୍ପି କେହି

ତେଜୁଛି ଶେଷ ନିଃଶ୍ୱାସ,

କେହି ବା ଲୋତକେ       ଭସାଉଛି ବକ୍ଷ

ଜୀବନେ ହୋଇ ହତାଶ ।

 

କିଏ ବା କାହାକୁ             ସାହାଯ୍ୟ କରିବ

ସର୍ବେ ସମଦଶାପନ୍ନ,

ଏକ ସମୟରେ             ଏକ ବିପଦରେ

ସମସ୍ତେ ଆହା ବିପନ୍ନ ।

 

ଦେବପଦପୁତ             ସ୍ୱର୍ଗହାର ଏବେ

ହୋଇଅଛି ଶବଗ୍ରାମ,

ଶବାହାରୀଙ୍କର             ଲାଗିଅଛି ତହିଁ

ବିପୁଳ ଭୋଜି ସଂଗ୍ରାମ ।

 

ହାୟ କି ଅସାର             ମାନବ ଶରୀର

ଚିର ବିପଦର ଖଣି,

ଜୀବନେ ମରଣେ             ଭାଗ୍ୟେ ତାର ସଦା

ଲାଗିଅଛି ଟଣାଟଣି ।

 

ଜୀବନ୍ତେ ତାହାକୁ             ଓଟାରି ଖାଆନ୍ତି

ଷଡ଼ରିପୁ ପଞ୍ଚେନ୍ଦ୍ରିୟ,

ଜୀବନାନ୍ତେ ଶିବା             ଶ୍ୱାନ ଟାଣି ଭୁଞ୍ଜେ

ମଣି ଉପାଦେୟ ପ୍ରିୟ ।

 

ଶବସେବୀଙ୍କର             କ୍ରୋଧ ଆନନ୍ଦର

ଲାଗିଛି ମହା ଉତ୍ସବ,

ଶବ ଖାଇ ଖାଇ            ଅତିଗ୍ରାସ ହେତୁ

ନିଜେ ହେଉଛନ୍ତି ଶବ ।

 

କୋଟି ବିଭୀଷିକା            ନାଚୁଛି ଭୈରବେ

ଶ୍ମଶାନରେ ଅହରହ,

ତାଳ ଦେଉଅଛି             ମହାବ୍ଧ ବଜାଇ

ଭୈରବ କଣ୍ଠ-ପଟହ ।

 

ସେ ବିଭୀକ୍ଷିକାକୁ             କରୁଛି ପୃଥକ

ଭୈରବେ ଗର୍ଜି ଗୋମାୟୁ,

ବହୁଅଛି ତହିଁ             ଭୈରବେ ସତକ

ବିଭୀଷିକାମିଶା ବାୟୁ ।

 

ଜଳେ ଠାବେ ଠାବେ       ଚୀତାସ୍ତୂପ ଟେକି

ପ୍ରବଳେ ଶିଖାପଟଳ,

ବିଭୀଷିକାର ସେ             ଅନଳ ରସନା

ହେଉଅଛି ହଳାହଳ ।

 

ଚିର ଧ୍ୱଂସପ୍ରିୟା             ଶ୍ମଶାନ କାଳିକା

କରୁଛନ୍ତି ଧ୍ୱଂସ-ଯାଗ,

ଶେଷଦିନେ ଆସି            ହେଉଛି ମାନବ

ସେ ଯାଗର ମେଧ୍ୟ ଛାଗ ।

 

ସେହି ଯଜ୍ଞାନଳେ             ଚିରଦିନ ପାଇଁ

ମିଳାଇ ଯାଉଛି ଆହା,

ମିଳାଇ ଯାଇଛି             ତାହା ସଙ୍ଗେ ତାର

ଭବ ଯନ୍ତ୍ରଣାର ହା- ହା ।

 

ବାହ୍ୟ ମନୋହର-             ଏ ସଂସାର ସିନା

ଯନ୍ତ୍ରଣାର ଅନ୍ଧକୂପ,

ସୁଖ ବୋଲି ଯାହା             ଅଭିହିତ ତାହା

ଯନ୍ତ୍ରଣାର ଉପରୁପ ।

 

ସୁଖ ଛଳେ ସର୍ବେ             ମୁଣ୍ତାଇ ଅଛନ୍ତି

ଯନ୍ତ୍ରଣାର ମହାଭାର

ସାର ବୋଲି ଯାକୁ             ବୋଲନ୍ତି ମାନବେ

ସାରେ ନୁହେଁ ତାହା ଛାର ।

 

ରାଜମୁକୁଟରେ             ମଣିରୁପେ ଯାହା

ଦିଶୁଥାଏ ସମୁଜ୍ଜଳ,

ମଣି ନୁହେଁ ତାହା,            ମର୍ମଦାହକାରୀ

ଯନ୍ତ୍ରଣାର ତୀବ୍ରାନକ ।

 

ମଧୁର, - କୋଚିଳା       ସ୍ୱର୍ଣ୍ଣକାନ୍ତ ଶୋଭା

ମାତ୍ର ସ୍ୱାଦୁ ମହାତିକ୍ତ,

ବଜ୍ର-ବହ୍ନିଗର୍ଭ             ସୌଦାମିନୀ ଦିଶେ

ଶୋଭାମୃତେ ଅଭିଷିକ୍ତ ।

 

ହେଉ ମହୋଜ୍ଜ୍ୱଳ             କୋହିନୂର ପଛେ

ହେଉ ଯେଡ଼େ ମୂଲ୍ୟବାନ,

ବିଶ୍ଳେଷି ଦେଖିଲେ             ପ୍ରସ୍ତର ବ୍ୟତୀତ

ନୁହେଁ ତାହା କିଛି ଆନ ।

 

ବାସର ଶୈଶବେ             ସିନ୍ଧୁସ୍ନାନ ସାରି

ତରୁଣ ଏକ ସନ୍ନ୍ୟାସୀ,

ଅକ୍ଷମାଳା ଜପି             ଜପି ସ୍ୱର୍ଗଦ୍ଵାରେ

ଉପସ୍ଥିତ ହେଲେ ଆସି ।

 

ତପ୍ତ ତାମ୍ରକାନ୍ତ             ସୁଢ଼ଳ ଶରୀରେ

ବେଷ୍ଟିତ ଗୈରିକ ମଠା,

ମୁକୁଟ ଭଙ୍ଗୀରେ             ବନ୍ଧା ହୋଇଅଛି

ମସ୍ତକେ ପିଙ୍ଗଳ ଜଟା ।

 

ସୁବିଶାଳ ବକ୍ଷ            ମହାଭାବର କି

ପ୍ରଶସ୍ତ ବିଳାସ କ୍ଷେତ୍ର,

ମହିମାର ଜ୍ୟୋତିଃ             ପ୍ରକାଶି ଅମୁତ-

ଭାଷା ବଖାଣୁଛି ନେତ୍ର ।

 

ପ୍ରଶାନ୍ତି ପାବନ             ବଦନେ ବିମ୍ବିତ

ସାଫଲ୍ୟର ପୁଣ୍ୟପ୍ରଭା,

ଲଲାଟେ ତ୍ରିବଚ୍ଚୀ             ଔଦାର୍ଯ୍ୟ ଗାମ୍ଭୀର୍ଯ୍ୟ

ମାଧୁର୍ଯ୍ୟ ତ୍ରିରେଖା ଅବା ।

 

ସତ୍ୟ ସଞ୍ଜମର             ଉଜ୍ଜ୍ୱଳ ଆଲୋକ

ଦିଶେ ଦେହ ଦୀପ୍ତିମାନ,

ନରଦେହୀ ସେହୁ            ମାତ୍ର ତାହାଙ୍କର

ପ୍ରାଣ ନିଶ୍ଚେ ଦେବପ୍ରାଣ ।

 

ଦେଖିଲେ ତାପସ             ପଥ ବେନିପାର୍ଶ୍ୱ

ହୋଇଅଛି ଶବାରଣ୍ୟ,

ଧରିଛି ଶ୍ମଶାନ            ସଂହାର ମୂରତି

ବିକଟ ବିଶ୍ରୀ ଜଘନ୍ୟ ।

 

ଶବମେଳେ ଏକ            ଜୀବିତ ଯୁବକ

ପଡ଼ିଅଛି ଅଣାୟତ୍ତେ,

ଲୋତକ ସଜଳ             ନୟନ ତାହାର

ମାଗୁଛି ଆଶ୍ରା ଆରତେ ।

 

ରୋଗ ଯନ୍ତ୍ରଣାରେ             ଅର୍ଦ୍ଧ ମୂର୍ଚ୍ଛିତ ସେ

ସ୍ଫୁରୁ ନାହିଁ ତୁଣ୍ତ ବଥା,

ମୁଖ ଚଉପାଶେ             କାନ୍ଦି ବୁଲୁଅଛି

ସକରୁଣ ବ୍ୟାକୁଳତା ।

 

ପଡ଼ନ୍ତେ ଦଇବେ             ଦୃଷ୍ଟି ତାହା ପ୍ରତି

ହେଲେ ଯତି ଆତ୍ମହାରା,

ଅଲକ୍ଷିତେ ହୃଦୁ            ପ୍ରବାହିତ ହେଲା

ତରଳ ଦୟାର ଧାରା ।

 

ଧାଇଁ ଯାଇ ତହୁଁ             ତୋଳି ଧରି ତାକୁ

କୋଳ କଲେ ସ୍ନେହଭୋଳେ,

ସୁପ୍ତକୁ ସ୍ୱପନ             ଧରେ ଯାଇ ଯେହେ

ବଳେ ବଳେ ତୋଳି କୋଳେ ।

 

ଲୋଭନୀୟ ଧନ             ବିଶ୍ୱସେବାରେ ଯେ

କରିଛି ପ୍ରାଣ ଉତ୍ସର୍ଗ,

ରୋଗିସେବା-ସ୍ୱର୍ଗ            ପାଇଲେ କଦାଚ

ନ ଖୋଜେ ସେ ଅନ୍ୟ ସ୍ୱର୍ଗ ।

 

ଓହ୍ଲାଇ ଆଣନ୍ତି             ମର୍ତ୍ତ୍ୟକୁ ତ୍ରିଦିବ

ସ୍ୱଗୁଣେ ମହାପୁରୁଷେ,

ମତ୍ତ୍ୟକୁ ଆବର             ଉଠାଇ ପାରନ୍ତି

ଜ୍ୟୋତିରାଜ୍ୟେ ନିରଙ୍କୁଶେ ।

 

ଗ୍ରୀଷ୍ମ- ଦଗ୍ଧ ଦ୍ରୁମେ       ବର୍ଷା ଋତୁ ପ୍ରାୟ

ସ୍ପର୍ଶି ତାକୁ ଊର୍ଦ୍ଧ୍ୱ ରେତା,

ସିଦ୍ଧଯୋଗବଳେ             ଶରୀରେ ତାହାର

କଲେକ ସଞ୍ଚାର ଚେତା ।

 

ଆର୍ଦ୍ର ବସନରେ             ପୋଛିଦେଲେ ଦେହ

ପୋଛିଦେଲେ ନେତ୍ରୂ ଲୁହ,

ମନେକଲେ କାହା             ସୁଖ- ସର ଶୂନ୍ୟ

କରିଛି ଏ ସରୋରୁହ ।

 

ଥିଲା ଏ କାହାର             ଭାବ-ଭଣ୍ତାରର

ଶ୍ରେଷ୍ଠତମ ମହାମଣି,

ଏହା ଲାଗି କେତେ             ମଣୁଥିବେ ହାୟ

ମସ୍ତକେ ପାତ ଆଶନି ।

 

ଚାହିଁଲା ଯୁବକ            ତାପସ- ବଦନେ

ନ ପାରିଲା କହି କଥା,

ମୌନ ଦୀନ ନେତ୍ରେ       ପ୍ରକାଶିଲା ବହୁ

ଅନ୍ତରର କୃତଜ୍ଞତା ।

 

ତହୁଁ ସେ ତାପସ            ପୀଡିତ ଯୁବକେ

ଘେନିଯାଇ, ନିଜାଶ୍ରମେ,

ପ୍ରାଣପଣ ଯନ୍ତ୍ର             ଚିକିତ୍ସାରେ ସୁସ୍ଥ

କଲେ ତାକୁ କ୍ରମେ କ୍ରମେ ।

 

କିଛିଦିନେ ରୋଗୀ             ପୂର୍ଣ୍ଣ ସ୍ୱାସ୍ଥ୍ୟ ଲଭି

ଉଠିଲା ଜାଗି ଆଶିରେ,

ସନ୍ନ୍ୟାସୀ ପ୍ରସାଦୁଁ             ଶ୍ମଶାନୁଁ ପୁଣି ସେ

ଆସିଲା ଫେରି ସଂସାରେ ।

 

ରୋଗୀ ସେବାରେ ଯେ       କ୍ଷୟ କରେ ଆୟୁ

ମଣି ତା ଇଷ୍ଟଜୀବିକା,

ଅର୍ପନ୍ତି ତାହାର             ପୁଣ୍ୟୋଜ୍ଜ୍ମଳ ଭାଲେ

ଦେବତାଏ ରାଜଟିକା ।

 

ଆତ୍ମ-ପରିଚୟ             ପୂଚ୍ଛନ୍ତେ ତାପସ

କହିଲା ଯୁବା ପ୍ରକାଶି,

ଅତୀତର ସ୍ମୃତି             ବର୍ତ୍ତମାନ-ସୂତ୍ରେ

ଗୁନ୍ଥା ହୋଇଗଲା ଆସି ।

 

କହିଲା ଯୁବକ             ସକଳ ନୟନେ

ଆଶା- ରାଜ୍ୟେ ଆମ୍ଭ ଘର,

ଗୁଣ୍ତିଚା ଉତ୍ସବେ             ପଣ୍ୟ ବିକ୍ରୟାର୍ଥେ

ଆସିଥିଲୁଁ ଦ୍ୱିସୋଦର ।

 

ସାଙ୍ଗ ହେଲା ଯାତ୍ରା       କରୁଥିଲୁ ବେନି

ସ୍ୱଗ୍ରାମେ ପ୍ରତ୍ୟାବର୍ତ୍ତନ,

ଏମନ୍ତ ସମୟେ             କଲା ମୋତେ ଆସି

ମହାମାରୀ ଆକ୍ରମଣ ।

 

ଦେଖି ଆକସ୍ମିକ             ବିପଦ ମୋହର

ଅଗ୍ରଜ ହେଲେ କାତର,

ଦୁଃଖ ଭୟ ଚିନ୍ତା             ତିନି ହେଁ ତାଙ୍କର

ମନ୍ଥିଲେ ହୃଦ- ସାଗର ।

 

କ୍ରମେ କ୍ରମେ ରୋଗ       ପ୍ରବଳେ ମୋ ପ୍ରାଣେ

ପ୍ରକାଶିଲା ପରାକ୍ରମ,

ଦାରୁଣ ଯନ୍ତ୍ରଣା             ସହି ନ ପାରି ମୁଁ

ହେଲି ଶେଷେ ଅସାଷ୍ଟମ ।

 

ତହିଁ ପରେ ଆଉ             ଜାଣେ ନାହିଁ କିଛି

ଥିଲି ଯେଣୁ ମୂର୍ଚ୍ଛା କୋଳେ,

ତୁଟିଯାନ୍ତେ ମୂର୍ଚ୍ଛା             ଦେଖିଲି ଶ୍ମଶାନେ

ଶୋଇଅଛି ତୁମ୍ଭ କୋଳେ ।

 

ଚିହ୍ନିବି କେସନେ             ପାପ ନେତ୍ରେ ତୁମ୍ଭେ

କେବଣ ମହାପୁରୁଷ,

ଅବା କେଉଁ ଶ୍ରେଷ୍ଠ             ସ୍ୱର୍ଗ ଶ୍ରେଷ୍ଠ ଦେବ

ପ୍ରଦାନ ମତେ ଆୟୁଷ ।

 

ବିଶ୍ୱର କଲ୍ୟାଣ             କାମୀ ତୁମ୍ଭେ ପ୍ରଭୁ

ଆତ୍ମଜୟୀ ଅତୀନ୍ଦ୍ରିୟ,

ନିଃସ୍ୱାର୍ଥ- ପରାର୍ଥ-             ପରତା ତୁମ୍ଭର

ଜୀବନର ଲକ୍ଷ୍ୟପ୍ରିୟ ।

 

କୃପା ବହି ମୋତେ            ପୁନର୍ଜନ୍ମ ଦାନ

କଲ ହେ କୃପା-ଅମ୍ଭୋଧି,

କୋଟି ଜନ୍ମେ ତୁମ୍ଭ            ମହାରଣ ମୁହିଁ

ନ ପାରିବି ପରିଶୋଧି ।

 

କିସ କୃତଜ୍ଞତା             ଜଣାଇବି ଗଦେ

କି ଅଛି ବାକ୍ୟ ସେଭିଳି,

ବିଶେଷେ ତୁମ୍ଭର             ବାତ୍ସଲ୍ୟ ଯାଇଛି

କୃତଜ୍ଞତା ସୀମା ବଳି ।

 

ଅନ୍ତରର ଭାବ            ହୁଅନ୍ତା ଯଦ୍ୟପି

ରୁପବନ୍ତ ବାକ୍ୟବନ୍ତ,

ତେବେ ତାହା କଥା       କହି ପାରନ୍ତା ସେ

ମାତ୍ର ମୁଁ ଜଡ଼-ଭରତ ।

 

ଜନ୍ମେ ଜନ୍ମେ ତୁମ୍ଭେ       ହେବ ମୋର ପ୍ରଭୁ

ହେବି ମୁଁ ତବ କୋୟର,

ଏହି ଆଶା ମୋର,            ଦେହେ ମନେ ପ୍ରାଣେ

ସେବିବି ତବ ପୟର ।

 

ଭାଷିଲେ ତାପସ             ନ ବାଢ଼ ରେ ବତ୍ସ

ମୋର ଏ ବୃଥା ପ୍ରଶଂସା,

ସର୍ବ-ଶିବଦାତା            ଏକା ସିନା ହରି

ଅନନ୍ତ-ବିଶ୍ୱ ଭରସା ।

 

ନିବସନ୍ତି ସେହୁ             ନିଖିଳ ଜଗତେ

ପ୍ରତି ପ୍ରାଣେ ପ୍ରତି କାର୍ଯ୍ୟେ,

ତାଙ୍କ ବ୍ୟତିରେକେ            କରି ନ ପାରନ୍ତି

କେହି କିଛି ତାଙ୍କ ରାଜ୍ୟେ ।

 

ସେହି ନିଜେ କର୍ତ୍ତା             ସେହି ନିଜେ କର୍ମ

ସେହି କର୍ମ ଫଳଦାତା,

ସେହି ଫଳ ଭୋକ୍ତା,      ବିଧାନ, ବିଧାତା

ସେହି ତ୍ରାଣ ପୁଣି କ୍ରାତା ।

 

ପ୍ରସନ୍ନବତ୍ସଳ ୧            ପ୍ରଭୁ ସେ ବିଶ୍ୱେଶ

ବିଶ୍ୱ ତାଙ୍କ ପଦାଶ୍ରିତ,

କରୁଛି କଲ୍ୟାଣ             ତାଙ୍କ ପଦେ ବତ୍ସ

ନିଶ୍ଚଳ ହେଉ ତୋ ଚିତ୍ତ ।

* ୧- ଆଶ୍ରିତବତ୍ସଳ ।

 

ତାଙ୍କରି ଅମୃତ             ଆଶୀର୍ବାଦ ଧାରା

ବୃଷ୍ଟି ହେଉ ତୋ ଭାଗ୍ୟରେ,

ହୋଇଅଛୁ ପୂର୍ଣ୍ଣ            ନିରାମୟ ଏବେ

ଯାଅ ସୁଖେ ନିଜ ଘରେ ।

 

ସନ୍ନ୍ୟାସୀ ସକାଶୁଁ             ଘେନିଣ ମେଲାଣି

ପ୍ରଣମି ପଦେ ଯୁବକ,

ଯାତ୍ରା କଲା ନିଜ             ଗ୍ରାମ ଅଭିମୁଖେ

ମାନସେ ବହି ପୁଲକ ।

 

ଯାଉଁ ଯାଉଁ କେତେ       କଳ୍ପନା ଫାନ୍ଦିଲା

ବାନ୍ଧିଲା ଭବିଶ୍ୟ ଆଶା,

ଆଶା ହିଁ ତାହାର             ପଥ କ୍ଳେଶ ସହ

ହରିଲା କ୍ଷୁଧା ପିପାସା ।

 

ଭାବିଲା ମାନସେ             ଦେଖି ମୋତେ ଆଜି

ପ୍ରତିବେଶୀ, ପରିଜନେ,

ଲଭିବେ ନିଶ୍ଚୟ            ଅପାର ବିସ୍ମୟ

ଅଦ୍ଭୁତ ଆନନ୍ଦ ମନେ ।

 

ସ୍ମରି ମୋତେ ଭ୍ରାତା            ଝୁରୁଥିବେ ବସି

ଶୋକେ ହୋଇ ପ୍ରପୀଡ଼ିତ,

ଏହି ସମୟରେ             ଅକସ୍ମାତ ମୁହିଁ

ହେବିଯାଇ ଉପସ୍ଥିତ ।

 

ଦେଖି ମୋତେ ହେବେ       ଅଗାଧ ଅସୀମ

ହର୍ଷ-ନୀରେ ମନ୍ନମାନ,

ଅଶୁଭ ସ୍ୱପ୍ନାନ୍ତେ            ସହସା ଯେସନ

ଲଭିବେ ସୁଖୋପାଦାନ ।

 

ଭାତୃ ଜାୟା ସଙ୍ଗେ            ସମ୍ବନ୍ଧ ମୋହର

ଭୁଜଙ୍ଗ ନକୁଳ ଭଳି,

ଗନ୍ଧତୈଳେ ୨ ଅଗ୍ନି -       ସଂଯୋଗ ପ୍ରାୟ ସେ

ଦେଖି ମୋତେ ଉଠେ ଜଳି ।

* ୨- କେରୋସାଇନ ତେଲ

 

ଦୁଷ୍ଟା ସରସ୍ୱତୀ             ଅଭିଧାନୁଁ ବାଛି

ଅକଥ୍ୟ ଶବ୍ଦ ଅଶ୍ରାବ୍ୟ,

ଅଳଙ୍କାରଯୁକ୍ତ             କରି ମୋ ବିରୁଦ୍ଧେ

ବିରତେ କଳହ-କାବ୍ୟ ।

 

ତଥାପି ସେ ପ୍ରାଣେ       ଅନୁଭବ ନିକି

କରୁଥିବ ମୋ ଅଭାବ,

ଆଚମ୍ବିତେ ମୋତେ       ଦେଖି ସେ କରିବ

କ୍ଷଣିକ ଆନନ୍ଦ ଲାଭ ।

 

କେତେ ଦେବତାଙ୍କ       ବନ୍ଦନା, ଅର୍ଚ୍ଚନା

ଲାଗିବ ଆଜି ମୋ ଲାଗି,

ଅକ୍ଷମ ଦରିଦ୍ର            ଅନ୍ନବସ୍ତ୍ର ପାଇ

ହେବେ ଆନନ୍ଦର ଭାଗୀ ।

 

ଏହିପରି କୋଟି-            ଆଶା ଆକାଙ୍କ୍ଷାର

ଭାର ବହି କାନ୍ଧେ ଶିରେ,

ଯଥାକାଳେ ଯାଇ             ଆଶା ରାଜ୍ୟ ମଧ୍ୟେ

ମିଳିଲା ନିଜ ମନ୍ଦିରେ ।

 

ରାଷ୍ଟ୍ର ହୋଇଗଲା             ଆଗମନ-ବାର୍ତ୍ତା

ଗ୍ରାମସାରା ସେହିକ୍ଷଣି,

ଦେଖିବାକୁ ତାକୁ             ଧାଇଁଲୋ ସକଳେ

ଅଦ୍ଭୁଦ ବ୍ୟାପାର ମଣି ।

 

ଶ୍ମଶାନ ଭୂମିରୁ             ନବ ପ୍ରାଣ ଲଭି

ଉଠି ଆସିଅଛି ଶବ,

ଅଦୃଷ୍ଟ ଅଶ୍ରୁତ             ସୃଷ୍ଟି ଛଡ଼ା କଥା

ଅସମ୍ଭବୁ ଅସମ୍ଭବ ।

 

ସୁମନେ ଭ୍ରମର            ପ୍ରାୟ ଚଉପାଶୁଁ

ଘେରିଲା ତାକୁ ଜନତା,

ଉତ୍କଣ୍ଠିତ ହୋଇ             କେହି କେହି ତାକୁ

ପଚାରିଲେ ତାହା କଥା ।

 

ଜନତା ମଧ୍ୟରେ             ଭ୍ରାତା ଭାତୃଜାୟା

ଉଭୟେ ହେରି ଯୁବକ,

ପ୍ରଣମିଲା ତାଙ୍କୁ             ଆନନ୍ଦାଶ୍ରୁ ନେତ୍ରେ

ଲଗାଇ ତଳେ ମସ୍ତକ ।

 

ଜନତାଙ୍କୁ ଚାହିଁ            କହିଲା ଏସନ -

ମୃତ ଜାଣି ମୋତେ ଭାଇ,

ମୁର୍ଚ୍ଛିତାବସ୍ଥାରେ            ଆସିଥିଲେ ସିନା

ଶ୍ମଶାନେ ଦେଇ ଗଡ଼ାଇ ।

 

ଯୋଗୀ ଜଣେ ମୋତେ       ସାଷ୍ଟମ କରାଇ

ଘେନିଯାଇ ନିଜାଶ୍ରମେ,

ବହୁ ଚିକିତ୍ସାରେ             ନିରାମୟ କରେ

ପ୍ରାଣପଣ ପରିଶ୍ରମେ ।

 

ପକ୍ଷାନ୍ତରେ ଆଜି            ଗୃହେ ଫେରିବାକୁ

ଆଜ୍ଞା ଦେଲେ ତପଃପ୍ରାଣ

ତହୁଁ ମୁଁ ସାନନ୍ଦେ            ବାହୁଡ଼ି ଆସିଲି

ମୃତ୍ୟୁ ମୁଖୁଁ ଲଭି ତ୍ରାଣ ।

 

ଅନନ୍ତର ତହିଁ             ବ୍ୟବସ୍ଥା-ସମିତି

ବସିଗଲା ସେହି ଦଣ୍ଡେ,

ମିଳିଗଲେ ଆସି             ଗ୍ରାମର ମୁଖିଆ

ପ୍ରାଚୀନ ବ୍ୟବସ୍ଥା-ଷଣ୍ଢେ ।

 

ଲାଗିଲା ବିଚାର             ମଶାଣି-ବାହୁଡ଼ା-

ପକ୍ଷେ କିସ ପ୍ରତିକାର,

ତର୍କବିତର୍କରେ             କ୍ରମଶଃ ବିଷୟ

ଧରିଲା ଜଟିଳାକାର ।

 

କେହି କହେ ଏ ତ             ବଡ଼ ଅମଙ୍ଗଳ

ମୃତ ଜୀଇଅଛି କାହିଁ,

ମଶାଣି ଫେରାକୁ             ରଖିଛି କେ ଘରେ

କେଉଁ କାଳେ ଶୁଣା ନାହିଁ ।

 

ଆନ କହେ ତାହା             ମୁଖ ନିରେଖିଲେ

ଲେଖେ ଶାସ୍ତ୍ରେ ପ୍ରାୟଶ୍ଚିତ୍ତ,

ଗୃହେ ସ୍ଥାନ ଦାନ            ଅନୁଚିତ ତାକୁ

ଶବ ସମ ସେ ବର୍ଜିତ ।

 

କିଏ ଅବା ରଖି             ବିପଦ କିଣିବ

ଶାସ୍ତ୍ରାଦେଶ ପଦେ ଦଳି,

ଜାଣୁ ଜାଣୁ କିଏ             ଯମ ପଦେ ଦେବ

ଆତ୍ମପ୍ରାଣ ବିଷାବଳୀ ।

 

ଅମଙ୍ଗଳ ଏକା             ଜଣକୁ ନୁହଇ

ଗ୍ରାମକୁ ଏ ଅମଙ୍ଗଳ

ମୃତ୍ୟୁ ପାପ ଦୁଃଖ            ତିନି ହେଁ ଗ୍ରାମକୁ

କରିବେ ନିଶ୍ଚେ କବଳ ।

 

ମନେ ପଡ଼ୁ ନାହିଁ            କେଉଁ ଗ୍ରାମେ ପୂର୍ବେ

ଘଟିଥିଲା  ବ୍ୟାପାର,

ବିବିଧ ବିପଦେ             ଅଳ୍ପଦିନେ ଗ୍ରାମ

ହୋଇଗଲା ଛାରଖାର ।

 

ପ୍ରତିବାଦ କରି            କହେ କେହି ସେ ତ

ନୁହେଁ ରୋଗ ସଂକ୍ରାମକ,

ତାହା ଯୋଗୁଁ ହେବ       ଗ୍ରାମନାଶ ପୁଣି

ଘଟିବ ମହା ମଡ଼କ ।

 

ମୃତ୍ୟୁ-ବିଦ୍ୟୁ ବାଷ୍ପ            କଳେବରୁ ତାର

ନିଃସରୁ ତ ନାହିଁ କାହିଁ,

କପିଳ ମହୁର୍ଷି             ପ୍ରାୟ ଜାଳିଦେବ

ଦେଲାମାତ୍ରେ ନେତ୍ରେ ଚାହିଁ ।

 

ଜୀବିତକୁ ଯେହୁ             ମୃତ ଜ୍ଞାନ କରେ

ନୁହେଁ ସେ ନର କଦାଚ,

କୋଟିଏ ସୃଷ୍ଟିରେ            ଦୁଲ୍ଲର୍ଭ ତାଭଳି

ପାଚକୀ ପ୍ରେତ ପିଶାଚ ।

 

ନର ପ୍ରାଣ ବହି            ନର ପ୍ରାଣକୁ ଯେ

ଘୃଣିତ ମଣେ ଅଜ୍ଞାନେ,

ବ୍ୟାକରଣ ଶାସ୍ତ୍ରେ            ଅକ୍ଷମ ତାହାର

ଯୋଗ୍ୟ ବିଶେଷଣ ଦାନେ ।

 

କେଉଁ ଦୁଷ୍ଟ ଶାସ୍ତ୍ରେ             ପୁନର୍ଜୀବିତର

ଅଛି ବିସଜର୍ନ ବିଧି,

ନିର୍ଲଜ୍ଜ ପଣରେ             ମଣ ନାହିଁ ମୁଢେ

ନିଜକୁ ଶାସ୍ତ୍ର-ବାରିଧି ।

 

ପରିହାସବ୍ୟଞ୍ଜୀ            କ୍ରୁର ହାସ୍ୟେ କହେ

ବିଧିଦାତା କୋହଭରେ,

କହି ପାରୁ ନାହିଁ            ଶାସ୍ତ୍ର ନାମ ମାତ୍ର

ଅଛି ତା ନିଶ୍ଚେ ଶାସ୍ତ୍ରରେ ।

 

ସପକ୍ଷେ ବିପକ୍ଷେ            ଏହିପରି କେତେ

ଲାଗିଲା ଯୁକ୍ତି ପ୍ରବଳ,

ଦଳସୃଷ୍ଟି ହେତୁ             ରହିଲା ଶେଷରେ

ବିପକ୍ଷ ମତ ଅଟଳ ।

 

ତର୍ଜନ ଗର୍ଜନ             ବିତଣ୍ଡାରେ ମୁର୍ଖେ

ରଖିଲେ ଆପଣା ଆଣି,

ନୀରବିଲେ ବିଜେ             ଉଷରେ ସୁବୀଜ

ବପନ ବିଫଳ ଜାଣି ।

 

ସମ୍ବୋଧି ଅନୁଜେ             କହିଲା ଅଗ୍ରଜ

ଶୁଶିଲୁ ତ ସବୁ କଥା,

କି କରିବି ମୋତେ            ଛାଡ଼ିବାକୁ ହେଲା

ଅଗତ୍ୟା ତୋର ମମତା ।

 

ଅନ୍ତ୍ୟେଷ୍ଟି ଶେଷରେ       ପୁନର୍ଜୀବିତକୁ

ଦେଖିବା ଉତ୍କଟ ଦୋଷ,

ତହିଁ ପରେ ତୋତେ            ଠାବ ଦେଲେ ଗୃହେ

ବହିବେ ସକଳେ ରୋଷ ।

 

ଅତଏବ ମୋର             ଭରସା ତେଜି ତୁ

କର ଯାହା ଇଚ୍ଛା ତାହା,

ନାହିଁ ଏ ଗ୍ରାମରେ             ତୋହ ପାଇଁ ସ୍ଥାନ

ଧର ଏବେ ଅନ୍ୟ ରାହା ।

 

ଶୁଣି ଏହି ବଜ୍ର-            ବାଣୀ ଦୁର୍ଭାଗ୍ୟର

ସ୍ତବ୍ଧ ହେଲା ହୃଦାକାଶ,

ମହା ମନସ୍ତାପେ             କଲା ତାର ଆତ୍ମା

ନିରୁଦକ ଉପବାସ ।

 

ଗଭୀର ଯାତନା             ଓଷ୍ଠେ ଚାପିବାକୁ

କଲା ଚେଷ୍ଟା ପ୍ରାଣପଣେ,

ମାତ୍ର ନ ପାରି ତା             ବେଗ ସହି ଓଷ୍ଠ

ଉଠିଲା କମ୍ପି ସଘନେ ।

 

କେତେ କ୍ଷଣ ପରେ       ଶୋକଭଗ୍ନ କଣ୍ଠେ

କହିଲା ହୋଇ କାତର,

ଯେଉଁ ହୃଦ ଥିଲା             ସ୍ନେହର ନିର୍ଝର

ହେଲା ସେ ଆହା ପଥର ।

 

ଯାଉଅଛି ମୁହିଁ             ଦୂରଦୃଷ୍ଟ ଘେନି

ଜନ୍ମ ମୋର ବିଡ଼ମ୍ବନା,

ତୁମ୍ଭ ସ୍ନେହ-ସ୍ମୃତି            ସିନା ଏକା ମୋର

ଏ ଶୋକର ସୁସାନ୍ତ୍ୱନା ।

 

ଆସିଥିଲି ମୁହିଁ             ଆପାଦ ମସ୍ତକ

ଛନ୍ଦିହୋଇ ଆଶା-ଲତା,

ଯାଉଅଛି ଏବେ             ଘେନିଣ ସମ୍ବଳ

ସୁବିରାଟ ବିଫଳତା ।

 

ଥାଅ ତୁମ୍ଭେ ସୁଖେ            ରହିବାକୁ ମୁହଁ

କରୁ ନାହିଁ କୃପା ଭିକ୍ଷା,

ଉପସ୍ଥିତ ଏବେ             ଜୀବନେ ମୋହର

କଠୋର ଅଗ୍ନି ପରୀକ୍ଷା ।

 

ଭାତ୍ୟ, ଭବିଷ୍ୟତ             ବିଧାତା ନିୟମେ

ହେଉଛି ନିର୍ଦ୍ଧିଷ୍ଟ ସିନା,

ନର କୃପା ତାହା             ଗଠନେ ଅକ୍ଷମ

ଦେବ- ଆଶୀର୍ବାଦ ବିନା ।

 

ଏ ଗ୍ରାମେ ବା ତବ             ଗୃହେ ମୋହ ପାଇଁ

ନ ଆଉ ପଛକେ ସ୍ଥାନ,

ପ୍ରଦାନିଛନ୍ତି ଯେ             ଦେହ ପ୍ରାଣ ନିଶ୍ଚେ

କରିବେ ସେ ସ୍ଥାନ ଦାନ ।

 

ଯାହାଙ୍କ ଅନନ୍ତ              ରାଜ୍ୟେ ବିଚରନ୍ତି

ଶରୀରୀ ଅନନ୍ତ କୋଟି,

ନାହିଁ କି ତହିଁରେ             ନିହିବାକୁ ଠାବ

ମୋ କ୍ଷୁଦ୍ର ଶରୀରୀ ଗୋଟି ।

 

ଜଗତ ଯାହାକୁ             ପରିତ୍ୟାଗ କରେ

ଧରନ୍ତି ସେ ତାକୁ ଅଙ୍କେ,

ଲଭେ ଯେ ତାହାଙ୍କ            ଅଭୟ ଆଶ୍ରୟ

ବିପଦ ତାହାକୁ ଶଙ୍କେ ।

 

ସେହି ମୋ ଆତ୍ମାର       ପରମାତ୍ମା ଏକା

ପ୍ରାଣର ପରମ ପ୍ରାଣ,

ଏହା କହି ଜ୍ୟେଷ୍ଠ             ସୋଦରେ ଜୁହାରି

କଲାକ ତହୁଁ ପ୍ରୟାଣ ।

 

ସେ ଗ୍ରାମନିବାସୀ             ଦୀନବନ୍ଧୁ ମିଶ୍ର

ଯୁବକର ବାଲ୍ୟ ମିତ୍ର,

ଦୁହିଁଙ୍କର ଏକ             ବୟଃ, ବିଦ୍ୟା, ପ୍ରାଣ

ଆବର ଏକ ଚରିତ୍ର ।

 

କୃଷ୍ଣାର୍ଜୁନ ପ୍ରାୟ             ଏକ ଆତ୍ମା ବେନି

ଉଭୟର ଏକ କଥା,

ଜଣକ ଶରୀରେ             ଆଘାତ ଲାଗିଲେ

ଆନ ଅନଭବେ ବ୍ୟଥା ।

 

ଜଣକ ସାରଲ୍ୟ             ସଭାବ ସାଧୁତା

ପ୍ରତିଫଳେ ଆନ ପ୍ରାଣେ,

ଜଣକ କଳ୍ପନା             ଚିନ୍ତା ଆନ ପ୍ରାଣେ

ବିଦ୍ୟୁତ ସ୍ପନ୍ଦନ ଆଣେ ।

 

ଦୁହିଁଙ୍କର ପୀତ୍ରି-             ସୁତ୍ର ଗଣ୍ଠିହୀନ

ଅୟଟା ଦୃଢ଼ ସରଳ,

ବେନି ସ୍ନେହୀ ଯଥା             ଗୋଟିଏ ଶ୍ଳୋକର

ପ୍ରାଞ୍ଜକ ଭାବ ଯୁଗଳ ।

 

ହୃଦୟ-ବନ୍ଧୁକୁ             ଦେଖି ଦୀନବନ୍ଧୁ

ଦାରୁଣ ବିପଦଗ୍ରସ୍ତ,

ପୀଡ଼ା ଲଭି ଚିତ୍ତେ             ଖର ପଦେ ଯାଇ

ଧରିଲା ଯୁବକ ହସ୍ତ ।

 

କହିଲା କୋମଳେ             କାହିଁ ଯିବ ସଖା

ତେଜି ଏ ଅଭାଗ୍ୟ ଜନେ,

ଚାଲ କିଛି ଦ୍ୱିଧା             ନ ଗଣି ମାନସେ

ରହିବ ମୋର ସଦନେ ।

 

ଆଚ୍ଛା ଦେଖାଇଲେ             ସୋଦର ତୁମ୍ଭର

ସୋଦରତା ତବ ପ୍ରତି,

କ୍ରୁର ସାମାଜିକ             କୁତର୍କ- କୁହୁକେ

ହେଲେ ଏଡ଼େ ଛନ୍ନମତି ।

 

କେତେ କାଳ ହାୟ             ଥିବ ଏ ସମାଜ

କୁସଂସ୍କାର ଦୋଷ- ଦୁଷ୍ଟ,

ପୂର୍ଣ୍ଣ ଖାଦ୍ୟ ପାଇ             କୁସଂସ୍କାର ସିନା

ନ ମରି ହେଉଛି ପୁଷ୍ଟ ।

 

ଥିଲା ଯେ ଦେଶର             ଅତୀତ ସମୟ

ବିପୁଳ ଗରିମାମୟ,

ଘଟିଲା ସେ ଦେଶ             ବର୍ତ୍ତମାନ ଭାଗ୍ୟେ

ଶୋଚନୀୟ ବିପର୍ଯୟ ।

 

କେଉଁ ପାପେ ଆହା       ଗ୍ରାସିଲା ସମାଜେ

ଯଥେଚ୍ଛାଚାରିତା - ବ୍ୟାଧି,

କି ଅସାଧ୍ୟ ତାର,             ଦେଇପାରେ ସେହୁ

ଜୀବନ୍ତ ଜନେ ସମାଧି ।

 

ବିନା ଅପରାଧେ             ନିର୍ବାସନ ଦଣ୍ତ

ପ୍ରଦାନେ ଯେଉଁ ସମାଜ,

ପଟାନ୍ତର ତାର             କି ଅଛି ମହୀରେ

ସୁନ୍ଦର ତାକୁ ତା କାର୍ଯ୍ୟ ।

 

ଦେଶ କାଳ ପାତ୍ର            ନ ବୁଝି ବ୍ୟବସ୍ଥା

କରେ ଯେ ସମାଜ ଦାନ,

ସମାଜ ନୁହେଁ ସେ             ମହାଭୟଙ୍କର

ଜୀବିତ- ଶବ ଶ୍ମଶାନ ।

 

ଦୟା ମାୟା ଶୂନ୍ୟ            ଯେ ସମାଜ ତାର

ଜୀବନ ବା ଆତ୍ମା ନାହିଁ,

ତାର ପ୍ରାଣଘାତୀ             ନିଗଡ଼ ବନ୍ଧନ

ପାରେ ମୁଁ ହେଲେ ଛିଣ୍ତାଇ ।

 

ଏହା କହି ମିତ୍ରେ             ଆଲିଙ୍ଗନ କରି

ଘେନିଗଲା ନିଜ ଘରେ,

ଗ୍ରାମ ସମାଜର             ଭାବୀ ବଜ୍ରାଘାତେ

ନ ଭୂକ୍ଷେପି ଦର୍ପଭରେ ।

 

ଏଣେ ସମାଜର             ଆକ୍ରୋଶ ତା ପ୍ରତି

ବୃଦ୍ଧି ହେଲା ଅନୁଦିନ,

ଅବାଧ୍ୟତା ପୁଣି             ଅକରଣୀ ହେତୁ

ସମାଜୁଁ ହେଲା ବିଚ୍ଛିନ୍ନ ।

 

ଜାତିଚ୍ୟୁତ ହେଲା,             ଗ୍ରାମରେ ତାହାକୁ

ମନା ହେଲା ନିଆଁ ପାଣି,

ଆବର ଭଣ୍ତାରୀ             ଧୋବା ମନା ହେଲା

ନ କହିଲେ କେହି ବାଣୀ ।

 

ଏତେ ଦଣ୍ତେ ସୁଦ୍ଧା             ଦଣ୍ତକ ନିମନ୍ତେ

ନ ଟଳିଲା ତାର ମତି,

ବହ୍ନିଶିଖା ପ୍ରାୟ             ଦୃଢ଼ ମନ କେବେ

ଭଜେ ନାହିଁ ନିମ୍ନଗତି ।

 

ଦେଖି ତାର ଏହି             ଅଦ୍ଭୁତ ବନ୍ଧୁତା

ଆଶ୍ଚର୍ଯ୍ୟ ହେଲା ଯୁବକ,

ଅସମ୍ଭାଳ ବେଗେ             ବହିଲା ନୟନୁଁ

ଆନନ୍ଦପୁତ ଲୋତକ ।

 

କହିଲା ବ      ନ୍ଧୁକୁ             କି ଭାଷାରେ ଭାଇ

ପ୍ରକାଶିବି କୃତଜ୍ଞତା,

ତୁମ୍ଭେ ଏ ଉତ୍କଳ-            ପୁଣ୍ୟ ଦେଉଳର

ମାନବରୁପୀ ଦେବତା ।